ପ୍ରତି ପୌରସଂସ୍ଥାରେ ତିନିଟି ଷ୍ଟ୍ରଙ୍ଗରୁମ୍ ରହିବ

ଭୁବନେଶ୍ବର : ଆସନ୍ତା ୨୪ତାରିଖରେ ରାଜ୍ୟର ୧୦୬ଟି ଏନ୍‌ଏସି/ମ୍ୟୁନିସପାଲଟି ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ହେବାକୁ ଥିବାବେ‌େଳ ୨୬ତାରିଖରେ ଭୋଟ୍‌ ଗଣତି ହେବ। ଦୁଇ ଦିନ ଇଭିଏମ୍‌ଗୁଡ଼ିକୁ ସୁରକ୍ଷିତ ରଖିବା ଗୁରୁତ୍ବପୂର୍ଣ୍ଣ ହୋଇଯାଇଥିବାରୁ ପ୍ରତି ପୌର ସଂସ୍ଥାରେ ଏନେଇ କିପରି ଷ୍ଟ୍ରଙ୍ଗରୁମ୍ ପ୍ରସ୍ତୁତ ହେବ ସେନେଇ ରାଜ୍ୟ ନିର୍ବାଚନ କମିସନ ଶୁକ୍ରବାର ଦିନ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ ଏଥର ପ୍ରତି ପୌର ସଂସ୍ଥାରେ ତିନି ପ୍ରକାରର ଷ୍ଟ୍ରଙ୍ଗ ରୁମ୍ ନିର୍ମାଣ କରାଯିବ। ଏଥିରେ ଗୋଟିଏ କାଉନସିଲର/କର୍ପୋରେଟରଙ୍କ ପାଇଁ, ଦ୍ବିତୀୟଟି ପୌରାଧ୍ୟକ୍ଷ/ମେୟରଙ୍କ ପାଇଁ ଏବଂ ଅନ୍ୟଟି ବଳକା ଇଭିଏମ୍‌ ପାଇଁ ରହିବ। ଯଦି କୌଣସି ବର୍ଗର ଇଭିଏମ୍‌ ଗୋଟିଏ ଷ୍ଟ୍ରଙ୍ଗରୁମ୍‌ରେ ଜାଗା ହେବନି ତେବେ ତା’ର ନିକଟବର୍ତ୍ତୀ ରୁମ୍‌ରେ ସେଗୁଡ଼ିକୁ ରଖାଯିବ। ପ୍ରତି ଷ୍ଟ୍ରଙ୍ଗ ରୁମ୍‌ରେ ଗୋଟିଏ ହିଁ ପ୍ରବେଶ/ପ୍ରସ୍ଥାନ ଦ୍ବାର ରହିବ। ବାକି ସବୁ କବାଟ, ଝରକାଗୁଡ଼ିକୁ କଙ୍କ୍ରିଟ କିମ୍ବା ଇଟା ଯୋଡ଼େଇ କରି ସିଲ୍‌ କରାଯିବ। ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ ରଖାଯିବା ପରେ ଉକ୍ତ ରୁମ୍‌କୁ ଅନ୍ଧାର କରି ଦିଆଯିବ। ଏଥିପାଇଁ ରୁମ୍‌ ବାହାରେ ମେନ୍‌ ସୁଇଚ୍‌ ଲାଗିବ। ଉକ୍ତ ରୁମ୍‌ରେ ଯେପରି ପାଣି ପଶିବନି, ଉଇ ଲାଗିବେନି, କୌଣସି ସାମଗ୍ରୀ ଭାଙ୍ଗି ଯେପରି କେହି ରୁମ୍‌ ଭିତରେ ପଶିବେନି ତାହା ନିଶ୍ଚିତ କରାଯିବ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବ।

ଷ୍ଟ୍ରଙ୍ଗରୁମ୍ ବାହାରେ ୨୪ଘଣ୍ଟା ସଶସ୍ତ୍ର ପୁଲିସ ମୁତୟନ ହେବେ। ଦୁଇଟି ତାଲା ପକାଇ ସିଲ୍‌ ହେବ। ଦୁଇ ଜଣ ଅଧିକାରୀଙ୍କ ପାଖରେ ପୃଥକ ପୃଥକ ଚାବି ରହିବ। ସିସିଟିଭିରେ ଇଭିଏମ୍‌ ଭର୍ତ୍ତି ହେବା ସମୟରୁ ଗଣତି ହେବା ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ରେକର୍ଡିଂ ହେବ। ଇଭିଏମ୍‌ ବନ୍ଦ ହେବା ଏବଂ ଖୋଲା ହେବାର ୨୪ଘଣ୍ଟା ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କୁ ଅବଗତ କରାଯିବ। ସିୟୁଗୁଡ଼ିକୁ ଗଣତି ସରିବାର ୪୫ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ କୁହାଯାଇଛି।

ପୌର ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କୁ ତାଲିମ୍

ଭୁବନେଶ୍ବର : ପୌରସଂସ୍ଥାଗୁଡ଼ିକରେ ହେବାକୁ ଥିବା ଆଗାମୀ ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ୨୫ଜଣ ବରିଷ୍ଠ ଓ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କର ଏକ ତାଲିମ କାର୍ଯ୍ୟକ୍ରମ ନିର୍ବାଚନ କମିସନଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ୧୦୬ଟି ବିଜ୍ଞପିତ ଅଞ୍ଚଳ ପରିଷଦ/ମ୍ୟୁନିସପାଲଟି ଓ ତିନିଟି ମହାନଗର ନିଗମ ନିମନ୍ତେ ୨୪ତାରିଖରେ ଭୋଟ୍‌ ଗ୍ରହଣ ଓ ୨୬ରେ ଭୋଟ୍‌ଗଣତି ହୋଇ ଫଳ ପ୍ରକାଶ ପାଇବାକୁ ଥିବାରୁ ସବୁ କାର୍ଯ୍ୟ ଯେପରି ବ୍ୟବସ୍ଥିତ ଢଙ୍ଗରେ ହେବ ସେନେଇ ତାଲିମ୍ ଦିଆଯାଇଛି। ପୌର ନିର୍ବାଚନକୁ ସବୁ ଦିଗରୁ ସ୍ବଚ୍ଛ, ମୁକ୍ତ ଓ ନିରାପଦ କରିବା ସହ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ୍ ଦିଆଯାଇଛି। ଏଥର ଗୋଟିଏ ବୁଥ୍‌ରେ ଦୁଇଟି ଇଭିଏମ୍‌ ରହିବ। ମତଦାତାମାନେ ପ୍ରଥମେ ପୌରାଧ୍ୟକ୍ଷ/ମେୟର ଏବଂ ପରେ କାଉନସିଲର୍/କର୍ପୋରେଟର ପାଇଁ ଭୋଟ୍‌ ଦେବାକୁ ଥିବାରୁ ଏହା ଯେପରି ବ୍ୟବସ୍ଥିତ ଭାବେ ପରିଚାଳନା ହେବ, ଇଭିଏମ୍‌ରେ ତ୍ରୁଟି ଦେଖାଦେଲେ କ’ଣ କରିବେ, ଇଭିଏମ୍‌ର ବିଶ୍ବାସନିୟତା ନେଇ ଏଜେଣ୍ଟମାନଙ୍କୁ କିପରି ଭୋଟ୍‌ ଗ୍ରହଣ ପୂର୍ବରୁ ବୁଝାଯିବ ସେନେଇ ପର୍ଯ୍ୟବେକ୍ଷକମାନଙ୍କୁ ବୁଝାଯାଇଛି।

ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ, ସ୍ବତନ୍ତ୍ର ସଚିବ ରଘୁରାମ ଆର୍‌.ଆୟାର, ଆଇନ ଅଧିକାରୀ ମାଧୁରୀ ମିଶ୍ର, ଉପଶାସନ ସଚିବ ଆଜାଦ୍‌ ହିନ୍ଦ୍‌ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ତାଲିମ୍ ଦେଇଥିଲେ।

ସମ୍ବନ୍ଧିତ ଖବର