କଟକ: ଜମିଜମା ପଞ୍ଜୀକରଣ ବ୍ୟବସ୍ଥାକୁ ସ୍ବଚ୍ଛ କରିବା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା। ରାଜ୍ୟର ୨୧୩ ସବ୍ ରେଜିଷ୍ଟ୍ରାର ଅଫିସ ଓ ୩୦ ଜିଲ୍ଲାର ଡିଆର କମ୍‌ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସିସିଟିଭି ବ୍ୟବସ୍ଥା ସହ ଯୋଡ଼ି ହୋଇଛି। ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟରେ ‘ସ୍ମାର୍ଟ ସର୍ଭେଲାନ୍ସ ସିଷ୍ଟମ୍’। ଏହି ବ୍ୟବସ୍ଥାକୁ  ଆଜି କଟକ ସ୍ଥିତ ରାଜସ୍ବ ପର୍ଷଦ ଅଧୀନସ୍ଥ ନିବନ୍ଧନ ମହାନିରୀକ୍ଷକଙ୍କ କାର୍ଯ୍ୟାଳୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଜମିଜମା ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ କରାଯାଇ ସ୍ବଚ୍ଛ, ବାଧାମୁକ୍ତ ଓ ନିରାପଦ ପଞ୍ଜୀକରଣ ବ୍ୟବସ୍ଥା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ଏହି ବ୍ୟବସ୍ଥା ଦ୍ବାରା ରାଜ୍ୟର ୨୧୩ ଗୋଟି ନିବନ୍ଧକ ଓ ଉପନିବନ୍ଧକ କାର୍ଯ୍ୟାଳୟଗୁଡିକରେ ନିରାପଦ ତଥା ଉତ୍ତମ ପରିବେଶ ସୃଷ୍ଟି ସହ ଜନସାଧାରଣଙ୍କୁ ତ୍ବରିତ ସେବା ପ୍ରଦାନ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ପଞ୍ଜୀକରଣ ପ୍ରକ୍ରିୟାରେ ସଂଶ୍ଳିଷ୍ଟ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠା ଓ ସଚ୍ଚୋଟ ଭାବେ ଜନସାଧରଣଙ୍କ କାର୍ଯ୍ୟ ସମ୍ପାଦନା କରିବାକୁ ମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। 

Advertisment

ରାଜ୍ୟରେ ଆରମ୍ଭ ହେଲା ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା  
୨୧୩ ସବ୍‌ରେଜିଷ୍ଟ୍ରାର ଅଫିସ ଓ ୩୦ଜିଲ୍ଲାର ଡିଆର-ଏଡିଏମ୍‌ କାର୍ଯ୍ୟାଳୟ ସିସିଟିଭି ବ୍ୟବସ୍ଥାରେ ଯୋଡ଼ିହେଲା 
ଜମିବାଡ଼ି ପଞ୍ଜୀକରଣ ବ୍ୟବସ୍ଥା ସ୍ବଚ୍ଛ, ନିରାପଦ, ବାଧାମୁକ୍ତ ଓ ଶୃଙ୍ଖଳିତ ହେବ: ସୁରେଶ ପୂଜାରୀ

ଏହି ଉଦ୍‌ଘାଟନୀ ଉତ୍ସବରେ ରାଜସ୍ବ ପର୍ଷଦର ସଦସ୍ୟ ସି. ଜେ. ଭେନୁଗୋପାଳ, ନିବନ୍ଧନ ମହାନିରୀକ୍ଷକ ସୁବ୍ରତ ଶତପଥୀ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବି. ପରମେଶ୍ବରନ୍, ଭୂ- ଅଭିଲେଖ ଓ ବନ୍ଦୋବସ୍ତ ଆୟୁକ୍ତ ଆର୍‌.ଭିନିଲ୍ କ୍ରିଷ୍ଣା, ଭୂ-ଅଭିଲେଖ ଓ ପରିମାପକର ନିର୍ଦ୍ଦେଶକ ବିଜୟ କୁମାର ଖଣ୍ଡାୟତରାୟଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଉଦ୍‌ଘାଟନ ପରେ ମନ୍ତ୍ରୀ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ତଥା ମହାଫିଜ ଖାନା ପରିଦର୍ଶନ କରିଥିଲେ।  ଆଜିର ଏହି ନୂଆ ବ୍ୟବସ୍ଥାରେ ରାଜ୍ୟରେ ଥ‌ିବା ସମସ୍ତ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟରେ ସମନ୍ୱିତ ସୁରକ୍ଷା ସମାଧାନର ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ଭିଡିଓ ବିଶ୍ଳେଷଣ ଓ ଭିଡିଓ ପରିଚାଳନା ସହିତ କେନ୍ଦ୍ରୀୟ ପ୍ରଶାସନ ଦ୍ବାରା ସଂପୂର୍ଣ୍ଣ କାର୍ଯ୍ୟକଳାପର ପର୍ଯ୍ୟାଲୋଚନା କରାଯିବ। ସମ୍ପତ୍ତିରେ ଅନଧିକୃତ ପ୍ରବେଶକୁ ରୋକିବା ସହିତ ସମ୍ପତ୍ତିକୁ ସୁରକ୍ଷିତ କରିବ। ଏହି ବ୍ୟବସ୍ଥା ଦ୍ବାରା ବେଆଇନ୍ କାର୍ଯ୍ୟକଳାପକୁ ରୋକାଯାଇ ପାରିବ।  ଉତ୍ତରଦାୟିତ୍ବ, ସ୍ବଚ୍ଛତା ରହିବା ସହିତ ଜମିଜମା ନେଇ ଅଭିଯୋଗ ହ୍ରାସ ପାଇବ। ଏହା ସହିତ ଏକ ସମନ୍ବିତ ଅଡିଓ ଓ ନିରବଚ୍ଛିନ୍ନ ଭିଡିଓ ନିରୀକ୍ଷଣ ବ୍ୟବସ୍ଥା, ଫାୟାର ଆଲାର୍ମ ସିଷ୍ଟମ ସହିତ ଯୋଡ଼ିବ। ଆଗକୁ କୃତ୍ରିମ ବୁଦ୍ଧିମତା (ଏଆଇ) ସହାୟତାରେ ମୁଖ ଚିହ୍ନଟ ଆଧାରିତ ବିଶ୍ଳେଷଣ ବ୍ୟବସ୍ଥା ମଧ୍ୟ କରାଯିବ।