ଭୁବନେଶ୍ବର: ରାଜ୍ୟ ସରକାର ମହିଳା ବିରୋଧୀ ଅପରାଧକୁ ଆଦୌ ବରଦାସ୍ତ କରିବେନି। ଏହି ମାମଲାଗୁଡ଼ିକର ତ୍ବରିତ ବିଚାର ପାଇଁ ରାଜ୍ୟରେ ଚାରିଟି ଫାଷ୍ଟ୍ ଟ୍ରାକ୍ କୋର୍ଟ ପ୍ରତିଷ୍ଠା ହେବ। ଏ ନେଇ ବିଚାର ବିମର୍ଷ ଚାଲିଛି। ସେଠାରେ ମହିଳା ବିଚାରପତି, ମହିଳା ଓକିଲ ଓ ମହିଳା କର୍ମଚାରୀ ନିୟୋଜିତ ହେବେ। ଆଜି ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିବା ଅବସରରେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସେ ଏହି ଉତ୍ତର ରଖିଥିଲେ।

ପୂର୍ବ ସରକାର ବିଭ୍ରାନ୍ତି କରୁଥିଲେ, ଆମେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛୁ

Advertisment

ମନ୍ତ୍ରୀ କହିଥିଲେ, ପୂର୍ବ ସରକାରରେ ଅପରାଧ ପ୍ରବଣତା ବଢ଼ିଚାଲିଥିଲା। ଇତିଶ୍ରୀ, ବେବିନା, ମାଧବୀ, ମମିତା, ସ୍ମିତାରାଣୀ, ପିହୁ, ପରୀ ଘଟଣାରେ କେତେ ନ୍ୟାୟ ମିଳିଲା, ତାହା ରାଜ୍ୟବାସୀ ଜାଣନ୍ତି। ପୂର୍ବ ସରକାର କେବଳ ବିଭ୍ରାନ୍ତି ସୃଷ୍ଟି କରୁଥିଲେ। ବର୍ତ୍ତମାନ ସରକାର ଶୂନ୍ୟ ସହନଶୀଳତା ନୀତିରେ ଅପରାଧ ଦମନ କରୁଛନ୍ତି। ଠିକ୍ ସମୟରେ କିପରି ନ୍ୟାୟ ମିଳିବ, ତାହା ଉପରେ ଗୁରୁତ୍ବ ଦିଆଯାଉଛି। ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ କରାଯାଉଛି। ସମସ୍ତେ ଇତିହାସରୁ ଶିକ୍ଷା ଲାଭ କରନ୍ତି। ବିଜେଡି ସରକାରର ବିଫଳତାରୁ ଆମେ ଶିକ୍ଷା ଲାଭ କରିଛୁ। ସେଥି ପାଇଁ ଅପରାଧକୁ ଆଦୌ ବରଦାସ୍ତ କରୁ ନାହୁଁ। ମହିଳା ଓ ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧର ତ୍ବରିତ ବିଚାର ପ୍ରକ୍ରିୟା ମାଧ୍ୟମରେ ଦୋଷୀକୁ କଠୋର ଦଣ୍ଡବିଧାନ କରିବା ପାଇଁ ଅଗ୍ରାଧିକାର ଦିଆଯାଉଛି। ତେଣୁ ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ଓ ଅସତ୍ୟ। ଏହି ଅବସରରେ ମନ୍ତ୍ରୀ କଟକ, ଭୁବନେଶ୍ବର, କୁଚିଣ୍ଡା ଓ ବଙ୍ଗୋମୁଣ୍ଡାରେ ଘଟିଥିବାର ଘଟଣାକୁ ନେଇ ହୋଇଥିବା ମାମଲାର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।