ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମହିଳା ଓ ଶିଶୁଙ୍କ ପାଇଁ ହେବ ପୁଲିସର ସ୍ବତନ୍ତ୍ର ଶାଖା

ଖୋଲିବ ୩୪ ନୂଆ ସାଇବର ଓ ଅର୍ଥନୈତିକ ଅପରାଧ ଥାନା
୯୦୫ ନୂଆ ପୁଲିସ ପଦବିକୁ ମଞ୍ଜୁରୀ

କଟକ : ରାଜ୍ୟରେ ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ହି˚ସା ରୋକିବା ପାଇଁ ଓଡ଼ିଶା ପୁଲିସ ବିଭାଗରେ ଏକ ସ୍ବତନ୍ତ୍ର ଶାଖା ଗଠନ କରାଯିବ। ଏହି ଶାଖା ନିର୍ଦ୍ଦିଷ୍ଟ ଭାବେ ଏହି ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ହେଉଥିବା ଅପରାଧକୁ ଦମନ କରିବ। ରାଜ୍ୟ ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମ୍ମଳିନୀର ଉଦଯାପନୀ ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ସହିତ ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧର ମୁକାବିଲା ପାଇଁ ୩୪ଟି ନୂଆ ସାଇବର‌୍‌ ଥାନା ଓ ଅର୍ଥନୈତିକ ଅପରାଧ ଥାନା ଖୋଲିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଭର୍ଚୁଆଲ୍‌ ମାଧ୍ୟମରେ ଗଲା ୨୭ ତାରିଖରୁ ଆରମ୍ଭ ହୋଇଥିବା ୬୨ ତମ ପୁଲିସ ଅଧିକାରୀ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟରେ ୬ଟି ନୂଆ ଥାନାର ଉଦଘାଟନ କରିଥିଲେ। ଅନୁଗୁଳ ଜିଲ୍ଲାର ଅନୁଗୁଳ ସଦର ଥାନା, ଭୁବନେଶ୍ବର କମିସନରେଟ୍‌ ପୁଲିସରେ ଭରତପୁର ଥାନା, ଝାରସୁଗୁଡ଼ା ଜିଲ୍ଲାର ସଦର ଥାନା, ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଥାନା ଓ ଭଦ୍ରକ ଜିଲ୍ଲାର ସବରଙ୍ଗ ଥାନା ଓ ପୀରହାଟ ଥାନା ରହିଛି। ପୁଲିସ ବିଭାଗରେ ବିଭିନ୍ନ ପାହ୍ୟାରେ ଆହୁରି ୯୦୫ଟି ଅତିରିକ୍ତ ପଦବିକୁ ମଞ୍ଜୁରୀ ମିଳିଛି। ସମ୍ମିଳନୀ ଅବସରରେ କରୋନାରେ ପ୍ରାଣ ହରାଇଥିବା ୪୮ ପୁଲିସ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ୯୩୦ ପୁଲିସ କର୍ମଚାରୀ- ଯେଉଁମାନେ ସ୍ବେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିଥିଲେ ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ। ସ୍ପେଶାଲ ଫ୍ୟାମିଲି ପେନସନ୍‌ ୩୮ ପୁଲିସ ପରିବାର ପାଇଁ ମଞ୍ଜୁରୀ ମିଳିଥିବା ବେଳେ ୨୯ ପୁଲିସ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶୀ ପ୍ରଦାନ କରାଯାଇଛି। ଅବଶିଷ୍ଟ ପୁଲିସ ପରିବାରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବ। ନକ୍ସଲ-ପୁଲିସ ମୁହାଁମୁହିଁ ବେଳେ ଚଳିତ ବର୍ଷ ଦୁଇ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏହି ଯବାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରିଥିଲେ। ଆଧୁନିକ ଫରେନସିକ କୌଶଳକୁ ଉପଯୋଗ କରି ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାରରେ ବୃଦ୍ଧି ଘଟାଇବା, ସଡ଼କ ସୁରକ୍ଷା କ୍ଷେତ୍ରରେ ଭଲ କାର୍ଯ୍ୟ କରିବା ଓ ଅପରାଧର ଶିକାର ବ୍ୟକ୍ତି ବିଶେଷ ଓ ପରିବାରଙ୍କ ପ୍ରତି ସମ୍ବେଦନଶୀଳ ହେବା ସହିତ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ଫଳରେ ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଅପରାଧ ରୋକିବାକୁ ସମସ୍ତ ପ୍ରକାର ପ୍ରୟାସ କରିବାର ଆବଶ୍ୟକତା ରହିଛି। ମାଲକାନଗିରି ଓ କନ୍ଧମାଳ ଜିଲ୍ଲା ଏସପିଙ୍କୁ ମାଓ ଦମନ କ୍ଷେତ୍ରରେ ବିଶେଷ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶ˚ସା କରିଥିଲେ। ସେହିଭଳି ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା ଏସପିଙ୍କୁ ଜିଲ୍ଲାରେ ଉତ୍ତମ ଶିଳ୍ପାୟନ ପରିବେଶ ସୃଷ୍ଟି କରିଥିବାରୁ ପ୍ରଶ˚ସା କରାଯାଇଥିଲା। ସମ୍ମିଳନୀର ଶେଷ ଦିନରେ ପୁଲିସ ଡିଜି ଅଭୟଙ୍କ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ଓ ଅର୍ଥବିଭାଗର ପ୍ରମୁଖ ସଚିବମାନେ ଭାଗ ନେଇଥିଲେ। ସମ୍ମିଳନୀର ପ୍ରଥମ ପର୍ଯ୍ୟାୟରେ ‘ପୁଲିସ ବିଭାଗରେ ମାନସିକ ଚାପ ପରିଚାଳନା ଓ ଏମରଜେନ୍ସି ରେସପନସ୍‌ ସପୋର୍ଟ ସିଷ୍ଟମ୍‌ ଆଜ୍‌ ଏ ଫାଇଭ୍‌ ଟି ଇନିସିଏଟିଭ୍‌ ଉପରେ ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର