ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଏକକାଳୀନ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହ ଲକଡାଉନ୍ ନିୟମକୁ କଡାକଡି ମାନିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ଏଣିକି ସାମାଜିକ ଦୂରତାର ଉଲ୍ଲଂଘନ ପ୍ରତି ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରାଯିବ। ସାମାଜିକ ଦୂରତାର ଉଲ୍ଲଂଘନକୁ ଅପରାଧିକ କାଯ୍ୟର୍ଯ୍ୟକଳାପ ଭାବେ ଗ୍ରହଣ କରାଯାଇ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଚେତାଇ ଦେଇଛନ୍ତି।
ଏହି ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ ବମିଖାଲ ଅଞ୍ଚଳର ହୋଇଥିବାରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅଞ୍ଚଳ ରାଜଧାନୀର ଏକ ପ୍ରତିବନ୍ଧିତ ଅଞ୍ଚଳ ଏବଂ ଏହାକୁ ସିଲ କରାଯାଇଛି । ତେଣୁ ଭୟ କରିବାର କାରଣ ନାହିଁ । ମୋର ଅନୁରୋଧ ଲକ୍ଡାଉନ ନିୟମକୁ ପାଳନ କରନ୍ତୁ । ନିୟମ ପାଳନ କରି ଘର ଭିତରେ ରୁହନ୍ତୁ । ନିୟମ ଉଲଂଘନକାରୀଙ୍କ ବିରୋଧରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ।
People need not panic. It’s in a contained area of #Bhubaneswar with known contact. Sincere appeal - please don’t venture out and respect lockdown. Police will take very tough action on violators.#OdishaFightsCoronahttps://t.co/h669icL2wX
— CMO Odisha (@CMO_Odisha) April 5, 2020
ଏଥିସହିତ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ସାମାଜିକ ଦୂରତାକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ । ସାମାଜିକ ଦୂରତା ଉଲଂଘନ କରିବାକୁ ଅପରାଧ ଭାବେ ଗ୍ରହଣ କରାଯିବ । ଦୋକାନଗୁଡ଼ିକରେ ସାମାଜିକ ଦୂରତା ନିୟମ ପାଳନ ହେଉ ନଥିଲେ, ସଂପୃକ୍ତ ଦୋକାନ, ବଜାରକୁ ସିଲ କରାଯିବ । ତେଣୁ କରୋନା ମୁକାବିଲା ପାଇଁ ଆମକୁ ସହଯୋଗ କରନ୍ତୁ ।
There will be zero tolerance on violation of social distancing. Any violation of social distancing will attract criminal action. The concerned shop / market will be sealed. Earnest request to cooperate in our fight against #CoronaVirus.#OdishaFightsCoronahttps://t.co/h669icL2wX
— CMO Odisha (@CMO_Odisha) April 5, 2020
ଆଜି ମଧ୍ୟାହ୍ଣରେ ଭୁବନେଶ୍ବରରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣି ୧୬ ଜଣ କରୋନା ଆକ୍ରାନ୍ତ ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ରବିବାର ରାତିରେ ଟୁଇଟ୍ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବର୍ତ୍ତମାନ କେବଳ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ତେବେ ଏହି ୧୬ଜଣଙ୍କ ମଧ୍ୟରୁ ୧୫ ଜଣ ବମିଖାଲର ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ଫଳରେ ବମିଖାଲ ଅଞ୍ଚଳରୁ ସମୁଦାୟ ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ସିଲ୍ ହୋଇଥିବା ବମିଖାଲ୍ ଅଞ୍ଚଳରେ ରାଜ୍ୟ ସରକାରଙ୍କ ସର୍ଭିଲାନ୍ସ ଟିମ୍ ଘରକୁ ଘର ବୁଲି ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି। ଏହାପରେ ବମିଖାଲ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସମସ୍ତ ସଂଦିଗ୍ଧଙ୍କୁ ଆଇସୋଲେସନରେ ରଖାଯିବା ସହ ସେମାନଙ୍କର ସ୍ବାବ ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି। ଏଥିସହ ଭୁବନେଶ୍ବରର ନାଗରିକମାନଙ୍କୁ ଭୟ ନ କରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି।