ଭୁବନେଶ୍ବର: ରାଜ୍ୟର ସବୁ ଜିଲ୍ଲାରେ  ମେଡିକାଲ କଲେଜ ହେବ। ଖୁବ୍‌ ଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବା ସହିତ କାମ ଆରମ୍ଭ ହେବ । ରାଜ୍ୟରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କୁ ଗୁରୁବାର ୧୦୦ ଦିନ ପୂରଣ ହେଊଥିବା ବେଳେ  ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏପରି ଘୋଷଣା କରିଛନ୍ତି ।

Advertisment

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି। ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ପାଇପ ଲାଇନରେ ରହିଛି। ତାହା ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଏହା ସହିତ ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ମେଡିକାଲ କଲେଜ ନିର୍ମାଣ ହେବ।

ସ୍ୱାସ୍ଥ୍ୟ ବିଭାଗ ଏ ସମ୍ପର୍କୀତ ସମସ୍ତ ବ୍ୟବସ୍ଥାର ତଦାରଖ କରୁଛି। ମେଡିକାଲ କଲେଜ ନିର୍ମାଣ ସହ ଅଧ୍ୟାପକ ନିଯୁକ୍ତି ଉପରେ ବି ଗୁରୁତ୍ୱାରୋପ କରାଯାଉଛି। ଆମ ରାଜ୍ୟବାସୀ ଯେପରି ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇପାରିବେ ସେଥିପ୍ରତି ସରକାର ଯତ୍ନବାନ ଓ ସଚେତନ ଅଛନ୍ତି।  ଏନେଇ କାମ  ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଏଥିସହ ସେ କହିଛନ୍ତି, ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ସବୁ ଜିଲ୍ଲାରେ ମେଡିକାଲ କଲେଜ ହେବ ବୋଲି କହିଥିଲେ। ଏହା ପରଠୁ ଓଡ଼ିଶାରେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି। କେନ୍ଦ୍ର ଓ ରାଜ୍ୟର ସହଭାଗିତାରେ ଏହି କାମ ଜାରି ରହିଛି। ଆଗକୁ ଏହାକୁ ତ୍ୱରାନ୍ୱିତ କରାଯାଇ ସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।