ପ୍ରବୋଧ କୁମାର ମିଶ୍ର
ଚଢ଼େଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳର କଳାପଥର କେଳେଙ୍କାରୀ ସୀମା ଲଂଘିଛି। ୨୦ବର୍ଷ ଭିତରେ ଆଖିବୁଜା ପଥର ଲୁଟ୍ କରାଯାଇଛି। ତହସିଲ, ଲିଜ୍ଧାରୀ ଓ ସ୍ଥାନୀୟ ରାଜନେତାଙ୍କ ପ୍ରଭାବରେ ୧୦ ହଜାର କୋଟି ଟଙ୍କାର ଲଘୁଖଣିଜ ଲୁଟ୍ ହୋଇଛି। ଦିନେ ବାଘ ରହୁଥିବା ବାଘୁଆ ପାହାଡ଼ ଏବେ ସତ୍ତା ହରାଇଛି। ବିଶାଳ ପାହାଡ଼ ଏବେ ପଥର ମୁଣ୍ଡିଆରେ ପରିଣତ ହୋଇଛି। ଲୁଣିବର, ରାହାଡ଼ପୁର ଭଳି ଅନେକ ପାହାଡ଼ ମାଟିରେ ମିଶିଛି। ପରିବେଶ ସନ୍ତୁଳନ ବିଗିଡ଼ିଛି। ବନ୍ୟଜନ୍ତୁ ଗାଁ ମୁହାଁ ହୋଇଛନ୍ତି। ସରକାର, ସ୍ଥାନୀୟ ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମସ୍ତେ ଚୁପ ବସିଛନ୍ତି। ଗୋଟିଏ ପଟେ ମାଫିଆମାନେ ମାଲାମାଲ ହୋଇଥିବା ବେଳେ ସରକାର ରାଜସ୍ବ ହରାଇଛନ୍ତି। ମାଫିଆଙ୍କ ସୁରକ୍ଷା କବଚ ସାଜିଥିବା ରାଜନେତାମାନେ ରାତାରାତି ହଜାର ହଜାର କୋଟିର ମାଲିକ ପାଲଟିଛନ୍ତି। ଏସମସ୍ତ ଦିଗକୁ ରାଜ୍ୟ ସରକାର ଏବେ ଗୁରୁତ୍ବ ଦେଉଛନ୍ତି। ମାତ୍ର ଲୁଟ୍ ବାବଦ ରାଜସ୍ବ ରାଜକୋଷକୁ ଫେରିବ କି ନାହିଁ ତାହା ସନ୍ଦେହ।
ବିଗତ ବର୍ଷରେ ଧର୍ମଶାଳାର ଅନେକ ପାହାଡ଼କୁ ଭାଙ୍ଗି ଚୂରମାର କରି ଦିଆଯାଇଛି। ବିଚ୍ଛାଖଣ୍ଡି, ରାହାଡ଼ପୁର, ଅଞ୍ଜିରା, ବାଜବାଟୀ, ଚଢ଼େଇଧରା, ମାଳଗଡ଼ା, କୁସୁନପୁର ଅଞ୍ଚଳରେ ବେଆଇନ କଳାପଥର ଲୁଟ୍କୁ ନେଇ ଅଭିଯୋଗ ହେବା ପରେ ଖଣି ବିଭାଗ ତତ୍ପରତା ଦେଖାଇଛି। ବାରମ୍ବାର ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀମାନେ ନିୟମିତ ଏହାର ଅନୁଧ୍ୟାନ କରୁଛନ୍ତି। ଡ୍ରୋନ୍ ସର୍ଭେ ଦ୍ବାରା ମାପଚୁପ ଚାଲିଛି। ଆଜି ଖଣି ବିଭାଗର ଅଧିକାରୀଙ୍କ ସହିତ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି।
ତେବେ ଏହି ମହାଲୁଟ୍ର ଖଳନାୟକମାନେ ଆଇନଜାଲରେ ଛନ୍ଦିହେବେ ନା ଏଥିରେ ଅସଫଳ ହେବେ ତାକୁ ନେଇ ଆଶଙ୍କା ରହିଛି।
ସତ୍ତା ହରାଇଛି ବାଘ ରହୁଥିବା ବାଘୁଆ ପାହାଡ଼
ଉଭାନ ହୋଇଗଲେଣି ୧୦ରୁ ଅଧିକ ପାହାଡ଼ 
ଆଦାୟ ହେଉନି ୨୯୮କୋଟିର ଜରିମାନା
ତଥ୍ୟ ମୁତାବକ, ଧର୍ମଶାଳାରେ ୯୩ଟି କଳାପଥର ଖାଦାନ ରହିଛି। ସେଥିରୁ ଏବେ ୨୩ଟି ଖାଦାନ ଆଇନ ଅନୁଯାୟୀ ଚାଲିଥିବା ବେଳେ ଅନ୍ୟଗୁଡ଼ିକ ଲୁଚାଛପାରେ ଚାଲିଛି। ଖଣିବିଭାଗକୁ ଲଘୁଖଣିଜ ସମ୍ପଦ ସୈରାତ ଅଧିକାର ମିଳିବା ପରେ ନିଲାମ ପ୍ରକ୍ରିୟା ଓ ଉତ୍ତୋଳନକୁ ଏବେ ବ୍ୟବସ୍ଥିତ କରାଯାଉଛି। ବେଆଇନ ଖନନ ପାଇଁ ଲିଜ୍ଧାରୀଙ୍କ ଉପରେ ପୂର୍ବରୁ ୨୯୮ କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଥିଲା। ମାତ୍ର ଲିଜ୍ଧାରୀମାନେ ଏହାକୁ ଫାଙ୍କିବା ସହିତ ସମୟ ଗଡ଼ାଇ ଚାଲିଛନ୍ତି। ଜରିମାନାରୁ ବଞ୍ଚିବା ପାଇଁ ଅନେକ ଅଦାଲତକୁ ଢାଲ କରିଛନ୍ତି। ଧର୍ମଶାଳା ତହସିଲରେ ୧୦ରୁ ଅଧିକ ପାହାଡ଼ ନିଶ୍ଚିହ୍ନ ହୋଇଯାଇଛି। ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ବାଘୁଆ ପାହାଡ଼ର ଆଉ ଚିହ୍ନବର୍ଣ୍ଣ ନାହିଁ। ମାଫିଆଙ୍କ ମାତ୍ରାଧିକ କଳାପଥର ଉତ୍ତୋଳନ ଯୋଗୁଁ ଏହି ପାହାଡ଼ଟି ଧର୍ମଶାଳା ତହସିଲ ମାନଚିତ୍ରରୁ ଲୋପପାଇଛି। ଏଠାରେ ଶତାଧିକ ଫୁଟ ଗଭୀରର ଜଳାଶୟ ସୃଷ୍ଟି ହୋଇଛି। ଯାହା ପରିବେଶ ଉପରେ କୁପ୍ରଭାବ ପକାଇବା ସହିତ ବନ୍ୟଜନ୍ତୁଙ୍କୁ ବିପଦରେ ପକାଇଛି। ସେହିପରି ୪୯ ଏକରର ଲୁଣିବର ପାହାଡ଼ ଏବେ ସତ୍ତା ହରାଇବାକୁ ବସିଛି। ପାହାଡ଼ ବିଲୁପ୍ତ ହେବା ଯୋଗୁଁ ଧୀରେଧୀରେ ପରିବେଶ ସନ୍ତୁଳନ ନଷ୍ଟ ହୋଇଯାଉଛି। ନିଶ୍ଚିନ୍ତା ପାହାଡ଼ ରାହାଡ଼ପୁରର ମଧ୍ୟ ସମାନ ଅବସ୍ଥା ହେବାକୁ ଯାଉଛି। ତହସିଲରୁ ଖଣି ବିଭାଗକୁ ସୈରାତ ଅଧିକାର ମିଳିବା ପରେ ଏବେ ଏନେଇ ତନାଘନା ହେଉଛି। ମାତ୍ର ଭିତ୍ତିଭୂମି ଓ ମାନବସମ୍ବଳ ଅଭାବ ଯୋଗୁଁ ଖଣି ବିଭାଗ ମଧ୍ୟ ଚୋରି ରୋକିବାରେ ଅସମର୍ଥ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/ggdjdgjgjgj.jpg)
