ବାମରା: ଗୁରୁବାର ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତି ପରେ ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ରେଳ ପ୍ରବନ୍ଧକ ଅରୁଣ ଜେ ରାଠୋର ବାମରାକୁ ଧାଇଁଥିଲେ। ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଶ୍ରୀ ରାଠୋର କହିଲେ ଯେ ଗତକାଲିର ଆନ୍ଦୋଳନ ପରେ ସୁରକ୍ଷା ଦୃଷ୍ଟିରୁ ରେଳ ପ୍ଲାଟ୍‌ଫର୍ମ, ଟ୍ରାକ୍ ଆଦି ଯାଞ୍ଚ କରିବା ଆବଶ୍ୟକ ଥିଲା। ତେଣୁ ଗୋଟିଏ ଦିନ ପାଇଁ ବାମରାରେ ଟ୍ରେନ୍ ରହଣି ବନ୍ଦ କରା ଯାଇଥିଲା। କିନ୍ତୁ ଆଉ ଟ୍ରେନ୍‌ ରହିବ ନାହିଁ ବୋଲି କେହି ମିଥ୍ୟା ଗୁଜବ ପ୍ରଚାର କରିବା କାରଣରୁ ଲୋକେ ଉତ୍ୟକ୍ତ ହୋଇ ଏଭଳି ପରିସ୍ଥିତି ସୃଷ୍ଟି କରିଥିଲେ। ବାମରାରେ ପୂର୍ବରୁ ରହୁଥିବା ୧୧ ଯୋଡ଼ି ଟ୍ରେନ୍‌ ପୂର୍ବ ଭଳି ରହିବ। ସେହିସବୁ ଟ୍ରେନ୍ ପାଇଁ ଟିକଟ୍ ମିଳିବ ଓ ସଂରକ୍ଷଣ କାଉଣ୍ଟର୍ ବି ଯେମିତି ଚାଲିଥିଲା ଚାଲିବ। ତେଣୁ ଲୋକେ ଶାନ୍ତିଶୃଂଖଳା ରକ୍ଷା କରିବାକୁ ସେ ଆବେଦନ କରିଥିଲେ। ସେ ଏକ ଭିଡିଓ ବାର୍ତ୍ତା ଜାରି କରି ମଧ୍ୟ ଏନେଇ ଜନସାଧାରଣଙ୍କୁ ଆବେଦନ କରିଥିଲେ।

Advertisment

ଗୁଜବ ବିଶ୍ବାସ କରନ୍ତୁ ନାହିଁ: ପୂର୍ବତଟ
ବାମରା ଘଟଣାରେ ପୂର୍ବତଟ ରେଳବାଇ ପକ୍ଷରୁ ମଧ୍ୟ ଲୋକଙ୍କୁ ଶାନ୍ତିଶୃଂଖଳା ରକ୍ଷା କରିବାକୁ ଅପିଲ କରାଯାଇଛି। ପୂର୍ବତଟ ରେଳବାଇର ମୁଖ୍ୟ ଜନସଂପର୍କ ଅଧିକାରୀ ବିଶ୍ବଜିତ ସାହୁ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ବାମରାରେ ରେଳ କର୍ତ୍ତୃପକ୍ଷଙ୍କ ଦ୍ବାରା ଟିକଟ୍ ସଂରକ୍ଷଣ କାଉଣ୍ଟର୍ ବନ୍ଦ କରା ଯାଇଥିବା ନେଇ କିଛି ଗଣମାଧ୍ୟମରେ ଗୁଜବ ପ୍ରଚାରିତ ହୋଇଛି। କିନ୍ତୁ ତାହା ଏକ ମିଥ୍ୟା ଖବର। ସେଠାକାର ରିଜର୍ଭେସନ୍ କାଉଣ୍ଟର୍‌ ଏବେ ବି ଖୋଲା ଅଛି। କୋଭିଡ୍ ପୂର୍ବରୁ ସେଠାରେ ୧୬ଟି ରହଣି କରୁଥିଲା। କୋଭିଡ୍ ପରେ ୭ଟି ଟ୍ରେନ୍‌ର ରହଣି ପାଇଁ ମଞ୍ଜୁରି ଥିଲା। ନିକଟରେ ଆଉ ୪ଟି ଟ୍ରେନ୍‌ର ରହଣି ପାଇଁ ମଞ୍ଜୁରି ମିଳିଛି। ଫଳରେ ମୋଟ ୧୧ଟି ଟ୍ରେନ୍‌ ସେଠାରେ ଅଟକୁଛି। ବାକି ଯେଉଁ ୫ଟି ଟ୍ରେନ୍‌ ରହିଲା ତା’ର ରହଣି ଉପରେ ବି ବିଚାର କରାଯାଉଛି ବୋଲି ସେ କହିଥିଲେ।