ଝାରସୁଗୁଡ଼ା: ବ୍ରଜରାଜନଗର ବିଜେଡି ବିଧାୟିକା ଅଳକା ମହାନ୍ତିଙ୍କ ବିରୋଧରେ ସାମ୍ନାକୁ ଆସିଛି ଦଳୀୟ ଅସନ୍ତୋଷ। ଆଗାମୀ ନିର୍ବାଚନରେ ତାଙ୍କୁ ଦଳୀୟ ପ୍ରାର୍ଥୀ କରା ନ ଯିବାକୁ ଦଳ ଭିତରୁ ଉଠିଛି ସ୍ବର। ବୁଧବାର ଲଖନପୁର ବ୍ଲକରେ ସମିତି ବୈଠକ ଚାଲିଥିବା ବେଳେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କୁ ନେଇ ବିରୋଧ ଗୁଞ୍ଜରଣ ହୋଇଥିଲା। କିଛି ସମତି ସଭ୍ୟ ଅଳକାଙ୍କ ବଦଳରେ ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଲେଖି ଉକ୍ତ ବୈଠକରେ ପହଞ୍ଚିଥିଲେ। ବିଧାୟିକା ପହଞ୍ଚିବା ପୂର୍ବରୁ ପ୍ରାୟ ୧୦ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ ଉକ୍ତ ଦାବିପତ୍ରରେ ଦସ୍ତଖତ କରିସାରିଥିଲେ। ପରେ ଏହାକୁ ନେଇ ସେଇ ସଭ୍ୟମାନଙ୍କ ମଧ୍ୟରେ ତୁତୁ ମେଁ ମେଁ ହେବା ପରେ ଉକ୍ତ ଦସ୍ତଖତ ଅଭିଯାନ ଅଧାରେ ଅଟକି ଯାଇଥିଲା।

Advertisment

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଦାବିପତ୍ର ବି ଯାଇପାରିନଥିବା ସୂଚନା ମିଳିଛି। ପରେ ବିଧାୟିକା ପହଞ୍ଚିବାରେ ଏନେଇ ଆଉ କୌଣସି ଆଲୋଚନା କରାଯାଇନଥିଲା। ଏନେଇ ପ୍ରତିକ୍ରିୟା ପାଇଁ ବିଧାୟିକା ଅଳକା ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇନଥିଲା। ତେବେ ଅଧା ଦସ୍ତଖତ ହୋଇଥିବା ଏହି ଦାବିପତ୍ରରେ ବିଧାୟିକା ମହାନ୍ତିଙ୍କୁ ନେଇ ଦଳୀୟ ନେତୃବୃନ୍ଦ ଅସନ୍ତୋଷ ବ୍ୟକ୍ତ କରିଥିବା ଚିତ୍ର ସାମ୍ନାକୁ ଆସିଛି। ଶ୍ରୀମତୀ ମହାନ୍ତିଙ୍କର ଅଭିଜ୍ଞତା, ଦୂରଦୃଷ୍ଟିର ଅଭାବ ଓ ସ୍ବାସ୍ଥ୍ୟଗତ କାରଣରୁ ସେ ପ୍ରାୟ ସମୟ ଭୁବନେଶ୍ବରରେ ରହୁଥିବା ବେଳେ ଦଳୀୟ ସଂଗଠନ କଥା ବୁଝୁ ନ ଥିବା ଏଥିରେ ଉଲ୍ଲେଖ ରହିଛି। କେବଳ ସେତିକି ନୁହେଁ ଅକ୍ଟୋବର ମାସରେ ହେଉଥିବା ପଦଯାତ୍ରା ବି ଗୋଟିଏ ଦିନରେ ସୀମିତ ରହିଯାଇଥିଲା ବୋଲି କୁହାଯାଇଛି।