ସମ୍ବଲପୁର ସହରରେ ୯ ଦିନ ପର୍ଯ୍ୟନ୍ତ ହେବ ୫ ଘଣ୍ଟା ଲେଖାଏଁ ବିଦ୍ୟୁତ୍‌କାଟ

ଚେରୁଆପଡ଼ା ଫିଡର୍‌ରେ ବଦଳାଯିବ ତାର

ସମ୍ବଲପୁର : ସମ୍ବଲପୁର ସହରର ଅଧା ଅଞ୍ଚଳରେ ୬ରୁ ୯ ଦିନ ପର୍ଯ୍ୟନ୍ତ ଦୈନିକ ୫ ଘଣ୍ଟା ଧରି ବିଦ୍ୟୁତ୍‌କାଟ ହେବ। ଚେରୁଆପଡ଼ାସ୍ଥିତ ୩୩ କେଭି ଫିଡର୍‌ ଅଧୀନସ୍ଥ ସମସ୍ତ ଅଞ୍ଚଳ ଯଥା ବଡ଼ ସଡ଼କ, ସାନ ସଡ଼କ, କୁଞ୍ଜେଲପଡ଼ା, ବଡ଼ବଜାର, କ୍ଷେତରାପୁର, ମୁଦିପଡ଼ା, ଲକ୍ଷ୍ମୀ ଟକିଜ୍, ଗୋଲବଜାର ଅଞ୍ଚଳରେ ଆଗାମୀ ୨ରୁ ୩ ସପ୍ତାହ ଧରି ସପ୍ତାହକୁ ୩ ଦିନ ଓ ଦିନକୁ ୫ ଘଣ୍ଟା ଲେଖାଏଁ ବିଦ୍ୟୁତ୍‌କାଟ ହେବ। ଏହି ଗ୍ରିଡ୍ ଅନ୍ତର୍ଗତ ୪ କିଲୋମିଟର୍ ଲମ୍ବା ଅଞ୍ଚଳରେ ପୁରୁଣା ୧୦୦ ବର୍ଗ ମିଲିମିଟର୍‌ ତାରକୁ ବଦଳା ଯାଇ ୨୩୦ ବର୍ଗ ମିଲିମିଟର୍‌ ମୋଟା ୩୩ କେଭି ତାର ଲଗାଯିବ। ଏହାଦ୍ବାରା ଉକ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସେବା ପ୍ରଦାନର ମାନରେ ଉନ୍ନତି ଆସିବ। ତେଣୁ ଏଥିରେ ସହଯୋଗ କରିବାକୁ ବିଦ୍ୟୁତ୍ ବିଭାଗ ପକ୍ଷରୁ କହାଯାଇଛି।

ବିଭାଗୀୟ ସୂଚନା ଅନୁଯାୟୀ ଏହି କାମ ପାଇଁ ଆସନ୍ତା ୨ରୁ ୩ ସପ୍ତାହ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହେବ। ଅର୍ଥାତ୍ ୩ ସପ୍ତାହ ଯାଏଁ ୩ ଦିନ ଲେଖାଏଁ ୫ ଘଣ୍ଟା ଧରି ବିଦ୍ୟୁତ୍‌କାଟ ହେଲେ ସର୍ବାଧିକ ୪୫ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟ ହେବା ସମ୍ଭାବନା ରହିଛି। ତେବେ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଇ ଯଥା ସମ୍ଭବ କମ୍ ବିଦ୍ୟୁତ୍‌କାଟ କରିବାକୁ ଉଦ୍ୟମ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ତେବେ କେବେଠାରୁ ବିଦ୍ୟୁତ୍‌କାଟ ଆରମ୍ଭ ହେବ ଓ ସପ୍ତାହର କେଉଁ ୩ ଦିନ କଟାଯିବ ସେ ସଂପର୍କରେ ନିର୍ଦ୍ଦିଷ୍ଟଭାବେ ସୂଚନା ଦିଆଯାଇ ନାହିଁ। ଆଗାମୀ ଦିନରେ ଏ ସଂପର୍କରେ ବିସ୍ତୃତ ଓ ନିର୍ଦ୍ଦିଷ୍ଟ ସୂଚନା ଦିଆଯିବ ବୋଲି ବିଭାଗ ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର