ରାଜ୍ୟର ୩୫ ବ୍ଲକରେ ହେବ ମଡେଲ୍‌ ବସ୍‌ଷ୍ଟାଣ୍ଡ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜିଲ୍ଲାର ୩୫ଟି ବ୍ଲକ୍‌ରେ ମଡେଲ୍‌ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ଢେଙ୍କାନାଳ ଓ ନୂଆପଡ଼ାରେ ଦୁଇଟି ଜିଲ୍ଲାସ୍ତରୀୟ ବସ୍‌ଷ୍ଟାଣ୍ଡ କରାଯିବ। ସ୍ଥାନୀୟ ଅଞ୍ଚଳର ଜନ ସଂଖ୍ୟା, ବ୍ୟବସାୟିକ କାରବାର, ସ୍ଥାନର ଗୁରୁତ୍ବ ଓ ବସ୍‌ ଚଳାଚଳକୁ ଦେଖି ଛୋଟ, ମଧ୍ୟମ ଓ ବଡ଼ ତିନିଟି ବର୍ଗରେ ବସ୍‌ଷ୍ଟାଣ୍ଡକୁ ବର୍ଗୀକରଣ କରାଯାଇଛି। ଛୋଟ ବସ୍‌ଷ୍ଟାଣ୍ଡ ପାଇଁ ଅତିକମ୍‌ରେ ଏକ ଏକର ଜମି ଆବଶ୍ୟକତା ଥିବା ବେଳେ ମଧ୍ୟମ ଓ ବଡ଼ ପାଇଁ ସର୍ବାଧିକ ଅଢ଼େଇ ଏକର ଜମିରେ ବସ୍‌ଷ୍ଟାଣ୍ଡଗୁଡ଼ିକୁ ନିର୍ମାଣ କରାଯିବ। ଏଥିପାଇଁ ବ୍ଲକ୍‌ ଓ ଜିଲ୍ଲାରେ ଜମି ଚିହ୍ନଟ ସରିଛି। ଓଏସ୍‌ଆର୍‌ଟିସିର ଓଏସ୍‌ଡି ଦୀପ୍ତି ମହାପାତ୍ର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଭେଟି ପ୍ରକଳ୍ପଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ପ୍ରତି ବସ୍‌ଷ୍ଟାଣ୍ଡ ନିର୍ମାଣ ବାବଦକୁ ୨କୋଟିରୁ ୫କୋଟି ଟଙ୍କା ଖର୍ଚ୍ଚ ହେବ। ସେଠାରେ ମାର୍କେଟ୍‌ କମ୍ପ୍ଲେକ୍ସଠାରୁ ଆରମ୍ଭ କରି ଫୁଡ୍‌ କୋର୍ଟ, ଶୌଚାଳୟ, ପାନୀୟ ଜଳ, ଟିକେଟ୍‌ କାଉଣ୍ଟର ଭଳି ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ମୌଳିକ ସୁବିଧା ରହିବ। ଯାତ୍ରୀ ଓ ଗାଡ଼ି ଚାଳକମାନଙ୍କ ବିଶ୍ରାମ, ରାତ୍ରୀଯାପନ ପାଇଁ ଘର ମଧ୍ୟ ରହିବ। ସେହିପରି ବସ୍‌ ବେ’ ମଧ୍ୟ ହେବ।

ପ୍ରଥମ ପର୍ଯ୍ୟାୟରେ ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ଝାରସୁଗୁଡ଼ା, କେନ୍ଦୁଝର, ଗଜପତି, ରାୟଗଡ଼ା, କୋରାପୁଟ, ନବରଂଗପୁର ଆଦି ଜିଲ୍ଲାରେ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ବସ୍‌ଷ୍ଟାଣ୍ଡଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯିବ ବୋଲି ବିଚାର କରାଯାଉଛି। ଏହାଛଡ଼ା ସୁରକ୍ଷା ବ୍ୟବସ୍ଥା ଲାଗି ବସ୍‌ଷ୍ଟାଣ୍ଡଗୁଡ଼ିକର କୋଣ ଅନୁକୋଣରେ ସିସିଟିଭି ଖଞ୍ଜା ଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଅହୁରି ୩୫-୪୦ ବ୍ଲକ୍‌ରେ ଅର୍ଥତ ରାଜ୍ୟର ୭୦ବ୍ଲକରେ ଏଭଳି ମଡେଲ୍‌ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଯୋଜନା ରହିଛି ବୋଲି ଓଏସ୍‌ଡି ଶ୍ରୀମତୀ ମହାପାତ୍ର କହିଛନ୍ତି।

ତେବେ ୨୦୧୮ ମସିହାରେ ରାଜ୍ୟର ୫୧ଟି ବ୍ଲକରେ ମଡେଲ୍‌ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ରାଜ୍ୟ ସରକାର ଘୋଷଣା କରିଥ‌ିଲେ। ୪୩ଟି ବ୍ଲକ୍‌ରେ ଜମି ଚିହ୍ନଟ ହୋଇଥିବା ବେଳେ ବାକି ୮ଟିରେ ଜମି ଚିହ୍ନଟ ହୋଇପାରି ନଥିଲା। ଆଉ ଏହାପରେ କରୋନା ପ୍ରଭାବ ଯୋଗୁଁ ପ୍ରକଳ୍ପ ଅଧାବାଟରେ ଅଟକିଥିଲା। ସ୍ଥିତି ସୁଧାର ଆସିବା ପରେ ଏବେ ପ୍ରଥମ ପର୍ଯ୍ୟାୟରେ ୩୫ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପାଇଁ ଚୂଡ଼ାନ୍ତ ହୋଇଛି। ପାଖାପାଖି ୭୦ଟି ବସ୍‌ଷ୍ଟାଣ୍ଡ ପାଇଁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର