ଏ ବର୍ଷ ବିଦ୍ୟୁତ୍‌କାଟ ‌ହେବନି

ଦର ବୃଦ୍ଧି ନ କରିବାକୁ ସରକାରଙ୍କ ପ୍ରସ୍ତାବ, ୨୩ରେ ଆସିବ ଓଇଆରସିଙ୍କ ରାୟ

ଭୁବନେଶ୍ୱର : ଗ୍ରାହକଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ କରିବାକୁ ବିଦ୍ୟୁତ ଉତ୍ପାଦନ, ପରିବହନ ଓ ବିତରଣ କ୍ଷେତ୍ରରେ ଶକ୍ତି ବିଭାଗ ଅନେକ ପଦକ୍ଷେପ ନେଇଛି। ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବାକୁ ୨୦୧୯ରେ ଓପିଜିସି ଏହାର ଉତ୍ପାଦନ କ୍ଷମତାକୁ ୧,୩୨୦ ମେଗାୱାଟ୍‌କୁ ବୃଦ୍ଧି କରିଛି। ଏବେ ରାଜ୍ୟରେ ପ୍ରାୟ ୭,୨୯୦ ମେଗାୱାଟ୍‌ ବିଦ୍ୟୁତ୍‌ ଉପଲବ୍ଧ ଥିବାରୁ ରାଜ୍ୟର ହାରାହାରି ସର୍ବୋଚ୍ଚ ବିଦ୍ୟୁତ୍‌ ଶକ୍ତି ଚାହିଦା (୪,୫୦୦ରୁ ୫,୦୦୦ ମେଗାୱାଟ୍‌) ସୁରୁଖୁରୁରେ ପୂରଣ ହୋଇପାରୁଛି। ଗ୍ରାହକଙ୍କୁ କମ୍‌ ଦରରେ ଗୁଣାତ୍ମକ ବିଦ୍ୟୁତ୍‌ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ବଦ୍ଧପରିକର। ତେଣୁ ଗ୍ରାହକଙ୍କ ସ୍ବାର୍ଥକୁ ନଜରରେ ରଖି ୨୦୨୩-୨୪ ଆର୍ଥିକ ବର୍ଷରେ ବିଦ୍ୟୁତ୍‌ ଦର ବୃଦ୍ଧି ନ କରିବାକୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି) ନିକଟରେ ରାଜ୍ୟ ସରକାର ପ୍ରସ୍ତାବ ରଖିଛନ୍ତି, ଯାହାର ରାୟ ଆସନ୍ତା ୨୩ ତାରିଖରେ ଓଇଆରସି ଶୁଣାଇବେ। ଏଥିସହ ପିକ୍‌ ସମୟରେ ବିଦ୍ୟୁତ୍‌ କାଟ୍‌ ନ କରିବାକୁ ବିତରଣ ସଂସ୍ଥାଗୁଡ଼ିକୁ କୁହାଯାଇଛି। ମଝିରେ ମଝିରେ ଯେଉଁ ବିଦ୍ୟୁତ୍‌ କଟୁଛି ତାହା ବିଦ୍ୟୁତ୍‌ କାଟ ନୁହେଁ। ବରଂ ୩୩ କେଭି, ୧୧କେଭି ଓ ଏଲ୍‌ଟି ଲାଇନ୍‌ରେ ମରାମତି ପାଇଁ ବିଦ୍ୟୁତ୍‌ କାଟିବାକୁ ପଡ଼ୁଛି ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି।

ଅଗଷ୍ଟ ସୁଦ୍ଧା ସବୁ ପରିବାରକୁ ବିଦ୍ୟୁତ୍‌ ସଂଯୋଗ
ଲୋ-ଭୋଲଟେଜ୍‌ ଏଡ଼ାଇବାକୁ ସ୍ବତନ୍ତ୍ର ଯୋଜନା

lmd.lk

ଗୀତଗୋବିନ୍ଦ ସଦନରେ ଆୟୋଜିତ ଶକ୍ତି ବିଭାଗ ବଜେଟ୍‌ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ଉପାନ୍ତ ଅଞ୍ଚଳରେ ସୃଷ୍ଟି ହେଉଥିବା ଲୋ-ଭୋଲଟେଜ୍‌ ସମସ୍ୟାର ସମାଧାନ ପାଇଁ ବଜେଟ୍‌ରେ ଯଥାସାଧ୍ୟ ବ୍ୟବସ୍ଥା ହୋଇଛି। ଭୋଲଟେଜ୍‌ରେ ଉନ୍ନତି ପାଇଁ ୨୦୨୪ ମାର୍ଚ୍ଚ ସୁଦ୍ଧା ୧୦୦ରୁ ଅଧିକ ୩୩/୧୧ କେଭି ସବ୍‌-ଷ୍ଟେସନ୍‌ କାର୍ଯ୍ୟକ୍ଷମ ହେବ। ଏଥିସହ ବିପର୍ଯ୍ୟୟ ନିରୋଧୀ ଶକ୍ତି ଭିତ୍ତିଭୂମି ନିର୍ମାଣ ପାଇଁ, ରେଡିଆଲ୍‌ ଟୁ ରିଙ୍ଗ୍‌ କନଭର୍ସନ୍‌ ପ୍ରୋଜେକ୍ଟର ଦ୍ୱିତୀୟ ପର୍ଯ୍ୟାୟ, ରାଜଧାନୀ ଅଞ୍ଚଳରେ ଶକ୍ତି ଭିତ୍ତିଭୂମି ଉନ୍ନତିକରଣ ଓ ବିପର୍ଯ୍ୟୟ ନିରୋଧୀ ଶକ୍ତି ବ୍ୟବସ୍ଥା ଭଳି ଯୋଜନା କାର୍ଯ୍ୟକାରୀ କରିବାକୁ ସ୍ଥିର ହୋଇଛି। ନୂତନ ଯୋଜନା ଭାବେ ସବୁଜ ଶକ୍ତି ପରିବହନ କରିଡର ଓ ଓଡ଼ିଶା ନବୀକରଣୀୟ ଶକ୍ତି ବିକାଶ ପାଣ୍ଠି ଲାଗି ୫୦ କୋଟି ଲେଖାଏ ବ୍ୟୟବରାଦ ହୋଇଛି। ପରିଣାମ ସ୍ବରୂପ ୨୦୩୦ ସୁଦ୍ଧା ଆମେ ୧୦ ହଜାରରୁ ଅଧିକ ମେଗାୱାଟ୍‌ ଅକ୍ଷୟ ଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛୁ। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ମଧ୍ୟରେ ଓଡ଼ିଶା ବିଦ୍ୟୁତ ବିତରଣ ସଶକ୍ତିକରଣ କାର୍ଯ୍ୟକ୍ରମ ଲାଗି ୮୩୨.୫ କୋଟି, ରାଜ୍ୟ ରାଜଧାନୀ ଅଞ୍ଚଳ ବିଦ୍ୟୁତ ବ୍ୟବସ୍ଥା ଉନ୍ନତୀକରଣ ଯୋଜନା ଲାଗି ୩୬୪.୯୮ କୋଟି, ବିପର୍ଯ୍ୟୟ ନିରୋଧୀ ଶକ୍ତି ବ୍ୟବସ୍ଥା ପାଇଁ ୧୦୦ କୋଟି ବ୍ୟୟବରାଦ କରାଯାଇଛି। ରାଜ୍ୟର ସମସ୍ତ ହାଇସ୍କୁଲରେ ଶକ୍ତି କ୍ଲବ ଗଠନ କରିବା ପାଇଁ ପ୍ରସ୍ତାବ ରହିଛି। ୨୦୨୩ ଅଗଷ୍ଟ ସୁଦ୍ଧା ବିଦ୍ୟୁତ୍‌ ସେବାରୁ ବଞ୍ଚିତ ସମସ୍ତ ପରିବାରକୁ ବିଦ୍ୟୁତ୍‌କରଣ କରିବା ଲାଗି ୧୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ସେ ସୂଚନା ଦେଇଥିଲେ।

ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଲେ ଗ୍ରିଡକୋ ୟୁନିଟ୍‌ ପିଛା ହାରାହାରି ୩.୧୨ ଟଙ୍କାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଡିସକମ୍‌ମାନଙ୍କୁ ବଲ୍କରେ ଶକ୍ତି ଯୋଗାଉଛି, ଯାହା ସର୍ବଭାରତୀୟସ୍ତରଠାରୁ ବହୁତ କମ୍‌। ୨୦୨୨ ଡିସେମ୍ବର ୩୧ ସୁଦ୍ଧା, ଗ୍ରିଡକୋର ବକେୟା ଦେୟ ପାଖାପାଖି ୬ ହଜାର ୫୦୦ କୋଟି ଟଙ୍କା ରହିଛି। ତେଣୁ ରାଜ୍ୟ ସରକାର ଗ୍ରିଡକୋକୁ ବାର୍ଷିକ ୫% ସୁଧହାରରେ ଓ ୫ ବର୍ଷର ମୋରାଟୋରିଅମ୍‌ ଅବଧିରେ ଋଣ ଦେବା ଆରମ୍ଭ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ୭୦୦ କୋଟି ଟଙ୍କା ଋଣ ପ୍ରଦାନର ପ୍ରସ୍ତାବ ଦିଆଯାଇଛି। ଓପିଜିସିକୁ ୧୩୮ କୋଟି ଓ ଓପିଟିସିଏଲ୍‌କୁ ୧୦୦ କୋଟି ଟଙ୍କାର ଅଂଶଧନ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର