ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଉପକୂଳରେ ସମୁଦ୍ର କୂଳ ଲଂଘିବା ସଂକଟର ମୁକାବିଲା ଯୋଜନାର ଡିପିଆର୍‌ ପ୍ରସ୍ତୁତି ସରିଛି। ୮୪ କୋଟି ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପ ସିଆର୍‌ଜେଡ୍‌ (କୋଷ୍ଟାଲ୍‌ ରେଗୁଲେସନ୍‌ ଜୋନ୍‌) ଅନୁମୋଦନ ପାଇଁ ଅଟକିଛି। ଏହି ଯୋଜନାରେ ଗୋପାଳପୁର ସଂଲଗ୍ନ ହରିପୁର ସମୁଦ୍ର ମୁହାଣରେ ପଥର ବନ୍ଧ ତିଆରି କରାଯିବ। ଫଳରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଯିବା ଆସିବାରେ ସୁବିଧା ହେବ। ଏଠାରେ ଏକ ସ୍ଥାୟୀ ମୁହାଣ ନିର୍ମାଣ କରିବା ପାଇଁ ମତ୍ସ୍ୟଜୀବୀଙ୍କ ତରଫରୁ ଦୀର୍ଘ ୧୫ବର୍ଷ ହେଲା ଦାବି ହୋଇ ଆସୁଛି। ପ୍ରତ୍ୟେକ ଥର ପ୍ରତିଶ୍ରୁତି ମିଳୁଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହେଉ ନଥିଲା। ଏବେ ରାଜ୍ୟ ସରକାର ମତ୍ସ୍ୟଜୀବୀଙ୍କ ସୁବିଧା ପାଇଁ ହରିପୁର ମୁହାଣକୁ ସଫା କରି ଉଭୟ ପାର୍ଶ୍ବରେ ପଥର ବନ୍ଧ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିବା ଡ୍ରେନେଜ୍‌ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ଇଂ. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପର ଡିପିଆର୍‌ ପ୍ରସ୍ତୁତ ହୋଇ ସାରିଛି। ଏବେ ସିଆର୍‌ଜେଡ୍‌ ଅନୁମୋଦନକୁ ଅପେକ୍ଷା କରାଯାଇଛି। ସିଆର୍‌ଜେଡ୍‌ରେ ଧାର୍ଯ୍ୟ ନିୟମ ପୂରଣ କରିବା ପରେ ପରବର୍ତ୍ତୀ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Advertisment

ବ୍ରହ୍ମପୁର ଡ୍ରେନେଜ୍‌ ଡିଭିଜନ୍‌ ଅଧୀନରେ ଏହି କାମ ଆରମ୍ଭ ହୋଇଛି। ମାଡ୍ରାସ୍‌ ଆଇଆଇଟିର ବିଶେଷଜ୍ଞଙ୍କ ଦ୍ବାରା ଏହି ପ୍ରକଳ୍ପର ଡିପିଆର୍‌ ପ୍ରସ୍ତୁତ କରାଯାଇଛି। ଡିପିଆର୍‌ ମଂଜୁର ହୋଇ ସାରିଥିବା ବେଳେ ଟେକ୍ନିକାଲ୍‌ ଆଡ୍‌ଭାଇଜରି କମିଟି ମଧ୍ୟ ଏହାକୁ ଅନୁମୋଦନ କରି ସାରିଛି। ସିଆର୍‌ଜେଡ୍‌ରେ ଧାର୍ଯ୍ୟ ସର୍ତ୍ତ ପୂରଣ କରିବା ପରେ ପ୍ରକଳ୍ପ ପାଇଁ ଟେଣ୍ଡର୍‌ ଆହ୍ବାନ କରାଯିବ ବୋଲି ସୂଚନା ଦିଆଯାଇଛି। ଡିପିଆର୍‌ ଅନୁସାରେ ହରିପୁର ମୁହାଣରେ ୭ଟି ପଥର ବନ୍ଧ ତିଆରି କରାଯିବ। ଗୋଟିଏ ମୁଖ୍ୟ ବନ୍ଧ ରହିବ। ସେହି ରାସ୍ତା ଦେଇ ଡଙ୍ଗା ଯାତାୟାତ କରିବ। ଅନ୍ୟ ରାସ୍ତାରେ ପାଣି ନିଷ୍କାସନ ହେବ। ସ୍ଥାୟୀ ପଥର ବନ୍ଧ ଦ୍ବାରା ଡଙ୍ଗା ଯାତାୟାତ ପାଇଁ ସବୁଦିନିଆ ରାସ୍ତା ବାହାରିବା ସହିତ ଆଉ ସେହି ସ୍ଥାନରେ ବାଲି ଜମା ହୋଇ ରହିବ ନାହିଁ। ମତ୍ସ୍ୟଜୀବୀମାନେ ପ୍ରାୟ ୯ମାସ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଇଥାନ୍ତି। ଏହି ସମୟରେ ସେମାନେ ମୁହାଣ ଉପରେ ନିର୍ଭର କରିଥାନ୍ତି। ହରିପୁର ମୁହାଣ ଦେଇ ଗୋପାଳପୁର ସମେତ ହରିପୁର, ନୂଆ ବକ୍ସିପଲ୍ଲୀ, ଭେଙ୍କଟରାୟପୁର, ପୁରୁଣା ବକ୍ସିପଲ୍ଲୀ, ଦିଗିପୁର, ନୂଆ ଗୋଳାବନ୍ଧ ଗ୍ରାମର ମ୍ୟତ୍ସଜୀବୀ ସମୁଦ୍ରକୁ ଯାଇଥାନ୍ତି। ମୁହାଣରେ ଏହି ପଥର ବନ୍ଧ ନିର୍ମାଣ ହେବା ପରେ ମତ୍ସ୍ୟଜୀବୀମାନେ ବେଶ ଉପକୃତ ହେବେ ବୋଲି ଆଶା କରାଯାଉଛି।