ଓଡ଼ିଆ ଭାଷାରେ ହେବ ସିୟୁଇଟି: ଜୁଲାଇରେ କମନ୍‌ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ

ମେ’ ୬ ଯାଏ ଆବେଦନ, ୫୪୭ ସହରରେ କେନ୍ଦ୍ର

ଭୁବନେଶ୍ବର: ୨୦୨୨-୨୩ ଶିକ୍ଷାବର୍ଷରେ ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ନାମଲେଖା ଲାଗି କମନ୍‌ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି) ଅନୁଷ୍ଠିତ ହେବ। ଜୁଲାଇ ପ୍ରଥମ/ଦ୍ବିତୀୟ ସପ୍ତାହରେ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଗତକାଲିଠାରୁ ଆରମ୍ଭ ହୋଇଥିବା ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ମେ’ ୬ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଫି’ ଦାଖଲର ଶେଷ ସମୟ ମେ’ ୬ ତାରିଖ ରାତି ୧୧ଟା ୫୦ ମିନିଟ୍‌ ରଖାଯାଇଛି। ଆଗ୍ରହୀ ପ୍ରାର୍ଥୀ https://cuet.samarth.ac.in ୱେବସାଇଟ୍‌ ମାଧ୍ୟମରେ ହିଁ କେବଳ ଆବେଦନ କରିପାରିବେ। ଅନ୍ୟ କୌଣସି ମୋଡ୍‌ରେ ଆବେଦନପତ୍ର ଗ୍ରହଣ କରାଯିବ ନାହିଁ। ଜଣେ ପ୍ରାର୍ଥୀ କେବଳ ଗୋଟିଏ ଥର ଆବେଦନ କରିପାରିବ। ତେଣୁ ଆବେଦନ କରିବା ସମୟରେ ପ୍ରାର୍ଥୀମାନେ ଏନ୍‌ଟିଏ ୱେବସାଇଟ୍‌ରେ ଥିବା ଇନ୍‌ଫରମେସନ ବୁଲେଟିନ୍‌କୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି। ଆବେଦନପତ୍ରରେ ପ୍ରାର୍ଥୀମାନେ ନିଜ କିମ୍ବା ଅଭିଭାବକଙ୍କ ଇ-ମେଲ୍‌ ଆଇଡି ଓ ମୋବାଇଲ୍‌ ନମ୍ବର ଲେଖିବା ନିହାତି ଆବଶ୍ୟକ।

ପ୍ରଥମ ଥର ଲାଗି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ୧୩ଟି ଭାଷାରେ ଅନୁଷ୍ଠିତ ହେବ। ସେଗୁଡ଼ିକ ହେଲା ଓଡ଼ିଆ, ଇଂରାଜୀ, ହିନ୍ଦୀ, ବେଙ୍ଗଲି, ଗୁଜୁରାଟି, କନ୍ନଡ, ମାଲାୟଲମ୍‌, ମରାଠି, ପଞ୍ଜାବୀ, ତାମିଲ, ତେଲଗୁ ଓ ଉର୍ଦ୍ଦୁ। ପରୀକ୍ଷା ଲାଗି ଦେଶର ୫୪୭ଟି ସହର ସମେତ ବିଦେଶର ୧୩ଟି ସହରରେ ପରୀକ୍ଷା କରିବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କଲମ୍ବୋ, ଦୋହା, ଦୁବାଇ, ଜାକାର୍ତ୍ତା, କାଠମାଣ୍ଡୁ, କ୍ବୁଲାଲମ୍ବପୁର, କ୍ବଏତ୍‌ ସହର, ମାନାମା, ଅବୁଜା, ମାସ୍କର୍ଟ, ରିୟାଦ, ସାରଜା, ସିଙ୍ଗାପୁର ସହରରେ ପରୀକ୍ଷା କେନ୍ଦ୍ର ହେବ। ଦୁଇଟି ସ୍ଲଟରେ ପରୀକ୍ଷା କରାଯିବ। ପ୍ରଥମ ସ୍ଲଟ୍‌ରେ ୩ ଘଣ୍ଟା ୧୫ ମିନିଟ୍‌ ଓ ଦ୍ବିତୀୟ ସ୍ଲଟ୍‌ର ଅବଧି ୩ ଘଣ୍ଟା ୪୫ ମିନିଟ୍‌ ରହିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ପରୀକ୍ଷା ହେବ, ଯେଉଁଥିରେ କେବଳ ମଲଟିପୁଲ୍‌ ଚଏସ୍‌ ପ୍ରଶ୍ନ ଆସିବ। ଦେଶର କେଉଁ କେଉଁ ସହରରେ ପରୀକ୍ଷା କେନ୍ଦ୍ର ହେବ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏଥିସହ କେବେଠାରୁ ପରୀକ୍ଷାର୍ଥୀଙ୍କୁ ଆଡମିଟ୍‌ କାର୍ଡ ମିଳିବ, ପରୀକ୍ଷା ସମୟ, ପରୀକ୍ଷା ଫଳ ଘୋଷଣା ସମ୍ପର୍କରେ ପରବର୍ତୀ ସମୟରେ ଘୋଷଣା କରାଯିବ। ପରୀକ୍ଷା କେନ୍ଦ୍ର, ତାରିଖ ଓ କେଉଁ ସିଫ୍ଟରେ ପରୀକ୍ଷା ଅଛି ସେନେଇ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଉଲ୍ଲେଖ କରାଯିବ।

ସମ୍ବନ୍ଧିତ ଖବର