ପୁରୀ : ‘କରୋନା’ ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିରରେ ଗତ ୨୦ ତାରିଖରୁ ଭକ୍ତଙ୍କ ଦର୍ଶନ ବନ୍ଦ କରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯାଇଛି। ମହପ୍ରଭୁଙ୍କ ନୀତିକାନ୍ତି କିନ୍ତୁ ଯଥାରୀତି ଚାଲିଛି। ତଥାପି ଏହି ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ ସେବାୟତଙ୍କ ଉପରେ ବି ନଜର ପକାଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ଆଜିଠାରୁ ଥର୍ମାଲ୍ ସ୍କ୍ରିନିଂ ଆରମ୍ଭ ହୋଇଛି। ପୁଲିସ ଥର୍ମାଲ୍ ସ୍କ୍ରିନିଂ କରି ଆଜି ସେବାୟତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ଦେଇଛି। କେବଳ ସିଂହଦ୍ବାରରେ ଏହି ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି।
ଗତ ୧୫ ତାରିଖରୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଭକ୍ତଙ୍କୁ ଘୋଷଣାନାମା ଦେଇ ମନ୍ଦିର ପ୍ରବେଶ ଅନୁମତି ଦେଇଥିଲା। ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ସ୍ପର୍ଶ ଉପରେ ବି କଟକଣା ଲଗାଯାଇଥିଲା। ଏହାର କିଛିଦିନ ପରେ ଅର୍ଥାତ୍ ମାର୍ଚ୍ଚ ୨୦ରୁ ଭକ୍ତଙ୍କ ପ୍ରବେଶ ଉପରେ ସଂପୂର୍ଣ୍ଣ କଟକଣା ଲଗାଇଛି ପ୍ରଶାସନ। କିନ୍ତୁ ସେବାୟତଙ୍କ ଉପରେ ସେଭଳି କିଛି କଟକଣା ଲଗାଯାଇ ନଥିଲା। ସେବାୟତ ଚାହିଁଲେ ମାସ୍କ ପିନ୍ଧି ଶ୍ରୀମନ୍ଦିରକୁ ଯାଇ ନୀତିକାନ୍ତି କରିପାରିବେ ବୋଲି କୁହାଯାଇଥିଲା। କିନ୍ତୁ ଆଜିଠାରୁ ଥର୍ମାଲ ସ୍କ୍ରିନିଂରେ ସେବାୟତଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି।