ବୁର୍ଲା: ଭୀମ୍ସାର୍ ସମେତ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ବିଭିନ୍ନ ଜିଲ୍ଲାରୁ ଆସୁଥିବା ରୋଗୀଙ୍କ ପାଇଁ ଅଲଗା ଅଲଗା ହେଲ୍ପ ଡେସ୍କ ବ୍ୟବସ୍ଥା ହେବ ବୋଲି ଭିମ୍ସାର୍ ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି। ବିଭିନ୍ନ ଜିଲ୍ଲାର ସରକାରୀ ଡାକ୍ତରଖାନା ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇ ଆସୁଥିବା ରୋଗୀମାନେ ଠିକ୍ ଭାବରେ ଉତ୍ତମ ସ୍ବାସ୍ଥ୍ୟସେବା ମାଗଣାରେ ପାଇପାରିବେ। ତେଣୁ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ବାସ୍ଥ୍ୟ ବିଭାଗ ଖୁବ୍ ଶୀଘ୍ର ରାଜ୍ୟର ତିନି ବଡ଼ ଡାକ୍ତରଖାନା ପ୍ରଥମେ ଏହି ହେଲ୍ପ ଡେସ୍କ ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।
ରାଜ୍ୟର ଯେଉଁ ଜିଲ୍ଲାର ରୋଗୀ ଯେଉଁ ଡାକ୍ତରଖାନାକୁ ଗଲେ ମଧ୍ୟ ନିଜ ଜିଲ୍ଲାର ହେଲ୍ପ ଡେସ୍କକୁ ଯାଇ ଯୋଗାଯୋଗ କରି ଉତ୍ତମ ସ୍ବାସ୍ଥ୍ୟ ସହାୟତା ମାଗଣାରେ ପାଇପାରିବେ। ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗଦେବା ପାଇଁ ଭିମସାର୍ର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର, ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା ଏବଂ ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ ଭୁବନେଶ୍ବର ଯାଇଥିଲେ।