ଆଜି ସୃଷ୍ଟି ହେବ ଅବପାତ, ଓଡ଼ିଶାରେ ପବନ ସହ ବର୍ଷା

ବିଦାୟ ନେଲା ମୌସୁମୀ, ଦୀପାବଳିରେ ପାଗ ଶୁଖିଲା: ପଶୁପାଳକ

ଭୁବନେଶ୍ବର : ଓଡ଼ିଶାରୁ ବିଦାୟ ନେଇଛି ମୌସୁମୀ। ଆଜି ସାରାରାଜ୍ୟରୁ ଅପସରି ଯାଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅପରପକ୍ଷେ ରାଜ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ଆଶଙ୍କା ଟଳିଥିବା ବେଳେ ୨୩ରୁ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପବନ ବହିବା ଆରମ୍ଭ ହୋଇଯିବ। ୨୪ତାରିଖ ସକାଳୁ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହେବ ଓ କିଛି ଅଞ୍ଚଳରେ ପାଗ ମେଘୁଆ ରହିବ। ୨୬ ତାରିଖ ଯାଏ ଉପକୂଳରେ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୪ଘଣ୍ଟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତର ରୂପ ନେବ। ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଉତ୍ତରପଶ୍ଚିମ ଆଡ଼କୁ ଗତ କରି ଅଧିକ ଘନୀଭୂତ ହେବ ଓ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୨୩ ତାରିଖ ବେଳକୁ ଏକ ଗଭୀର ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟ‌ରେ ଏହା ଦିଗ ବଦଳାଇବା ସହ ଧୀରେ ଧୀରେ ଉତ୍ତରକୁ ଗତି କରି ଅଧିକ ଘନୀଭୂତ ହେବ। ୨୪ ତାରିଖ ଦିନ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ। ଏହାପରେ ବାତ୍ୟାଟି ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ଅତିକ୍ରମ କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ପହଞ୍ଚିବ।

Sambad English

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ ତାରିଖରେ ମଝି ସମୁଦ୍ର ସମେତ ଓଡ଼ିଶା ଉପକୂଳ ଓ ଆଖପାଖ ଅଞ୍ଚଳରେ ଝଡ଼ ପବନର ବେଗ ଘଣ୍ଟାପ୍ରତି ୩୫ କିମିରୁ ୪୫ କିମି ରହିବ। ଏହି ସମୟରେ ଘଣ୍ଟା ପ୍ରତି ୫୫କିମି ବେଗରେ ପବନର ଝଟ୍‌କା ଅନୁଭୂତ ହେବ। ଓଡ଼ିଶା ଉପରେ ବିଶେଷ ନ ରହିଲେ ମଧ୍ୟ ଉପକୂଳ ଜିଲ୍ଲାଗୁଡ଼ିକର କିଛି କିଛି ଅଞ୍ଚଳରେ ବର୍ଷା ହେବ। ୨୪ ତାରିଖରୁ ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ବିଶେ‌ଷକରି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା (୭୦ରୁ ୧୧୦ ମିମି) ବର୍ଷା ହୋଇପାରେ। ପବନର ଘଣ୍ଟା ପ୍ରତି ବେଗ ୪୫ରୁ ୫୫ କିମି ଓ ସର୍ବାଧିକ ୬୫ କିମି ରହିବ। ସେହିଭଳି ୨୫ତାରିଖ ଦିନ ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିଦିନ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଖୋର୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲ‌ାରେ ମଧ୍ୟ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ପବନର ବେଗ ଉପକୂଳ‌ ଓ ସଂଲଗ୍ନ ଅଞ୍ଚଳରେ ୫୦ରୁ ୬୦ କିମି ଓ ସର୍ବାଧିକ ୭୦ କିମି ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବର୍ଷା ଓ ପବନର ପ୍ରଭାବ ନଗଣ୍ୟ ହୋଇପାରେ ବା କିଛି ପ୍ରଭାବ ନ ପଡ଼ିପାରେ। ସମ୍ଭାବ୍ୟ ବାତ୍ୟାଟି ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼େ ମୁହାଁଇବ ଓ ୨୫ରେ ସ୍ଥଳଭାଗ ଛୁଇଁବ। ଭୀଷଣ ବାତ୍ୟା ହେବା ଆଶଙ୍କା ପ୍ରାୟତଃ କମ୍‌ ରହିଛି। ସମୁଦ୍ର ମଧ୍ୟରେ ବାୟୁର ଘଣ୍ଟା ପ୍ରତି ବେଗ ୮୦ କିମି ରହିବ ଓ ପବନର ବେଗ ୯୫ କିମି ରହିବ।

ସମ୍ବନ୍ଧିତ ଖବର