ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ପେଟ୍ରୋଲିୟମ ଉତ୍ପାଦନ ବଢ଼ୁଥିବା ଚାହିଦାକୁ ପୂରଣ ପାଇଁ ଝାରସୁଗୁଡ଼ାଠାରେ ପେଟ୍ରୋଲିୟମ ଟର୍ମିନାଲ ସ୍ଥାପନ କରାଯିବ। ବିପିସିଏଲ ପକ୍ଷରୁ ଏନେଇ ପରିକଳ୍ପନା କରାଯାଇଛି। ଏଚପିଏଲ ସହ ମିଶି ବିପିସିଏଲ ୯୮ ଏକର ଜାଗା ଚିହ୍ନଟ କରିଥିବା ନେଇ ଇଣ୍ଡିଆନ୍‌ ଅଏଲ୍‌ ଲିମିଟେଡ୍‌(ଆଇଓସିଏଲ୍‌) ଓଡ଼ିଶା ମୁଖ୍ୟ ତଥା ରାଜ୍ୟସ୍ତରୀୟ ସଂଯୋଜକ ଶୁଭୋଜିତ ଘୋଷ କହିଛନ୍ତି।
ଶ୍ରୀ ଘୋଷ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ କଳ୍ପନା ହେଉଛି ପୂର୍ବ ଭାରତର ଭିତ୍ତିଭୂମିର ବିକାଶ କରିବା। ଏହି ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ଫଳସ୍ୱରୂପ ପୂର୍ବାଞ୍ଚଳ ରାଜ୍ୟ ଭାବେ ଓଡ଼ିଶା ତ୍ୱରିତ ଅଭିବୃଦ୍ଧି କରିଛି। ପ୍ରଧାନମନ୍ତ୍ରୀଙ୍କ ଏହି କଳ୍ପନାକୁ ବାସ୍ତବରେ ପରିଣତ କରିବା ପାଇଁ ନିକଟରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନେକ ପ୍ରକଳ୍ପ ଆଣିବାକୁ ଯାଉଛି।

Advertisment

ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିପିସିଏଲ ବାଲାଙ୍ଗୀରରେ ୪୪ ଟିଏମଟିପିଏ କ୍ଷମତା ବିଶିଷ୍ଟ ଏଲପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରିସାରିଛି, ଯାହାକି ୧୯ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହୋଇଥିଲା। ଏହା ଆରମ୍ଭ ହେବା ଦିନରୁ ପ୍ଲାଣ୍ଟ ପ୍ରାୟ ୨୫ ଲକ୍ଷ ସିଲିଣ୍ଡରରେ ଏଲପିଜି ଭର୍ତ୍ତି କରିଛି। ଏହି ବଟଲିଂ ପ୍ଲାଣ୍ଟ ପରୋକ୍ଷରେ ପ୍ରତିଦିନ ପ୍ରାୟ ଶହେ ଲୋକଙ୍କୁ ରୋଜଗାର ଯୋଗାଉଛି। ବିପିସିଏଲ ଦ୍ୱାରା ବରଗଡ଼ ଜିଲ୍ଲାରେ ଏକ ସମନ୍ୱିତ ୧ଜି ଓ ୨ଜି ବାୟୋ ଇଥାନଲ୍ ରିଫାଇନାରି ପ୍ଲାଣ୍ଟ ନିର୍ମାଣ କରାଯାଉଛି। ଦୈନିକ ୪୦୦ ମେଟ୍ରିକ୍ ଟନ ଜୈବିକ ବସ୍ତୁରୁ ଦୈନିକ ୨୦୦ କିଲୋ ଲିଟର ଇଥାନଲ ଉତ୍ପାଦନ କରାଯିବ। ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ହେବା ନେଇ ଆକଳନ କରାଯାଇଛି। ଅନୁଗୁଳ ଓ ଢେଙ୍କାନାଳ ସମେତ ୯ଟି ଜିଲ୍ଲାରେ ବିପିସିଏଲ ଦ୍ୱାରା ସିଟି ଗ୍ୟାସ ବିତରଣ(ସିଜିଡି) ନେଟୱାର୍କକୁ ବିକଶିତ ହେଉଛି। ୯ଟି ଜିଲ୍ଲାରେ ପ୍ରାୟ ୨୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରି ମିନିମମ୍ ୱାର୍କ ପ୍ରୋଗ୍ରାମ(ଏମଡବ୍ଲୁପି) ମାଧ୍ୟମରେ ପ୍ରାୟ ୬୧ ସିଏନଜି ଷ୍ଟେସନ, ୬୭ ହଜାର ପିଏନଜି ସଂଯୋଗୀକରଣ ଓ ୫ ହଜାର ଆଇଏନ୍‌ସିଏଚ୍‌-କେଏମ୍‌ ପାଇପ୍‌ ଲାଇନ୍‌ ବିଛା ଯିବାର ଯୋଜନା ରହିଛି।

ତୈଳ ରାଷ୍ଟ୍ରାୟତ ଉଦ୍ୟୋଗମାନେ (ପିଏସୟୁ) ଏଲପିଜି ବିତରଣରେ ଓଡ଼ିଶାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ୨୦୧୪ ଏପ୍ରିଲରେ ୨୦.୫% ଏଲପିଜି ବ୍ୟବହାରକାରୀ ଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୮୨.୨୬%କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ୪୭.୭ ଲକ୍ଷ ସଂଯୋଗ କରାଯାଇଛି। ବର୍ତମାନ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ବ୍ୟତୀତ ବିପିସିଏଲ ଆଗାମୀ ଭଭିଷ୍ୟତରେ ଏଚପିସିଏଲର ମିଳିତ ସହଯୋଗରେ ଧୁତ୍ରା ପେଟ୍ରୋଲିୟମ କମନ୍ ୟୁଜର ଫାସିଲିଟି ପ୍ରକଳ୍ପ ସ୍ଥାପନା କରିବାର ଯୋଜନା ରହିଛି।