ପିପିଳିଆ ଛକରେ ହେବ ଅଣ୍ଡରପାସ୍‌

କଟକ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଛକରେ ୨୧୫ ଜାତୀୟ ରାଜପଥ ଉପରେ ଫ୍ଲାଏଓଭର  ନିର୍ମାଣ ପ୍ରସଙ୍ଗରେ  ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଦାବି ଓ ଜନ ପ୍ରତିନିଧିଙ୍କ ଅନୁରୋଧ ପରେ ପିପିଳିଆ ଛକରେ ଅଣ୍ଡରପାସ୍ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦୁଝର ଏନଏଚଏଆଇ ପ୍ରକଳ୍ପ କାର୍ଯ୍ୟକାରୀ ୟୁନିଟର ପ୍ରକଳ୍ପ ନିର୍ଦ୍ଦେଶକ ଆର.ଭେଙ୍କଟେଶ୍ବରୁଲୁ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଏଠାରେ ଫ୍ଲାଏଓଭର ନିର୍ମାଣ ସମ୍ଭବ ନୁହେଁ। ତେଣୁ ଅଣ୍ଡରପାସ୍ ନିର୍ମାଣ କରାଯିବ। ଏଥିସହିତ ଉଭୟ ପାର୍ଶ୍ବରେ ଅଣ୍ଡରପାସ୍‌କୁ ସଂଯୋଗ କରୁଥିବା ସ୍ବତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ। ଏଥିପାଇଁ ସାନି ଟେଣ୍ଡର କରାଯିବ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଏଭଳି ନିଷ୍ପତ୍ତି ସଂପର୍କିତ ୨୦୨୧, ଏପ୍ରିଲ ୨୮ର ଚିଠି ଏନଏଚଏଆଇ ସତ୍ୟପାଠ ସହିତ ସଂଲଗ୍ନ କରାଯାଇଛି। ଏହି ସତ୍ୟପାଠର କପି ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ଗଠିତ ଖଣ୍ଡପୀଠ କେନ୍ଦୁଝରର ସାମାଜିକ କର୍ମୀ ଉଗ୍ରସେନ ନାୟକ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖ ଯୋଗ୍ୟ, ଜୁଲାଇ ୨୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ପିପିଳିଆରେ ଫ୍ଲାଏଓଭର ନିର୍ମାଣ ପ୍ରସଙ୍ଗରେ କି କି ନିଷ୍ପତ୍ତି ନିଆଯାଇଛି ସେ ନେଇ ଦୁଇ ସପ୍ତାହ ଭିତରେ ଜଣାଇବାକୁ ଏନଏଚଏଆଇକୁ କହିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୂରଜ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ଏକ ଗୁରୁତ୍ବପୂର୍ଣ୍ଣ ଛକ ହୋଇଥିବା ବେଳେ ଏଠାରେ ଜାତୀୟ ରାଜପଥ ଉପରେ ଏକ ଫ୍ଳାଏଓଭର  ନିର୍ମାଣ ପାଇଁ ଦାବି ହୋଇଥିଲା। ଚାରିଟି ପଞ୍ଚାୟତର ୩୦ଟି ଗ୍ରାମର ବାସିନ୍ଦା ଏହି ରାସ୍ତାଦେଇ ପ୍ରତିଦିନ ଯାଆସ କରିଥାନ୍ତି। ଏଥି ମଧ୍ୟରେ ଶତାଧିକ ସ୍କୁଲ କଲେଜ ପିଲା ଅନ୍ତର୍ଭୁକ୍ତ। ପିପିଳିଆ ଛକରେ ବ୍ୟାଙ୍କ, କଲେଜ, ସ୍କୁଲ, ସରକାରୀ କାର୍ଯ୍ୟାଳୟ, ଦୋକାନ-ବଜାର ରହିଛି।  ପିପିଳିଆ ଛକ ଏକ ବ୍ୟସ୍ତବହୁଳ ରାସ୍ତା ହୋଇଥିବା ବେଳେ ଜାତୀୟ ରଜପଥର ଏହି ସ୍ଥାନରେ ଫ୍ଲାଏ ଓଭର  ନିର୍ମାଣ କରାଯାଉ ନଥିବାରୁ ନିୟମିତ ଦୁର୍ଘଟଣା ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ଦର୍ଶାଇଥିଲେ।  ଏ ନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର, କେନ୍ଦ୍ର ସରକାର, ଏନଏଚଏଆଇକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା।

ଦାବିପୂରଣ ପାଇଁ ପିପିଳିଆ ଆଞ୍ଚଳିକ ବିକାଶ ମଞ୍ଚ ଗଠନ କରାଯାଇ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ପିପିଳିଆଠାରେ ଫ୍ଲାଏଓଭର ନିର୍ମାଣ ପାଇଁ ଗଣଧାରଣା ଦିଆଯାଇଥିଲା। ସ୍ଥାନୀୟ ବିସିନ୍ଦାଙ୍କ ଦାବି ପୂରଣ ପାଇଁ ତତ୍କାଳୀନ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନଏଚଏଆଇ ଓ କେନ୍ଦ୍ର ସଡକ ପରିବହନ ବିଭାଗକୁ ଚିଠି ଲେଖିଥିଲେ। ଫ୍ଲାଏ ଓଭରବ୍ରିଜ ନିର୍ମାଣ ପ୍ରସଙ୍ଗ ବିଚାରାଧୀନ ଥିବା ବେଳେ ପିପିଳିଆ ଛକର ଦୁଇ ପାର୍ଶ୍ବରୁ ଦୁଇ ଶହ ମିଟର ଛାଡ଼ି ଜାତୀୟ ରାଜପଥ ନିର୍ମାଣ କରାଯିବ ବୋଲି ଏନଏଚଏଆଇ କହିଥିଲା। ଅନ୍ୟପକ୍ଷରେ ଜାତୀୟ ରାଜପଥ ନିର୍ମାଣ ବେଳେ ହାତୀ ଚଲାପଥ (ଅଣ୍ଡରପାସ୍) ସ୍ଥାନ ପରିବର୍ତ୍ତନ କରାଯାଇଥିଲା। କିନ୍ତୁ ପିପିଳିଆରେ ଫ୍ଲାଏ ଓଭର  ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର