ଏମାନେ ବି ଚାଲିଗଲେ…

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ହାଇସ୍କୁଲର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ସୁନୀଲ ଦାଶ (୬୫)ଙ୍କ ଶନିବାର ରାତିରେ ପରଲୋକ ହୋଇଛି। ସେ କୁମ୍ଭମେଳାରୁ ଫେରିଥିବାରୁ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରି କେହି କାନ୍ଧ ଦେଇ ନଥିଲେ।

ଯୁଯୁମୁରା : ଯୁଯୁମୁରା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସତ୍ୟବ୍ରତ ପତି(୩୮)ଙ୍କ ଶନିବାର ରାତି ପ୍ରାୟ ସାଢ଼େ ୮ଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କର ପୈତୃକ ଘର ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲଚିଦା ପଞ୍ଚାୟତ ଅନ୍ତର୍ଗତ ଚାବରିପାଲି ଗାଁ ହୋଇଥିବା ବେଳେ ସେ ଧନୁପାଲି ମହାବୀରପଡ଼ାସ୍ଥିତ ଗୋପାଳବିହାରରେ ରହୁଥିଲେ।

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଗଡ଼ରାମୁଣ୍ଡା ଗ୍ରାମର ରବି ବାରିକ ନାମକ ଜଣେ ବୃଦ୍ଧଙ୍କ ଆଜି କରୋନାରେ ମୃତ୍ୟୁ ଘଟିଛି। ସେ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ହେବା ସହ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ। କୋଭିଡ୍‌ ନିୟମ ଅନୁସାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।

ସେହିଭଳି, ନୂଆପଡ଼ା ଜିଲ୍ଲା ଆମାନାରା ଉନ୍ନୀତ ବିଦ୍ୟାଳୟର ଶିକ୍ଷକ ସୁବାସ ସାହୁ (୫୧ ବର୍ଷ) କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି।

ବୌଦ୍ଧ: ବୌଦ୍ଧ କୋଭିଡ ହସ୍‌ପିଟାଲରେ ଚିକିତ୍ସାଧୀନ ଜଣେ ମହିଳା(୩୫)ଙ୍କ ରବିବାର ସକାଳେ ମୃତ୍ୟୁ ହୋଇଥିବା ସିଡିଏମଓ ଡା. ତ୍ରିଲୋଚନ ପ୍ରଧାନ ପ୍ରକାଶ କରିଛନ୍ତି। ମହିଳା ଜଣକ କୋଭିଡ ପଜିଟିଭ ଚିହ୍ନଟ ହୋଇ ଗୃହାବଦ୍ଧରେ ରହି ଚିକିତ୍ସିତ ହେଉଥିଲେ।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଗ୍ରାଫ୍ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରବିବାର ଦିନ ଆଉ ଜଣେ ପ୍ରବାସୀ ଓଡ଼ିଆ ତଥା ଦିଲ୍ଲୀସ୍ଥିତ ଉତ୍କଳ ଦୁର୍ଗାପୂଜା କମିଟିର ଉପସଭାପତି ପ୍ରେମାନନ୍ଦ ସ୍ୱାଇଁଙ୍କ କରୋନାରେ ମୃତ୍ୟୁ ଘଟିଛି। ଶ୍ରୀ ସ୍ୱାଇଁ କରୋନା-ସଂକ୍ରମିତ ହେବାର ୪ ଦିନ ପରେ ତାଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଥିଲା। ଦିଲ୍ଲୀର କୌଣସି ସରକାରୀ ଡାକ୍ତରଖାନାରେ ଶଯ୍ୟା ଉପଲବ୍ଧ ନ ହେବାରୁ ତାଙ୍କୁ ଗତକାଲି ଜନକପୁରୀ ପଙ୍ଖାରୋଡ୍‌ସ୍ଥିତ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର ଜଗତ୍‌ସିଂହପୁର ଜିଲା ନାଉଗାଁ ଅଞ୍ଚଳର ପ୍ରେମାନନ୍ଦ ସ୍ୱାଇଁ ଗତ ୨୫ ବର୍ଷରୁ ଊର୍ଦ୍ଧ୍ବ କାଳ ହେଲା ଦିଲ୍ଲୀରେ ପ୍ରିଣ୍ଟିଂ ବ୍ୟବସାୟ କରୁଥିଲେ।

ସମ୍ବନ୍ଧିତ ଖବର