ବିଳମ୍ବିତ ହେବ ଟିଟିପିଏସ୍‌ ସଂପ୍ରସାରଣ

ଅନୁଗୁଳ: ଦୁଇବର୍ଷ ତଳେ ବନ୍ଦ ହୋଇଥିବା ତାଳଚେର ଥର୍ମାଲ ପାୱାର ପାୱାର ଷ୍ଟେସନ(ଟିଟିପିଏସ୍‌)ର ସମ୍ପ୍ରସାରଣ ପ୍ରକ୍ରିୟା ତୁରନ୍ତ ଆରମ୍ଭ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ହେଲେ, ବିଭିନ୍ନ କାରଣରୁ ଏହି ସଂପ୍ରସାରଣ ପ୍ରକ୍ରିୟା ବିଳମ୍ବିତ ହୋଇଛି। ଏବେ ସ୍ଥିତି ଏମିତି ଯେ ଆସନ୍ତା ୨୦୨୭-୨୮ ପୂର୍ବରୁ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇପାରିବନି। ଖୋଦ୍‌ ରାଜ୍ୟ ସରକାର ଏହା ସ୍ବୀକାର କରିବାପରେ ଚାକିରି ଆଶାରେ ଥିବା ହଜାର ହଜାର ଲୋକ ପୁଣି ନିରାଶ ହୋଇଛନ୍ତି।

ଜାତୀୟ ତାପଜ ବିଦ୍ୟୁତ୍‌ କେନ୍ଦ୍ର (ଏନ୍‌ଟିପିସି) ଦ୍ବାରା ପରିଚାଳିତ ଟିଟିପିଏସ୍‌ରେ ୬୦ ମେଗାୱାଟ୍‌ ବିଶିଷ୍ଟ ୪ଟି ୟୁନିଟ୍‌ ଓ ୧୧୦ ମେଗାୱାଟ୍‌ ବିଶିଷ୍ଟ ୨ଟି ୟୁନିଟ୍‌ ରହିଥିଲା। ଏହି ପୁରୁଣା ପ୍ଲାଣ୍ଟ ୨୦୨୧ ମାର୍ଚ୍ଚ ୩୧ ତାରିଖରୁ ବନ୍ଦ ହୋଇଯାଇଛି। ପରିବେଶ ମଞ୍ଜୁର ନ ଥିବା ଦର୍ଶାଇ ଏନ୍‌ଟିପିସି କର୍ତ୍ତୃପକ୍ଷ ଏହାକୁ ବନ୍ଦ କରି ଦେଇଥିଲେ। ତେବେ, ଏହାକୁ ବିରୋଧ କରି ଶ୍ରମିକ ସଂଗଠନ ଅଦାଲତକୁ ଯାଇଥିଲେ। ଏହାକୁନେଇ କିଛିମାସ ପର୍ଯ୍ୟନ୍ତ ଅଚଳାବସ୍ଥା ଜାରି ରହିଥିଲା। ପ୍ଲାଣ୍ଟ ବନ୍ଦ ପ୍ରକ୍ରିୟା ଉପ‌‌ରେ ଅଦାଲତ ରହିତାଦେଶ ଦେବାଫଳରେ କର୍ମଚାରୀଙ୍କୁ ଛଟେଇ କରାଯାଇ ନ ଥିଲା। କିନ୍ତୁ, ପୁରୁଣା ପ୍ଲାଣ୍ଟ ବିପଜ୍ଜନକ ହୋଇଥିବା ଦର୍ଶାଇଥି‌ଲା ଏନ୍‌ଟିପିସି। ଶେଷରେ ଅଦାଲତ ରହିତାଦେଶ ଉଠାଇ ନେବାପରେ ପୁରୁଣା ପ୍ଲାଣ୍ଟ ଚାଲିବା ନେଇ ସବୁ ଆଶା ମଉଳିଥିଲା। ଏହାସହିତ ହଜାର ହଜାର କର୍ମଚାରୀ ଓ ଶ୍ରମିକଙ୍କ ଭାଗ୍ୟ ଅନ୍ଧାରକୁ ଚାଲି ଯାଇଥିଲା।

ଏପଟେ ପୁରୁଣା ପ୍ଲାଣ୍ଟ ଭାଙ୍ଗି ଏଠାରେ ନୂଆ ୬୬୦ ମେଗାୱାଟ୍‌ ବିଶିଷ୍ଟ ୨ଟି ୟୁନିଟ୍‌ ବସାଇବାକୁ ନିଷ୍ପତ୍ତି ହୋଇଥିବା ଏନ୍‌ଟିପିସି କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ, ଆରମ୍ଭରୁ ଏହି ମେଗା ପ୍ରକଳ୍ପ ଝୁଣ୍ଟିଥିଲା। ବିଭିନ୍ନ କାରଣରୁ ଏହାର ଟେଣ୍ଡର୍‌ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ତେଣୁ ପୁରୁଣା ପ୍ଲାଣ୍ଟ ବନ୍ଦ ହେବାର ଦୁଇବର୍ଷ ବିତିଥିଲେ ମଧ୍ୟ ନୂଆ ପ୍ଲାଣ୍ଟର କାମ ଆରମ୍ଭ ହୋଇନି। ଏହି ନୂତନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ବିଳମ୍ବିତ ହେବା ନିଶ୍ଚିତ।

ସମ୍ବନ୍ଧିତ ଖବର