ଭୁବନେଶ୍ବର: ରାଜ୍ୟର ୧୩ଟି ଜିଲ୍ଲା ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ବିଭିନ୍ନ ନଦୀରେ ୧୯ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ ୪,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଏହି ପ୍ରକଳ୍ପ ଦ୍ୱାରା ଚାଷୀ ଭାଇଭଉଣୀମାନେ ବହୁଳ ଭାବେ ଉପକୃତ ହେବେ। ବିଶେଷ କରି ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସୁବିଧା ହେବ। ଏହାସହ ମାଛ ଚାଷ, ପଶୁପାଳନ ଆଦିରେ ମଧ୍ୟ ଏହା ସହାୟକ ହେବ। ଏହି ପ୍ରକଳ୍ପ ସବୁ ଭୂତଳ ଜଳ ସ୍ତର ବୃଦ୍ଧି କରି ପରିବେଶକୁ ସନ୍ତୁଳିତ କରିବ। ବନ୍ୟା ନିୟନ୍ତ୍ରଣରେ ଏହି ପ୍ରକଳ୍ପ ବେଶ୍ ସହାୟକ ହେବାକୁ ଥିବାବେଳେ ଆମର ନିରନ୍ତର ବିକାଶ ପାଇଁ ଏପରି ପ୍ରକଳ୍ପ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୦ରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ପାଇଁ ୧୧ ହଜାର ୭୦୦ କୋଟି ଟଙ୍କାରେ ଯୋଜନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ୭୨ଟି ପ୍ରକଳ୍ପ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ୫-ଟି ଉପକ୍ରମରେ ଏହି ଜଳାଶୟ ପ୍ରକଳ୍ପ କାର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ଏହି ପ୍ରକଳ୍ପଗୁଡ଼ିକର ନିର୍ମାଣ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରକଳ୍ପ ଦ୍ୱାରା କୌଣସି ଲୋକ ବିସ୍ଥାପିତ ହେବେ ନାହିଁ।

Advertisment

ନିରନ୍ତର ବିକାଶ ପାଇଁ ଏପରି ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ
ଖୁବ୍‌ଶୀଘ୍ର କେନ୍ଦ୍ରାପଡ଼ା‌େର ଆର୍ସେଲର୍ ମିତ୍ତଲ୍ ନିପନ୍ ଷ୍ଟିଲ୍‌ପ୍ଲାଣ୍ଟ୍‌ ଶୁଭ ଦିଆଯିବ: ପାଣ୍ଡିଆନ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ତାଙ୍କ ନିର୍ଦ୍ଦେଶରେ ୫-ଟି ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ଗସ୍ତ କରିବା ସମୟରେ ଲୋକଙ୍କ ଠାରୁ ଏସବୁ ପ୍ରକଳ୍ପ ପାଇଁ ପ୍ରସ୍ତାବ ପାଇଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଆଜିର କାର୍ଯ୍ୟକ୍ରମରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗୀରରୁ ଆଭାସୀ ମାଧ୍ୟମରେ ଯୋଗଦେଇଥିବାବେଳେ କେନ୍ଦ୍ରାପଡ଼ାର ମହାକାଳପଡ଼ାଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ‌କଣ୍ଟାମାଳରେ ବିଧାୟକ ମହିଧର ରଣା ପ୍ରମୁଖ ଯୋଗଦେଇଥିଲେ। ସେହିପରି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ସ୍ଥାନର ଉନ୍ନତି ପାଇଁ ପ୍ରକଳ୍ପ କରୁଛନ୍ତି। କେନ୍ଦ୍ରାପଡ଼ାର ସବୁ ବିକାଶ କାର୍ଯ୍ୟକ୍ରମରେ ଲୋକଙ୍କ ଭରପୁର ସହଯୋଗ ମିଳୁଛି, ଏଥିପାଇଁ କେନ୍ଦ୍ରାପଡ଼ାବାସୀଙ୍କୁ ଧନ୍ୟବାଦ। କେନ୍ଦ୍ରାପଡ଼ାରେ ଆର୍ସେଲର୍ ମିତ୍ତଲ ନିପନ୍ ଷ୍ଟିଲ ପ୍ରକଳ୍ପ ପାଇଁ ଜାପାନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଥିଲେ। ଲୋକଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ଏଥିପାଇଁ ଶୁଭ ଦେବେ। ଏହି କାର୍ଯ୍ୟକ୍ରମ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। କେନ୍ଦ୍ରାପଡ଼ାରେ ୧୫ହଜାରରୁ ଅଧିକ ଚାଷୀ ଉପସ୍ଥିତ ଥିବାବେଳେ ଏଥିରେ ପ୍ରାୟ ୧୦ହଜାର ମହିଳା ଥିଲେ। କାର୍ଯ୍ୟକ୍ରମରେ ତିନି ଜଣ ଚାଷୀ ଯଥା କେସିଙ୍ଗାରେ ପାନାଲାଲ ବେମାଲ, ଆଖୁଆପଦାରେ ଶରତ ଚନ୍ଦ୍ର ଜେନା ଓ ବୀରମହାରାଜପୁରରେ ବିବସ୍ବତି ପଣ୍ଡା ପ୍ରମୁଖ ଏହି ପ୍ରକଳ୍ପ ଦ୍ବାରା ସେମାନେ କିପରି ଉପକୃତ ହେବେ ସେନେଇ ମତ ରଖିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଦେଇଥିଲେ।