ଭୁବନେଶ୍ବର: କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗାଁରେ ଖାଦ୍ୟ ଅଭାବରୁ ଆମ୍ବଟାକୁଆ ଜାଉ ଖାଇ ତିନି ଜଣଙ୍କର ମୃତ୍ୟୁ ଘଟଣାକୁ ସ୍ବୀକାର କରିନାହାନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତାଙ୍କର ଯୁକ୍ତି ହେଉଛି, ତିନି ମୃତକଙ୍କର ଚାଷ ଜମି ଅଛି। ସେମାନେ ଗତ ବର୍ଷ ବଳକା ଧାନ ମଧ୍ୟ ବିକ୍ରି କରିଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସେମାନେ ନିୟମିତ ଚାଉଳ ପାଉଥିଲେ। ତେଣୁ ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ। ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ, ମାଣ୍ଡିପଙ୍କାରେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ୨୦୨୪ର ଚାଉଳ ଠିକ୍ ସମୟରେ ଦିଆଯାଇଥିଲା।
ଇ-କେୱାଇସି ସାଧାରଣ ବଣ୍ଟନରେ ବାଧକ ନୁହେଁ
ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରର ଚାଉଳ ଅକ୍ଟୋବରରେ ବଣ୍ଟନ କରିବାକୁ ପଦକ୍ଷେପ ନିଆଯାଇଥିଲା। ଏହା ବାଦ୍ ସେପ୍ଟେମ୍ବର ୨୬ ଓ ୨୭ରେ ରୁନୁ ମାଝୀ, ରମିତା ପାଟମାଝୀ ଓ ଜିତା ମାଝୀଙ୍କ ପରିବାରକୁ ଅତିରିକ୍ତ ୧୨ କେଜି ଲେଖାଏ ମାଣ୍ଡିଆ ମଧ୍ୟ ବଣ୍ଟନ କରାଯାଇଥିଲା। ଚାଉଳ ଅଭାବର ପ୍ରଶ୍ନ ଉଠୁନି। ମେଡିକାଲ ରିପୋର୍ଟ ଅନୁଯାୟୀ ଏହି ଦୁର୍ଭାଗ୍ୟଜନକ ଘଟଣାଟି ଖାଦ୍ୟ ଅଭାବରୁ ନୁହେଁ। ବରଂ ଫୁଡ୍ ପଏଜନିଙ୍ଗ୍ ସମସ୍ୟା ଯୋଗୁ ହୋଇଛି। ଶ୍ରୀ ପାତ୍ର ଆହୁରି କହିଥିଲେ, ଏବେ ରାସନ୍ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଚାଲିଛି। କିନ୍ତୁ ଏହା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବାଧା ସୃଷ୍ଟି କରୁନାହିଁ। ହିତାଧିକାରୀମାନଙ୍କୁ ବିନା ଇ-କେୱାଇସିରେ ମାସିକ ଚାଉଳ କୋଟା ବିତରଣ କରାଯାଉଛି। ରାଜ୍ୟ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାର ଆହୁରି ସୁଦୃଢ଼ୀକରଣ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଚାଉଳ ଅଭାବ ନଥିଲା, ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ: ଯୋଗାଣ ମନ୍ତ୍ରୀ