ଚିକିଟି: ଅଖିମୁଠି ଅନୁକୂଳ କରିବାକୁ ପାଖାପାଖି ୧୦ ଖଣ୍ଡ ଗାଁରେ ବଳଦ ମିଳିଲେନି। ଫଳରେ ପଡ଼ୋଶୀ ପଞ୍ଚାୟତରୁ ଭଡ଼ାରେ ବଳଦ ଓ ହଳ ଅଣାଗଲା। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କଳବାଡ଼ ପଞ୍ଚାୟତର ବାରାହୀ ଦେବୀପୀଠ ନିକଟରେ ଆଜି ବ୍ଲକ୍‌ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ ବେଳେ ଏଭଳି ଆଶ୍ଚର୍ଯ୍ୟଜନକ ପରିସ୍ଥିତି ଉପୁଜିଛି। ଆଉ ଗ୍ରାମାଞ୍ଚଳରେ ପାରମ୍ପରିକ ଚାଷ ପଦ୍ଧତି ଧୀରେ ଧୀରେ କମିବାରେ ଲାଗିଥିବା ଏଥିରୁ ପ୍ରମାଣିତ ହୋଇଛି। ଚିକିଟି ବ୍ଲକ୍‌ର ୧୩୩ ଖଣ୍ଡ ଗ୍ରାମରେ ମାତ୍ର ୧୮୦୦ ବଳଦ ଥିବା ପ୍ରାଣୀ ଚିକିତ୍ସା ବିଭାଗରୁ ସୂଚନା ମିଳିଛି।

Advertisment

ତେବ‌େ କଳବାଡ଼ ପଞ୍ଚାୟତର ବାରାହୀ ପୀଠରେ କୃଷି ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ୧୦ ଖଣ୍ଡ ଗ୍ରାମର କୌଣସି ବ୍ୟକ୍ତି ପାଖରେ ବଳଦ ନଥିଲା। ଫଳରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଥିଲା। ନିକଟସ୍ଥ କୋଟଲିଙ୍ଗି ପଞ୍ଚାୟତ ମେଣ୍ଟାଗାଁର ଜଣେ ବ୍ୟକ୍ତିଙ୍କ ପାଖରୁ ହଳେ ବଳଦ ଭଡ଼ାରେ ଆଣିବାକୁ ପଡ଼ିଥିଲା। ଏହାପରେ ପୂଜାର୍ଚ୍ଚନା ସହ ଅଖିମୁଠି ଅନୁକୂଳ କରାଯାଇଥିଲା। ତେବେ ଏନେଇ ବ୍ଲକ୍ କୃଷି ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। କାର୍ଯ୍ୟକ୍ରମରେ ତହସିଲଦାର ବିଶ୍ବରଞ୍ଜନ କହଁର କର୍ତ୍ତା ଭାବେ ଦାୟିତ୍ବ ନିର୍ବାହ କରି ଅଖିମୁଠି ଅନୁକୂଳ କରିଥିଲେ। ବିଡିଓ ହଳଧର ଶବର, ସରପଞ୍ଚ ମିନତି ପଣ୍ଡା, ବ୍ଲକ୍ ଅଧ୍ୟକ୍ଷ ଆପନା ସେଠୀ ଓ ଆଦର୍ଶ ଚାଷୀ ସୁଦର୍ଶନ ପାଣିଗ୍ରାହୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।