ଭୁବନେଶ୍ବର/ପୁରୀ/କୋଣାର୍କ : କୋଣାର୍କ ଇକୋ ରିଟ୍ରିଟ୍ରେ ଅନୁଷ୍ଠିତ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀର ଦ୍ବିତୀୟ ଦିନରେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ଜନସାଧାରଣ ଏବଂ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କକୁ ହ୍ରାସ କରିବା ପାଇଁ ମାର୍ଚ୍ଚ, ୨୦୨୩ ସୁଦ୍ଧା ସମସ୍ତ ତହସିଲ୍ରେ ଭର୍ଚୁଅାଲ କୋର୍ଟ ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ତହସିଲରେ ସପ୍ତାହକୁ ୨ରୁ ୩ଦିନ ନିୟମିତ କ୍ୟାମ୍ପ କୋର୍ଟ ଅାୟୋଜନ କରିବାକୁ ସମସ୍ତ ତହସିଲକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକରେ ଅଧିକ ସ୍ବଚ୍ଛତା ଏବଂ ମଧ୍ୟସ୍ଥିଙ୍କୁ ହଟାଇବା ପାଇଁ ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା ଭଳି ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଅସୁବିଧାମୁକ୍ତ ପଞ୍ଜୀକରଣ ଏବଂ ଆବେଦନକାରୀଙ୍କ ପ୍ରତୀକ୍ଷା ଓ କାର୍ଯ୍ୟାଳୟ ଭିଡ଼ କମାଇବା ପାଇଁ ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକରେ ଅନଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯିବ। ଆବଶ୍ୟକସ୍ଥଳେ ଅଧିକ ପଞ୍ଜୀକରଣ କାର୍ଯ୍ୟାଳୟ, ଆର୍ଆଇ ସର୍କଲ ଖୋଲାଯିବ। ଏବେ ରାଜସ୍ବ ବୋର୍ଡ ଠାରୁ ଆରମ୍ଭ କରି ପ୍ରତ୍ୟେକ ରାଜସ୍ବ କାର୍ଯ୍ୟାଳୟର ସଂପୃକ୍ତ ରେକର୍ଡଗୁଡ଼ିକର ଡିଜିଟାଇଜେସନ୍ ଚାଲିଥିବାବେଳେ ଖୁବ୍ ଶୀଘ୍ର ଜମି ପଟ୍ଟା ସହ ଆଧାରକୁ ସଂଯୋଗ କରିବାକୁ ଡିଆଇଏଲ୍ଆର୍ଏମ୍ପିରେ ପ୍ରସ୍ତାବ ରହିଛି ବୋଲି ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି।
କ୍ରୀଡ଼ା ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେଉଛି ୨୫୦୦ କୋଟି
ରାଜ୍ୟ ସରକାର ଓଡ଼ିଶାକୁ କ୍ରୀଡ଼ା ରାଜଧାନୀରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ସହରରେ ୯୦ଟି ଇନଡୋର୍ ଷ୍ଟାଡିୟମ, ଦେଶର ପ୍ରଥମ ଇନଡୋର ଆଥଲେଟିକ୍ ଷ୍ଟାଡିୟମ, ଇନଡୋର୍ ଆକ୍ବାଟିକ୍ ସେଣ୍ଟର, ହକି, ବ୍ୟାଡମିଣ୍ଟନ, ଭାରୋତ୍ତୋଳନ, ଜିମ୍ନାଷ୍ଟିକ୍, ଆଥଲେଟିକ୍ସ ଆଦି ନିମନ୍ତେ ଉଚ୍ଚ ପରଫରମାନ୍ସ ସେଣ୍ଟର, ହକି ପ୍ରଶିକ୍ଷଣ କେନ୍ଦ୍ର , ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ର, ସନ୍ତରଣ କେନ୍ଦ୍ର, ଜିମ୍ନାଷ୍ଟିକ୍ କେନ୍ଦ୍ର ଆଦି ବିଭିନ୍ନ ଭିତ୍ତିଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାର ୨୫୦୦କୋଟି ବିନିଯୋଗ କରୁଛନ୍ତି ବୋଲି କ୍ରୀଡ଼ା ସଚିବ ଆର୍. ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି।
ଆସନ୍ତା ବର୍ଷରୁ ଏକାଡେମିକ୍ କ୍ୟାଲେଣ୍ଡର ଏବଂ ଷ୍ଟୁଡେଣ୍ଟ ଡାଏରି
ସରକାରୀ ବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ଅଧିକ ଉନ୍ନତ କରିବାକୁ ଆସ୍ପିରେସନାଲ୍ କରିକୁଲମ୍ ପ୍ରଚଳନ କରିଛି। ପିଲାମାନଙ୍କ ବୌଦ୍ଧିକ ବିକାଶ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଯୋଗାଯୋଗ ପାଇଁ ଆସନ୍ତା ଶିକ୍ଷାବର୍ଷରୁ ଏକାଡେମିକ କ୍ୟାେଲଣ୍ଡର ଏବଂ ଷ୍ଟୁଡେଣ୍ଟ ଡାଏରି ପ୍ରଚଳନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏକବିଂଶ ଶତାବ୍ଦୀର ଜ୍ଞାନକୌଶଳ ସହ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଜଡ଼ିତ କରିବାକୁ କୋଡ୍ କ୍ଲବ, ଇ-ଲାଇବ୍ରେରି ଏବଂ ସ୍ମାର୍ଟ କ୍ଲାସରୁମ୍ ମାଧ୍ୟମରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ। ଶିକ୍ଷକ ଅଭାବ ସମସ୍ୟା ଦୂର କରିବା ପାଇଁ ନୂତନ ନିଯୁକ୍ତି ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ବଥୀ.ଏସ୍ ସୂଚନା ଦେଇଛନ୍ତି।
ଓଡ଼ିଶା ହେବ ପର୍ଯ୍ୟଟନ ହବ୍
ଓଡ଼ିଶାକୁ ଦେଶର ପର୍ଯ୍ୟଟନ ହବ୍ରେ ପରିଣତ କରିବା ପାଇଁ ନିକଟରେ ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨ ଆସିଛି। ଏହା ନିବେଶକଙ୍କୁ ଉତ୍ସାହିତ କରିଛି। ଯାହା ଅନ୍ୟ ରାଜ୍ୟଗୁଡ଼ିକ ବର୍ତ୍ତମାନ ଦୁଇଟି ରୋଡ୍ ମ୍ୟାପ୍ ସହିତ ପ୍ରଦାନ କରୁଥିବା ସୁବିଧା ତୁଳନାରେ ଅଧିକ। ଆମେ ବିଭିନ୍ନ ପ୍ରକାରର ପର୍ଯ୍ୟଟନ ଅଫର୍ ଯେପରି ଏମ୍ଆଇସିଇ, ସୁସ୍ଥତା, ସ୍ବାସ୍ଥ୍ୟ, ଇକୋ ଟୁରିଜିମ୍ ଏବଂ କ୍ରୀଡ଼ା ପର୍ଯ୍ୟଟନ ସହ ଅନେକ ଅଭିନବ ତଥା ନୂତନ ପର୍ଯ୍ୟଟନ ଉତ୍ପାଦନ ଯେପରିକି କାରଭାନ୍, କ୍ୟାମ୍ପ୍, ମେଡିକାଲ ଟୁରିଜିମ, ହାଉସ୍ ବୋଟ୍, କ୍ରୁଜ୍, ୟାଟ୍ ଇତ୍ୟାଦିସହ ପରିଚିତ। ବିଭିନ୍ନ ପର୍ଯ୍ୟଟନ ସର୍କିଟ୍ ବିକାଶ ପାଇଁ ବର୍ତ୍ତମାନ ୧୬ଟି ମାଷ୍ଟରପ୍ଲାନ୍ ଇଣ୍ଟିଗ୍ରେଟେଡ୍ ଟୁରିଜିମ୍ ବିକାଶ କାର୍ଯ୍ୟ ହାତକୁ ନିଆଯାଉଛି ବୋଲି ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର କହିଛନ୍ତି।
୪ବର୍ଷରେ ୪୬ଟି ନଦୀ ଗର୍ଭ ଜଳାଶୟ, ଲକ୍ଷେ ବୋରୱେଲ୍ ହେବ
ଜଳସମ୍ପଦ ବିଭାଗ ପକ୍ଷରୁ ୧୦ବର୍ଷରେ ୧୫ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ତିନି ବର୍ଷରେ ୪୦ହଜାର କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ହୋଇଛି। ଅପରପକ୍ଷେ ୨୦୨୩ରେ ବରଗଡ଼ ଜିଲ୍ଲାର ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ଗଞ୍ଜାମର ଘଟକେଶ୍ବର ପ୍ରକଳ୍ପ, ଅନୁଗୁଳର ମନଯୋର ପ୍ରକଳ୍ପ ଶେଷ ହେବାକୁ ଥିବାବେଳେ ୨୦୨୪ ଶେଷ ସୁଦ୍ଧା ଲୋୟରସୁକତେଲ, ଆନନ୍ଦପୁର ବ୍ୟାରେଜ୍, କାନପୁର ଓ ସୁବର୍ଣ୍ଣରେଖା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଗାମୀ ୩ରୁ ୪ବର୍ଷରେ ୪୬ଟି ନଦୀଗର୍ଭ ଜଳାଶୟ, ୧୭୦ଟି ବୃହତ୍ତ ଉଠାଜଳସେଚନ ପ୍ରକଳ୍ପ ଏବଂ ୧ଲକ୍ଷ ଗଭୀର ନଳକୂପ ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି।