ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଲଗାତାର ଅଷ୍ଟମ ବର୍ଷ ପାଇଁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନରୁ ଦୂରେଇ ରହିଲେ ରାଜ୍ୟ ସରକାର। ଦଶହରା ଛୁଟି ପୂର୍ବରୁ ସାଧାରଣତଃ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଥର ସେମିତି କିଛି କରାଗଲା ନାହିଁ। ରାଜ୍ୟ ସରକାର ସକାରାତ୍ମକ ରହିଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହୁଥିଲେ ମଧ୍ୟ ନିର୍ବାଚନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ। ୨୦୨୪ରେ ଏବର୍ଷ ନୁହେଁ, ଆର ବର୍ଷକୁ ନିର୍ବାଚନ ହେବ ବୋଲି କହିଥିବା ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କୁ ଭଣ୍ଡାଇ ଦେଇଛନ୍ତି।
ନିର୍ବାଚନ ବନ୍ଦ ହେବା ନେଇ ରାଜ୍ୟ ସରକାର ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି ସତ। ମାତ୍ର ଯେଉଁ ସମୟରେ ନିର୍ବାଚନ ହେବା କଥା, ତାହା ହୋଇପାରିଲା ନାହିଁ। ଆଗକୁ ହେବାର ସମ୍ଭାବନା ମଧ୍ୟ ନାହିଁ। କାରଣ ହଶହରା ଛୁଟି ପରେ କ୍ୟାମ୍ପସରେ ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ। କାରଣ ଏହାପରେ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ସାଙ୍ଗକୁ କ୍ୟାମ୍ପସରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ତେଣୁ କ୍ୟାମ୍ପସର ଶୈକ୍ଷିକ ବାତାବରଣ ନଷ୍ଟ କରିବାକୁ ରାଜ୍ୟ ସରକାର ଚାହିଁବେ ନାହିଁ। ତା’ ବଦଳରେ ବିଜେଡି ସମୟରେ ଯେପରି ନିର୍ବାଚନ ବନ୍ଦ ରହିଥିଲା, ଏବେ ମଧ୍ୟ ସେହି ଆଳରେ ନିର୍ବାଚନକୁ ଟାଳି ଦେଇଛନ୍ତି। ବିଜେଡି ସରକାର ଲଗାତାର ୬ ବର୍ଷ ଧରି କ୍ୟାମ୍ପସରେ ନିର୍ବାଚନ କରି ନ ଥିଲେ। ଆଶା ଥିଲା ନୂଆ ସରକାର ଆସିବା ପରେ ଏଦିଗରେ ପଦକ୍ଷେପ ନେବେ। ମାତ୍ର ତାହା ହୋଇପାରି ନାହିଁ। ବିଜେପି ସରକାରରେ ଲଗାତାର ଦ୍ବିତୀୟ ଥର ପାଇଁ କ୍ୟାମ୍ପସରେ ନିର୍ବାଚନ ବନ୍ଦ ହେବାକୁ ଯାଉଛି।
ରାଜ୍ୟରେ ଶାସନାଧୀନ ବିଜେପି ସରକାରର ବହୁ ବିଧାୟକ ଓ ଦଳୀୟ ନେତାମାନେ ନିର୍ବାଚନ ପ୍ରସଙ୍ଗରେ ଏବେ ମଧ୍ୟ ନିରବ। ବିରୋଧୀ ଦଳ ପଟୁ ବି ଜୋର୍ଦାର ଚାପ ଆସିବାର ନାହିଁ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ନିର୍ବାଚନ ଝାମେଲାରୁ ଦୂରେଇ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ଅଲିଖିତ ଅବଗତ କରାଇଛନ୍ତି। ତେଣୁ ସମସ୍ତ ସ୍ଥିତିକୁ ବିଚାରକୁ ନେଇ ରାଜ୍ୟ ସରକାର ଏବର୍ଷ ଛାତ୍ର ସଂସଦ ନିର୍ବାଚନଠାରୁ ଦୂରେଇ ରହିଛନ୍ତି। ବିଜେପିର ବିଧାୟକ ଓ ତୃଣମୂଳ ସ୍ତରର ନେତାମାନେ ମଧ୍ୟ ନିର୍ବାଚନ ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଏବେ କିପରି ପଞ୍ଚାୟତକୁ ନିୟନ୍ତ୍ରଣକୁ ଆଣି ବିକାଶମୂଳକ କାର୍ଯ୍ୟ ଜୋର୍ଦାର କରିବେ, ତାହା ଉପରେ ସେମାନେ ଫୋକସ୍ ଦେଉଛନ୍ତି। କ୍ୟାମ୍ପସ୍ଗୁଡ଼ିକରେ ସଂଗଠନ ସଜାଡ଼ିବାକୁ ସମୟ ଦେଇ ନାହାନ୍ତି। ତେଣୁ ଚଳିତ ବର୍ଷ ନିର୍ବାଚନ ଟାଳି ଦେବାକୁ ବହୁ ବିଧାୟକ ମୌଖିକ ଭାବେ ସରକାରଙ୍କୁ ଅବଗତ କରାଇବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।