ଭୁବନେଶ୍ବର : ରାଜ୍ୟର ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ ମିଲେଟ୍ ମିସନ। ବର୍ତ୍ତମାନ ଏହି ମିସନରେ ୨ ଲକ୍ଷ ଚାଷୀ, ୮୨ ଏଫ୍ପିଓ ଏବଂ ୧୨ଶହ ମିସନ ଶକ୍ତିକୁ ସାମିଲ କରାଯାଇଛି। ଆଗକୁ ଆହୁରି ଅଧିକ ଚାଷୀ ଏବଂ ମିସନ ଶକ୍ତିଙ୍କୁ ସାମିଲ କରାଯିବ। ଏଥିପାଇଁ ୫ ବର୍ଷରେ ୨ ହଜାର ୮ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆଜି ମାଣ୍ଡିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।
ଆଜି ପୂର୍ବାହ୍ନରେ କୃଷି ଭବନରେ ଆୟୋଜିତ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର। ଛୋଟ ପିଲାଙ୍କ ଠାରୁ ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଣ୍ଡିଆ ପୁଷ୍ଟି ଯୋଗାଉଛି। ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖକୁ ମାଣ଼୍ଡିଆ ଦିବସ ଭାବରେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଗରିବ ଆଦିବାସୀ ଚାଷୀମାନେ ମାଣ୍ଡିଆ ଚାଷ କରିଥାଆନ୍ତି। କିନ୍ତୁ ଏବେ ଓଡ଼ିଶାର ମିଲେଟ୍ ମିସନ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି। ଜାତିସଂଘ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିଛି। ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ହୋଇଛି। ଏହି ଅବସରରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ ୨୦୧୭ ମସିହାରେ ଓଡ଼ିଶା ମିଲେଟ୍ ମିସନ ଜନ୍ମ ନେଇଥିଲା। ଭାରତ ସରକାର ଏବଂ ନୀତି ଆୟୋଗ ଏହାର କାର୍ଯ୍ୟ ପ୍ରଣାଳୀକୁ ଅନ୍ୟ ରାଜ୍ୟରେ ପ୍ରୋତ୍ସାହିତ କରିବା ପାଇଁ ଅନୁମୋଦନ କରିଛନ୍ତି। ଏହି ଚାଷ ପାଇଁ ଖୁବ କମ ପାଣି, ଖତସାର ଏବଂ ଔଷଧ ଦରକାର। ଜଳବାୟୁ, ପାଣିପାଗର ଅନିୟମିତତା ପରିପ୍ରେକ୍ଷୀରେ ଜଳବାୟୁ ସହଣି ଶସ୍ୟ ଭାବରେ ଏହାକୁ ବିବେଚନା କରାଯାଉଛି।
ମାଣ୍ଡିଆକୁ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ, ପୋଷଣ କାର୍ଯ୍ୟକ୍ରମ, ସମନ୍ବିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ନବନିର୍ମିତ ଓଡ଼ିଶା ମିଲେଟ୍ ମିସନ ସେଲ୍ ଉଦ୍ଘାଟିତ ହୋଇଥିଲା। ଦେଶ ବିଦେଶରେ ଓଡ଼ିଶା ମିଲେଟ୍ ମିସନ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଏହାର କାର୍ଯ୍ୟକାରିତା ପାଇଁ ସୁନିୟନ୍ତ୍ରିତ ସେଲ୍ ଗଠନ କରାଯାଇଛି। କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ମହିଳା, ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଆର୍ ବାଲ୍କ୍ରିଷ୍ଣନ୍, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ମିସନ ଶକ୍ତି ବିଭାଗ କମିସନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାଣ୍ଡିଆ ଚାଷର ସଫଳ ଚାଷୀମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏଥିସହିତ ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।