ସର୍ବଦଳୀୟ ବୈଠକରେ ନିଷ୍ପତ୍ତି: କୋଟିଆରେ ନିର୍ବାଚନ ହେବନି, ସହମତିରେ ପ୍ରାର୍ଥୀ

କୋରାପୁଟ : ସବୁ ଦଳ ଏକମତ ହେଲେ। କୋଟିଆ ପାଇଁ ନେଲେ ବଡ଼ ନିଷ୍ପତ୍ତି। ଆନ୍ଧ୍ରର ମନ୍ଦ ଉଦ୍ଦେଶ୍ୟକୁ କଡ଼ା ଜବାବ ଦେବାକୁ ରଣନୀତି ଚୂଡ଼ାନ୍ତ ହୋଇଛି। ନିର୍ବାଚନ ବଦଳରେ ସମସ୍ତଙ୍କ ସହମତିରେ ଲୋକପ୍ରତିନିଧି ମନୋନୀତ କରିବାକୁ ଗୁରୁବାର ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। କୋରାପୁଟ ଜିଲ୍ଲା ନିର୍ବାଚନ ଇତିହାସରେ ପ୍ରଥମଥର ପାଇଁ ଏମିତି ହେବାକୁ ଯାଉଛି।

ନିର୍ବାଚନ ଭଣ୍ଡୁର କରିବାକୁ ଆନ୍ଧ୍ର ଯୋଜନା ପ୍ରସ୍ତୁତ କରୁଥିଲା। ଏପରିକି ଆନ୍ଧ୍ରର ଏଜେଣ୍ଟ ଘର ଘର ବୁଲି‌ ଲୋକଙ୍କୁ ନିର୍ବାଚନରେ ମତଦାନ ନ କରିବାକୁ ମତାଉଥିଲେ। ଅନ୍ୟପଟେ କୋଟିଆର ସ୍ବାଭିମାନ ଏବଂ ଅଖଣ୍ଡତାକୁ ନେଇ ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ମାନସ ମନ୍ଥନ ଚାଲିଥିଲା। ବିନା ମନାନ୍ତର ଏବଂ ମତାନ୍ତରରେ ଏଠାରୁ ଲୋକ ପ୍ରତିନିଧି ନିର୍ବାଚିତ କରିବାକୁ ଯୋଜନା ହୋଇଥିଲା। ଏଥିରେ ଆଜି ଆନୁଷ୍ଠାନିକ ଭାବେ ମୋହର ବାଜିଛି। ଆଗକୁ କିଏ ପ୍ରାର୍ଥୀ ହେବ ଏବଂ କୋଟିଆରେ କେମିତି ଶାନ୍ତିଶୃଙ୍ଖଳା ବଜାୟ ରହିବ, ସେ‌ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଆଜି କୋରାପୁଟରେ ସର୍ବଦଳୀୟ ବୈଠକ ବସିଥିଲା। ବିଜେଡି ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିଜେପି ପ୍ରତିନିଧି ଭାବେ ଜୟରାମ ପାଙ୍ଗି, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ରାମଚନ୍ଦ୍ର କାଡ଼ାମ ପ୍ରମୁଖ ଉପସ୍ଥିତ ଥିଲେ। କୋଟିଆ ମାଟିର ସୁରକ୍ଷା ଓ ଅଖଣ୍ଡତାକୁ ଏହି ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ତେଣୁ ୱାର୍ଡସଭ୍ୟ ଠାରୁ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ କୌଣସି ଗୋଟିଏ ବି ଆସନରେ ପ୍ରତିଦ୍ବନ୍ଦ୍ବିତା ହେବନାହିଁ। ସମସ୍ତଙ୍କ ମତାମତ ନେଇ ମନୋନୀତ ପ୍ରାର୍ଥୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରାଯିବ। ଏମିତି ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ ଯିଏ କୌଣସି ଦଳର ସଦସ୍ୟ କିମ୍ବା ସମର୍ଥକ ହୋଇ ନ ଥିବେ। କୋଟିଆ ମାଟି ପାଇଁ ଲଢ଼େଇ କରୁଥିବା ଏବଂ ସେଠାକାର ବ୍ୟକ୍ତିଙ୍କୁ ହିଁ ଲୋକପ୍ରତିନିଧି ଭାବେ ମନୋନୀତ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା।

ଆନ୍ଧ୍ର ପକ୍ଷରୁ ଗତବର୍ଷ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ଓଡ଼ିଶା ପ୍ରବଳ ବିରୋଧ କରିଥିଲା। ଏବେ ଓଡ଼ିଶା ନିର୍ବାଚନ କରିବାକୁ ଯାଉଥିବା ବେଳେ ଆନ୍ଧ୍ର ବି ବିରୋଧ କରିବାର ସଂକେତ ମିଳୁଛି। ଏମିତି ସ୍ଥିତିରେ ବିବାଦକୁ ଏଡ଼ାଇବା ସହ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏପରିକି ଆଗାମୀ ଦିନରେ ଆନ୍ଧ୍ରର ଅନୁପ୍ରବେଶକୁ ସଂଗଠିତ ହୋଇ ବିରୋଧ କରିବା ପାଇଁ ଏହି ବୈଠକରେ ମୂଳଦୁଆ ପଡ଼ିଥିବା ଜଣାପଡ଼ିଛି। ସର୍ବଦଳୀୟ କମିଟିର ନିଷ୍ପତ୍ତିକୁ ଜିଲ୍ଲାର ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଅପରପକ୍ଷରେ ପଞ୍ଚାୟତ ନିର୍ବାଚନ ପାଇଁ କୋଟିଆରୁ ୭ରୁ ଅଧିକ ଶିକ୍ଷିତ ଯୁବକ ସରପଞ୍ଚ ପଦବି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେଣୁ ସେମାନେ ସର୍ବଦଳୀୟ କମିଟିର ନିଷ୍ପତ୍ତି ଅନୁଯାୟୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବ ନା ଆଉ କିଛି ସମାଧାନର ରାସ୍ତା ବାହାରିବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର