ସ୍ବର୍ଣ୍ଣାଭ ବେଳାଭୂମିରେ ହେବ ମୁକ୍ତାକାଶ ଜିମ୍
ଅଷ୍ଟ୍ରେଲିଆରୁ ଆସିବ ଆମ୍ଫିବିୟସ୍ ହ୍ବିଲଚେୟାର୍, ସେଡ୍ ସଂଖ୍ୟା ୮ରୁ ୨୦କୁ ବୃଦ୍ଧି ପାଇବ
ପୁରୀ : ସ୍ବର୍ଣ୍ଣାଭ ବେଳାଭୂମିରେ ଉପଲବ୍ଧ ହେବ ମୁକ୍ତାକାଶ ଜିମ୍। ଖୋଲା ଆକାଶ ତଳେ ବେଳାଭୂମିର ମଜା ନେବା ସହ ବ୍ୟାୟାମ ଉପଭୋଗ କରିବେ ପର୍ଯ୍ୟଟକ। ସ୍ବର୍ଣ୍ଣାଭ ବେଳାଭୂମି ତୃତୀୟ ଥର ପାଇଁ ବ୍ଲୁ ଫ୍ଲାଗ୍ ବିଚ୍ର ମାନ୍ୟତା ପାଇଥିବା ବେଳେ ଭିତ୍ତିଭୂମିରେ ଯୋଡ଼ି ହୋଇଛି ଏହି ମୁକ୍ତାକାଶ ବ୍ୟାୟାମଶାଳା। ଏଥିସହ ପିଲାମାନଙ୍କ ମନୋରଂଜନ ପାଇଁ କିଛି ଚିଲ୍ଡ୍ରେନ ପାର୍କ ବା ଶିଶୁ ଉଦ୍ୟାନରେ ମଧ୍ୟ ଆଉ କିଛି ସରଞ୍ଜାମ ସାମିଲ୍ କରାଯାଇଛି। ବିଚ୍ ପରିଚାଳନା କମିଟି (ବିଏମ୍ସି) ଓ ପୁରୀ ପୌରପାଳିକା ପକ୍ଷରୁ ଏହି ଭିତ୍ତିଭୂମିର ବନ୍ଦୋବସ୍ତ କରାଯାଇଛି। ଖୁବଶୀଘ୍ର ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ।
କିଡ୍ସ ପ୍ଲେ ଗ୍ରାଉଣ୍ଡ୍ ପରିସରରେ ଏହି ଜିମ୍ ସ୍ଥାପନ ହୋଇଛି। ଏହା ମଧ୍ୟରେ ସର୍ଫବୋର୍ଡ, ଏୟାର ୱାକର, ଡୁଆଲ ଚେଷ୍ଟ ପ୍ରେସ, ବେଞ୍ଚ ପ୍ରେସ, ସିଟ-ଅପ, ପୁଲ ଚେୟାର ଓ ଲେଗ୍ ଷ୍ଟ୍ରେଚର ଆଦି ଉପଲବ୍ଧ ହେବ। ବରିଷ୍ଠ ନାଗରିକଙ୍କ ଦ୍ବାରା ଏହାକୁ ଉଦ୍ଘାଟନ କରାଯିବ। ଏହାବ୍ୟତୀତ ପର୍ଯ୍ୟଟକଙ୍କ ମତାମତ ଆଧାରରେ ଅମ୍ବ୍ରେଲା ସେଡ୍ ବୃଦ୍ଧି କରାଯାଇଛି। ପୂର୍ବରୁ ୮ଟି ସେଡ୍ ରହିଥିବା ବେଳେ ଏହାକୁ ୨୦କୁ ବୃଦ୍ଧି କରାଯାଇଛି। ଏହାବ୍ୟତୀତ ସମୁଦ୍ର କୂଳରେ ବସିବା ପାଇଁ ୪୦ଟି କାଠ ଚେୟାରର ସୁବିଧା କରାଯାଇଛି। ବ୍ଲୁ ଫ୍ଲାଗ୍ ବିଚ୍ରେ ବୁଲିବା ସହ ସମୁଦ୍ରରେ ସ୍ନାନ କରିବା ପାଇଁ ଆଉ ୨ଟି ଆମ୍ଫିବିୟସ ହ୍ବିଲଚେୟାର ଅଷ୍ଟ୍ରେଲିଆରୁ ମଗାଯାଇଛି। ଏଥିରେ ଦିବ୍ୟାଙ୍ଗମାନେ ଲାଇଫଗାର୍ଡଙ୍କ ସହାୟତାରେ ସମୁଦ୍ର ଜଳରାଶିକୁ ଯାଇ ଭାସିବା ସହ ସ୍ନାନର ମଜା ନେବେ। ପୂର୍ବରୁ ଗୋଟିଏ ଆମ୍ଫିବିୟସ ହ୍ବିଲ ଚେୟାର ଉପଲବ୍ଧ ଥିବା ବେଳେ ଆଉ ଦୁଇଟି ଖୁବଶୀଘ୍ର ଉପଲବ୍ଧ ହେବ।
ନିକଟରେ ସ୍ବର୍ଣ୍ଣାଭ ବେଳାଭୂମିକୁ ଲଗାତାର ତୃତୀୟ ବର୍ଷ ପାଇଁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ମିଳିଛି। ପର୍ଯ୍ୟଟକଙ୍କ ପାଇଁ ହିତକର ସମୁଦ୍ର ସ୍ନାନ ଉପଯୋଗୀ ବ୍ୟବସ୍ଥା ଏବଂ ଉନ୍ନତ ଭିତ୍ତିଭୂମି ଗୋଲ୍ଡେନ ବିଚ୍ ପାଇଁ ପୁଣି ଏହି ସଫଳତା ଆଣି ଦେଇଛି। ସମଗ୍ର ଦେଶରେ ସ୍ନାନ ଅନୁକୂଳ ସମୁଦ୍ର ଭାବେ ପୁରୀ ବେଳାଭୂମିକୁ ଉଦାହରଣ ଭାବେ ଉପସ୍ଥାପନ କରାଯାଇଛି। ଡେନ୍ମାର୍କ ଫାଉଣ୍ଡେସନ ଫର ଏନ୍ଭିରୋନମେଣ୍ଟାଲ ଏଜୁକେସନ ପକ୍ଷରୁ ପୁନର୍ବାର ସ୍ବର୍ଣ୍ଣାଭ ବେଳାଭୂମିକୁ ୩୩ଟି ମାନଦଣ୍ଡ ଆଧାରରେ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପ୍ରଦାନ କରାଯାଇଛି। ଏଥିସହ ଆଗାମୀ ଦିନରେ ଏହା ମଧ୍ୟରେ ପରିବେଶ ଅନୁକୂଳ ଜଳକ୍ରୀଡ଼ା ଉପଲବ୍ଧ ହେବାକୁ ଯାଉଛି। ୮୭୦ ମିଟର ପରିମିତ ବେଳାଭୂମିରେ ସମୟ କ୍ରମେ ଭିତ୍ତିଭୂମିରେ ପରିବର୍ତ୍ତନ ହୋଇଛି। ପୁରୀ ବେଳାଭୂମିରେ ସମୁଦ୍ର ଜଳ ସ୍ନାନ ଉପଯୋଗୀ କି ନୁହେଁ, ଏହାର ବାରମ୍ବାର ସର୍ବେକ୍ଷଣ କରାଯାଉଛି।
କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ନାସନାଲ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପ୍ରକଳ୍ପ ଅଧୀନରେ ଆନ୍ନା ବିଶ୍ବବିଦ୍ୟାଳୟ ପକ୍ଷରୁ ସମୁଦ୍ର ଜଳ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଏହା ମଧ୍ୟରେ ଥିବା ଦୁଇଟି ବ୍ୟାକ୍ଟେରିଆ ପରିମାଣ ଅନୁଧ୍ୟାନ କରାଯାଇଥିଲା। ଇ-କୋଲାଇ ଓ ଇଣ୍ଟର କୋସାଇର ପରିମାଣକୁ ଅନୁଧ୍ୟାନ ପରେ ଏଠାରେ ସମୁଦ୍ର ସ୍ନାନ ଅନୁକୂଳ ବୋଲି ରିପୋର୍ଟ ଦିଆଯାଇଛି। ବୈଜ୍ଞାନିକଙ୍କ ଦ୍ବାରା ନିକଟରେ ହୋଇଥିବା ସର୍ବେକ୍ଷଣ ମୁତାବକ, ସମୁଦ୍ର ଜଳରେ ତାପମାତ୍ରାର ପରିମାଣ ହାରାହାରି ୨୮.୯୦ ଡିଗ୍ରି ସେଲ୍ସିୟସ ରହୁଥିବା ବେଳେ ୧ଲିଟର ସମୁଦ୍ର ଜଳରେ ହାରାହାରି ୨୯.୫୮ ଗ୍ରାମ ଲବଣ ରହୁଛି। ସଂପ୍ରତି ୫୨ ଜଣ କର୍ମଚାରୀ ଏହାର ପରିଚାଳନା ଦାୟିତ୍ବରେ ପ୍ରତ୍ୟକ୍ଷ ନିୟୋଜିତ ହୋଇଛନ୍ତି। ପର୍ଯ୍ୟଟକଙ୍କ ନିରାପତ୍ତା ଓ ସୁରକ୍ଷା ଉପରେ ନଜର ରଖିବା ପାଇଁ ୧୧ଟି ସିସିଟିଭି ଲଗାଯାଇଛି। ୨୦୨୦ ମସିହାରେ ପ୍ରଥମଥର ପାଇଁ ଗୋଲ୍ଡେନ ବିଚ୍କୁ ବ୍ଲୁ-ଫ୍ଲାଗ୍ ମାନ୍ୟତା ପ୍ରଦାନ କରାଯାଇଥିଲା।