ତାପଜ ବିଦ୍ୟୁତ୍‌ ପ୍ରକଳ୍ପ କ୍ଷତିପୂରଣ ହାତେଇବାକୁ କାରସାଦି: ଅଧିଗ୍ରହଣ ଜମିରେ ମାଳମାଳ ନୂଆଘର

କେବଳ କୋପସିଂହା ଓ ଲଙ୍କାହୁଡ଼ାରେ ୩ ଶହ!

ସୁନ୍ଦରଗଡ଼: କିଛିଦିନ ତଳେ ଇବ୍‌ନଦୀ ଦ୍ବିତୀୟସେତୁ ସଂଯୋଗରାସ୍ତା କ୍ଷତିପୂରଣ ହାତେଇବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିଛି ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତିରେ ଉଭୟ ସରକାରୀ ଓ ରୟତିଜମିରେ ରାତିଅଧିଆ ପକ୍କାଘର ନିର୍ମାଣ ହୋଇଥିବା ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ତଦନ୍ତ କେତେବାଟ ଗଲା ଏବଂ ରିପୋର୍ଟ ଆସିଲା କି ନାହିଁ, ସେ ସମ୍ପର୍କରେ ପ୍ରଶାସନ ନିରବ। ଏବେ ଭେଡ଼ାବାହାଲ ମହାନଦୀ ବେସିନ୍ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଅଧିଗ୍ରହଣ ହୋଇଥିବା କୋପସିଂହା ଓ ଲଙ୍କାହୁଡ଼ା ଗାଁ ଚାଷ ଓ ପରିତ୍ୟକ୍ତ  ପଡ଼ିଆଜମିରେ ମାଳମାଳ ଘର ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି। ପ୍ରକଳ୍ପ କ୍ଷତିପୂରଣର ଫାଇଦା ନେବାକୁ ଏ କାରସାଦି କରାଯାଉଥିବା ଚର୍ଚ୍ଚା ହେଉଛି।

ହସ୍ତଗତ ସୂଚନା ଅନୁସାରେ, ପ୍ରକଳ୍ପ ବିସ୍ଥାପିତ ଲଙ୍କାହୁଡ଼ା ଓ କୋପସିଂହାରେ ଶହେରୁ ଅଧିକ ଘର ତିଆରି ସରିଥିବା ଓ ୨ ଶହ ଘର ନିର୍ମାଣ ଚାଲିଛି। ଭେଡ଼ାବାହାଲ ବୃହତ୍‌ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ବାତିଲହେବା ପରେ ମହାନଦୀ ବେସିନ୍ ଆସିଥିବା ଓ ଏଥିପାଇଁ ଘରବାରିର ନୂଆ ସର୍ବେକ୍ଷଣ ହେବାକୁ ଥିବାରୁ ଏହାର ଫାଇଦାନେବାକୁ ଯୋଜନାବଦ୍ଧ ଭାବେ ଦିନରାତି ଏକକରି ଘର ନିର୍ମାଣ ଚାଲିଛି। ଏହି କାରସାଦିରେ ମଧ୍ୟ ଜିଲ୍ଲା ମୁଖ୍ୟାଳୟର ସେହି କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ଅନୁମାନ କରାଯାଉଛି। ଯେଉଁଥିପାଇଁ ସବୁ ଦେଖି, ସବୁ ଜାଣି ବି ପ୍ରଶାସନ ନିରବ। ଅଭିଯୋଗ ହୋଇଛି, ଜିଲ୍ଲା  ପ୍ରଶାସନର ଏ ନିରବତା ହିଁ କୋଇଲା ଖଣିରୁ କୋଲ୍ କରିଡର୍, ଇବ୍‌ସେତୁ ଓ ଏବେ ଭେଡ଼ାବାହାଲ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ଯାଏଁ ସବୁଠି ଏପରି କାରସାଦି କରିବାକୁ ଦଲାଲ, ଅସାଧୁ ଅଧିକାରୀଙ୍କୁ ଉତ୍ସାହିତ କରିଛି।

୨୦୦୮ରେ ୨୯ ହଜାର କୋଟି ଅଟକଳରେ ଭେଡ଼ାବାହାଲରେ ୟୁଏମ୍‌ପିପି ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ଲୋକଙ୍କ ସହମତି ପରେ ୨୦୧୩ ଅଗଷ୍ଟ ୧୩ରୁ ଲଙ୍କାହୁଡ଼ା ପଞ୍ଚାୟତର ଲଙ୍କାହୁଡ଼ା, କୋପସିଂହା, ରୂପିଡିହି ଗାଁ ସମ୍ପୂର୍ଣ୍ଣ ଏବଂ ଭେଡ଼ାବାହାଲ, କନ୍ଦାବାହାଲ, କିରେଇର ଆଂଶିକ ଜମି ମୋଟ ୨୭୩୩.୫୪୦ ଏକର ଅଧିଗ୍ରହଣ କରିଥିଲା ଇଡ୍‌କୋ। ମାତ୍ର, ପ୍ରକଳ୍ପ ପାଇଁ ଯୋଗ୍ୟ ମାପକାଠି ବା କଡ଼ାସର୍ତ୍ତ ଯୋଗୁ କୌଣସି କମ୍ପାନି ଆବେଦନ କରିନଥିଲେ। ଫଳରେ ପ୍ରକଳ୍ପ ସେମିତି ପଡ଼ିରହିଲା। ଏପଟେ ୧୪ ବର୍ଷ ମଧ୍ୟରେ ପ୍ରକଳ୍ପର ବ୍ୟୟ ଅଟକଳ ୨୯ ହଜାର କୋଟିରୁ ପ୍ରାୟ ୪୦ ହଜାର କୋଟିକୁ ବଢ଼ିଯାଇଥିବାରୁ ଓଡ଼ିଶା ସମନ୍ବିତ ଶକ୍ତି କମ୍ପାନି (ଓଆଇପିଏଲ୍‌) ତାକୁ ୨୦୨୨ ସେପ୍ଟେମ୍ବରରେ ବାତିଲ କରିଦେଇଥିଲା। ଏହାର ବର୍ଷେ ପରେ ୟୁଏମ୍‌ପିପି ପାଇଁ ଅଧିଗ୍ରହଣ ହୋଇଥିବା ଜମିରେ ମହାନଦୀ ଅବବାହିକା ତାପଜ ବିଦ୍ୟୁତ୍‌(ଏମ୍‌ବିପିଏଲ୍‌) ୧୬ ଶହ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ଆଗେଇ ଆସିଛି। ଏ ସ୍ଥିତିରେ ବିସ୍ଥାପିତ ଘର ଓ ଗଛର ନୂଆ ମୂଲ୍ୟାୟନ କରି କ୍ଷତିପୂରଣ ପ୍ରଦାନ ସହ ଅନ୍ୟାନ୍ୟ ଦାବି ଉଠାଇଛନ୍ତି।

ସମ୍ବନ୍ଧିତ ଖବର