ପୁରୀ: ଶ୍ରୀମନ୍ଦିର ସୁରକ୍ଷା ସହ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ। ସ୍ବତନ୍ତ୍ର ଟିମ୍ ତିରୁପତି ମନ୍ଦିର ସମେତ ଅନ୍ୟ ବଡ଼ବଡ଼ ମନ୍ଦିର ବୁଲିବାକୁ ଯିବ। ସେଠାକାର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ପରେ ପ୍ରସ୍ତାବ ଦେବ। ସେହି ପ୍ରସ୍ତାବ ଆଧାରରେ ପ୍ରସ୍ତୁତ ହେବ ବ୍ୟାପକ ନିରାପତ୍ତା ଯୋଜନା (କମ୍ପ୍ରିହେନ୍ସିଭ୍ ସିକ୍ୟୁରିଟି ପ୍ଲାନ୍)। ଯଦି ସରକାରଙ୍କ ସ୍ବୀକୃତି ଆଣିବାକୁ ହୁଏ, ଅଣାଯିବ ବୋଲି ଆଜି ବସିଥିବା ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ସବ୍କମିଟି ଅଧ୍ୟକ୍ଷ ଗିରୀଶ ଚନ୍ଦ୍ର ମୁର୍ମୁ।
ପ୍ରାଥମିକ ପର୍ଯ୍ୟାୟରେ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ କାର୍ଯ୍ୟକ୍ଷମ ହେବ। ଶ୍ରୀମନ୍ଦିର ବଳୟ ଭିତରକୁ ଡ୍ରୋନ୍ ଉଡ଼ି ଆସିଲେ ଆପେ ଆପେ ଖସି ପଡ଼ିବ। ରେଡ୍ ଜୋନ୍ ଘୋଷଣା କରାଯାଇଥିବାରୁ ଏହା କିଭଳି ବାସ୍ତବ ରୂପ ନେବ, ସେ ନେଇ ଯୋଜନା ହେବ। ମୋବାଇଲ୍ ପ୍ରବେଶ ଉପରେ କଟକଣା କଡ଼ାକଡ଼ି କରାଯିବ। ଅନେକ ସମୟରେ ଧରାପଡ଼ିବା ପରେ ଭକ୍ତମାନେ ପଚାରୁଛନ୍ତି କି, ପୁଲିସ କର୍ମଚାରୀ ମୋବାଇଲ୍ରେ ବସି ରିଲ୍ସ ଦେଖୁଛନ୍ତି, ସେମାନଙ୍କ ଉପରେ କେବେ କଟକଣା ହେବ? ଏଣୁ ପ୍ରଥମେ ପୁଲିସ କର୍ମଚାରୀଙ୍କ ମୋବାଇଲ୍ ବନ୍ଦ କରାଯିବ। ସେମାନଙ୍କୁ ୱକି-ଟକି ପ୍ରଦାନ କରାଯିବ।
ସୁରକ୍ଷା ସବ୍କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
ଟିମ୍ ଯିବ ତିରୁପତି ମନ୍ଦିର
ଆଣ୍ଟିଡ୍ରୋନ୍ ସିଷ୍ଟମ୍ ଖୁବ୍ଶୀଘ୍ର
ଲାଗିବ ଏଆଇ କ୍ଷମତା ସମ୍ପନ୍ନ କ୍ୟାମେରା
ନିକଟ ଅତୀତରେ ଶ୍ରୀମନ୍ଦିର ବାହାରେ ଏକ କାନ୍ଥ ଲେଖାକୁ ନେଇ ବିବାଦ ହୋଇଥିଲା। କାନ୍ଥରେ କିଏ ଲେଖିଲା ତାକୁ ଖୋଜିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସିସିଟିଭି ଖୋଜିଥିଲା। ଜଣାପଡ଼ିଥିଲା କି ସିସିଟିଭି ଲାଗିଛି, ହେଲେ ମେସିନ୍ରେ ବ୍ୟାକ୍ଅପ୍ ବ୍ୟବସ୍ଥା ନାହିଁ। ଆଜିର ଫୁଟେଜ୍, ଆସନ୍ତାକାଲି ଦେଖିବା ଭଳି ସୁବିଧା ନାହିଁ। ଏଣୁ ପୁରୁଣା ସିସିଟିଭି କ୍ୟାମେରାକୁ ହଟାଇ, ନୂଆ ଏଆଇ କ୍ଷମତା ସମ୍ପନ୍ନ କ୍ୟାମେରା ଲାଗିବାକୁ ଯୋଜନା ହୋଇଛି। ଫେସିଆଲ୍ ରେକୋଗ୍ନିସନ ସହ ଅନ୍ୟ ସମସ୍ତ ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ କ୍ୟାମେରା ଲାଗିବ। ଓବିସିସି ପ୍ରସ୍ତୁତ କରିଥିବା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ। ଏହାକୁ ପୁଲିସ ନିୟନ୍ତ୍ରଣ କରିବ। ପହୁଡ଼ ପର୍ଯ୍ୟନ୍ତ ସିସିଟିଭି ମରାମତି ଓ ତଦାରଖ ପାଇଁ ସ୍ବତନ୍ତ୍ର କର୍ମଚାରୀ ବସି ରହିବେ। ଶ୍ରୀମନ୍ଦିର ପ୍ରତ୍ୟେକ ପ୍ରବେଶ ପଥରେ ୪ଟି ବ୍ୟାଗେଜ୍ ସ୍କାନର୍ ଲାଗିବ। ତା ସହିତ ଯେଉଁ ମେଟାଲ୍ ଡିଟେକ୍ଟର ଖରାପ ହୋଇଯାଇଛି ତାହାକୁ ପରିବର୍ତ୍ତନ କରାଯିବ। ପ୍ରତ୍ୟେକ ପ୍ରବେଶ ପଥ ସମେତ ବାରିକେଡ୍ ଆରମ୍ଭରୁ ଡିଜିଟାଲ୍ ଡିସ୍ପ୍ଲେ ବୋର୍ଡ ଲାଗିବ। ଡାକବାଜି ଯନ୍ତ୍ର ମଧ୍ୟ ରହିବ। ଶ୍ରୀମନ୍ଦିର ଭିତରର ପ୍ରତିଟି ସୂଚନା ଭକ୍ତଙ୍କ ପାଖରେ ପହଞ୍ଚି ପାରିବ। ଭିତ୍ତିଭୂମି ବିକାଶ ସହ ନୂଆନୂଆ ଜ୍ଞାନକୌଶଳ ତଥା ଉନ୍ନତମାନର ଯନ୍ତ୍ରପାତି, ମାନବସମ୍ବଳ ସହ ସିକ୍ୟୁରିଟି ଡ୍ରିଲ୍ ପ୍ରୋଟୋକଲକୁ ମଜଭୁତ କରିବାକୁ ଯୋଜନା ହୋଇଛି। ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ପାଇଁ ବହୁ ଦିନ ହେବ ମାନସମନ୍ଥନ ଚାଲିଛି। ଗାର୍ବେଜ୍ ଚ୍ୟୁଟ୍ ବାଟ ଦେଇ ରଥ ସମୟରେ କିଛି ଭକ୍ତ ଚଢ଼ି ଯାଇଥିବା ଦେଖାଯାଇଥିଲା। ଏହାକୁ ତାରବାଡ଼ କରାଯିବ। ଶ୍ରୀମନ୍ଦିର ଭିତରେ ତିନିଟି ଆଉଟ୍ ପୋଷ୍ଟ ହେବ। ସିଂହଦ୍ବାର ଥାନା ଓ ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍ କାର୍ଯ୍ୟାଳୟ ପାଇଁ ଜମି ଯୋଗାଇ ଦେବାକୁ ଆଲୋଚନା ହୋଇଛି।
ଏସ୍ପି ପ୍ରତୀକ ସିଂହ କହିଛନ୍ତି, ପାର୍କିଂ ଓ ରେଲୱେ ଷ୍ଟେସନରେ ଶ୍ରୀମନ୍ଦିର ନୀତିକାନ୍ତି ବାବଦରେ ସୂଚନା ଘୋଷଣା ସହ ଡିସ୍ପ୍ଲେ କରାଯିବ। ପୁଲିସ ଓ ସୁରକ୍ଷାକର୍ମୀଙ୍କ ପାଇଁ ଅଧିକ ବଡି କ୍ୟାମେରା ବ୍ୟବସ୍ଥା କରାଯିବ। ଭକ୍ତଙ୍କ ସହ କିଭଳି ବ୍ୟବହାର କରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ। ଶ୍ରୀମନ୍ଦିର ବାହାରେ ଓ ଭିତରେ କିଭଳି ଭିଡ଼ ନିୟନ୍ତ୍ରଣ ହୋଇ ପାରିବ, ଜରୁରିକାଳୀନ ପରିସ୍ଥିତିର ମୁକାବିଲା ନେଇ ଆଲୋଚନା ହୋଇଛି। ଶ୍ରୀମନ୍ଦିରର ସୁରକ୍ଷା ପାଇଁ କ୍ୱିକ୍ ରେସପନ୍ସ ଟିମ୍ ନିଯୁକ୍ତ ହେବେ। କମିଟିର ଅନ୍ୟତମ ସଦସ୍ୟ ମାଧବ ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।