କଟକ: ରାଜ୍ୟରେ ଜରୁରିକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାର ଓ ଓଡ଼ିଶା ପୁଲିସର ମିଳିତ ଆନୁକୂଲ୍ୟରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୬ଟି ଏମରଜେନ୍ସି ରେସପନ୍ସ ଭେଇକିଲ୍ (ଇଆରଭି)ର ଶୁଭାରମ୍ଭ କରାଯାଇଛି। କଟକସ୍ଥିତ ଓଏସ୍ଏପି ଷଷ୍ଠ ବାଟାଲିୟନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଡିଜି(ଏସଏପି) ଏମ.କେ ଛାବ୍ରା ଓ ସ୍ବତନ୍ତ୍ର ଡିଜି( କମ୍ୟୁନିକେସନ) ଏ.କେ. ରାୟ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ବ୍ୟବସ୍ଥାର ଶୁଭାରମ୍ଭ ପରେ ଏଣିକି ଆମ୍ବୁଲାନସ, ପୁଲିସ ଓ ଅଗ୍ନିଶମ ପାଇଁ ଗୋଟିଏ ନମ୍ବର ‘୧୧୨’ କାର୍ଯ୍ୟ କରିବ। ଏହି ନମ୍ବରରେ ଫୋନ୍କଲେ ୩ଟି ଯାକର ଜରୁରିକାଳୀନ ସେବା ଉପଲବ୍ଧ ହେବ। ଏହି ନୂତନ ‘୧୧୨’ ଏମରଜେନ୍ସି ରେସ୍ପନ୍ସ ବାହନଗୁଡ଼ିକ ଗୋଟିଏ ପିସିଆର୍ ଭ୍ୟାନ ଭଳି ବି କାର୍ଯ୍ୟ କରିବ। ଏହାକୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବାଲାଗି ଏହି ନୂତନ ଭ୍ୟାନ୍ଗୁଡ଼ିକୁ ଜିଆଇଏସ୍ ଏବଂ ଜିପିଏସ୍ ଭଳି ଆଧୁନିକ ବ୍ୟବସ୍ଥାରେ ସଂଯୋଗ କରାଯାଇଛି। ଏହି ନୂତନ ପ୍ରୟାସ ଦ୍ୱାରା ଅପରାଧ, ବିଶୃଙ୍ଖଳା କିମ୍ବା ଦୁର୍ଘଟଣା ଭଳି ଜରୁରିକାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ପ୍ରଦାନ କରାଯାଇପାରିବ।
ଏହି ଅବସରରେ ସ୍ୱତନ୍ତ୍ର ଡିଜି (ଏସ୍ଏପି) ମନୋଜ ଛାବ୍ରା କହିଛନ୍ତି, ଆମେରିକାର ‘୯୧୧’ ଭଳି ଓଡ଼ିଶାରେ ଗୋଟିଏ ନମ୍ବର ‘୧୧୨’ରେ ଜରୁରିକାଳୀନ ସମୟରେ ପୁଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ମିଳିବ। ଏଥିପାଇଁ ୧୦୬ଟି ଗାଡ଼ି ପ୍ରଦାନ କରାଯାଇଥିବାବେଳେ ଆଜି ୬୨ଟି ଗାଡ଼ିକୁ ଲୋକାର୍ପଣ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୫୦ଟି ଗାଡ଼ିକୁ ଲୋକାର୍ପଣ କରାଯିବ। ୧୧୨ ଇଆରଭି ପରିଚାଳନା କମ୍ପାନି, ଚିକିତ୍ସା ହେଲ୍ଥ କେୟାର ଲିମିଟେଡ, ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି; ପୂର୍ବରୁ ଓଡ଼ିଶା ସରକାର ପୁଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ସେବାଗୁଡ଼ିକୁ ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ(ଇଆରଏସଏସ) ଅଧୀନକୁ ଆଣିବା ଲାଗି ଏକ ସାମଗ୍ରିକ ଜରୁରିକାଳୀନ ହେଲପ୍ଲାଇନ ନମ୍ବର ‘୧୧୨’ର ଶୁଭାରମ୍ଭ କରାଯାଇଛି। ଏହି ନୂଆ ୧୦୬ ଟି ଇଆରଭିର ଶୁଭାରମ୍ଭ ୧୧୨ ସେବାକୁ ଅଧିକ ମଜଭୁତ୍ କରିବ।
ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ପ୍ରମୁଖ ସହର ଯଥା ଅନୁଗୁଳ, ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ଭଦ୍ରକ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ, ରାୟଗଡ଼ା, ରାଉରକେଲା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାକୁ ୩ଟି ଲେଖାଏଁ ଗାଡ଼ି ଦିଆଯାଇଥିବାବେଳେ ଭୁବନେଶ୍ୱର କମିସନରେଟକୁ ୭, କଟକ କମିସନରେଟକୁ ୭, ବୌଦ୍ଧ, ଦେଓଗଡ, ନୂଆପଡ଼ା ଓ ସୁବର୍ଣ୍ଣପୁରକୁ ୨ଟି ଲେଖାଏଁ ଗାଡ଼ି ପ୍ରଦାନ କରାଯାଇଛି। ଏହି ଏମରଜେନ୍ସି ରେସ୍ପନ୍ସ ବାହନଗୁଡ଼ିକର ପରିଚାଳନା ଏବଂ କାର୍ଯ୍ୟକାରିତା ପାଇଁ ଚିକିତ୍ସା ହେଲ୍ଥକେୟାର ଲିମିଟେଡ୍କୁ ଦାୟିତ୍ୱ ଦିଆଯାଇଛି । ଅନ୍ୟ ଜରୁରିକାଳୀନ ସେବାଗୁଡ଼ିକ ପରି ଏହି ସେବା ମଧ୍ୟ ରାଜ୍ୟର ସମସ୍ତ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିବ।
ଅତିରିକ୍ତ ଡିଜି ଅରୁଣ ଷଡଙ୍ଗୀ, ଅତିରିକ୍ତ ଡିଜି ବିନୟତୋଷ ମିଶ୍ର, ଭିଜିଲାନସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା, ଅତିରିକ୍ତ ଡିଜିପି କ୍ରାଇମବ୍ରାଞ୍ଚ ସଂଜୀବ ପଣ୍ଡା, ଅତିରିକ୍ତ ଡିଜି ଆଇନ-ଶୃଙ୍ଖଳା ଆର.କେ. ଶର୍ମା, ପୁଲିସ କମିସନର କଟକ-ଭୁବନେଶ୍ବର ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ଅପରେସନ ଅମିତାଭ ଠାକୁର, ଆଇଜି ମୁଖ୍ୟାଳୟ ଏସ.ଦେବଦତ୍ତ ସିଂହ, ଆଇଜନି ପ୍ରୋଭିଜନିଂ ଯତୀନ୍ଦ୍ର କୋଏଲ, ଆଇଜି ପର୍ସୋନେଲ ଏସ.ପ୍ରବୀଣ କୁମାର ଓ ବହୁ ବରିଷ୍ଠ ଅଧିକାରୀ ଉଦ୍ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।