ଭୁବନେଶ୍ବର : ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରରେ ୩ଟି ଅତ୍ୟାଧୁନିକ ଯନ୍ତ୍ରପାତି ଆଜି ଉଦ୍ଘାଟିତ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହାର ଉଦ୍ଘାଟନ କରିଛନ୍ତି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଏହି ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି। ଏହି ଯନ୍ତ୍ରପାତି ସହାୟତାରେ ଏବେ ଖାଦ୍ୟରେ ଭାରୀ ଧାତୁଠାରୁ ଆରମ୍ଭ କରି କୀଟନାଶକ ଓ ଆର୍ସେନିକ୍ର ଉପସ୍ଥିତି ସଂପର୍କରେ ସ୍ପଷ୍ଟ ହୋଇପାରିବ।
ଆଇସିପି-ଏମ୍ଏସ୍ ବା ଇଣ୍ଟକ୍ଟିଭ୍ଲି କପଲ୍ଡ ପ୍ଲାଜ୍ମା ମାସ ସ୍ପେକ୍ଟ୍ରୋମିଟର ସହାୟତାରେ ଖାଦ୍ୟ ଓ ଜଳରେ ଥିବା ତମ୍ବା, ସିସା, କ୍ୟାଡମିୟମ୍, ଜିଙ୍କ, ନିକେଲ, କ୍ରୋମିଅମ୍, ଆର୍ସେନିକ୍, ମିଥାଇଲ ମର୍କୁରି ଭଳି ଭାରୀ ଧାତୁର ପରିମାଣ ମପା ଯାଇପାରିବ। ସେହିପରି ଏଲସି-ଏମ୍ଏସ୍/ଏମ୍ଏସ୍ ବା ଲିକ୍ବିଡ୍ କ୍ରୋମାଟୋଗ୍ରାଫ ଟାଣ୍ଡେମ୍ ମାସ୍ ସ୍ପେକ୍ଟ୍ରୋମିଟର ସହାୟତାରେ ଖାଦ୍ୟ ଓ ଜଳରେ କେଉଁ କେଉଁ କୀଟନାଶକ, ଆଣ୍ଟିବାଇଓଟିକ୍ସ, ଭିଟାମିନ୍ସ ରହିଛି, ତାହା ସ୍ପଷ୍ଟ ହୋଇପାରିବ। ଜିସି-ଏମ୍ଏସ୍/ଏମ୍ଏସ୍ ବା ଗ୍ୟାସ୍ କ୍ରୋମାଟୋଗ୍ରାଫ୍ ଟାଣ୍ଡେମ୍ ମାସ୍ ସ୍ପେକ୍ଟ୍ରୋମିଟର ସାହାଯ୍ୟରେ ଫ୍ୟାଟି ଏସିଡ୍ ଓ ଟ୍ରାନ୍ସଫ୍ୟାଟ୍ ଭଳି ପଦାର୍ଥର ଉପସ୍ଥିତି ସଂପର୍କରେ ପରୀକ୍ଷା ହୋଇପାରିବ। ପୂର୍ବରୁ ଏଭଳି ପରୀକ୍ଷା ପାଇଁ ଅନ୍ୟ ରାଜ୍ୟରେ ଥିବା ପରୀକ୍ଷାଗାର ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ମାତ୍ର ଏବେ ଓଡ଼ିଶାରେ ଏସବୁ ପରୀକ୍ଷା ହୋଇପାରିବ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ ବିଜ୍ଞାନାଗାର ଓ ନୂତନ ଯନ୍ତ୍ରପାତି ବୁଲି ଦେଖିଥିଲେ। ରାଜ୍ୟ ସରକାର ଖାଦ୍ୟ ଓ ପାନୀୟ ଜଳର ଶୁଦ୍ଧତା ଓ ଗୁଣବତ୍ତା କ୍ଷେତ୍ରରେ ସବୁବେଳେ ଗୁରୁତ୍ବ ଦେଉଥିବା ଶ୍ରୀ ଦାସ ଗଣମାଧ୍ୟମକୁ କହିଥିଲେ।
ଉଦ୍ଘାଟନ କାର୍ଯ୍ୟକ୍ରମରେ ଖାଦ୍ୟ ନିରାପତ୍ତା ଆୟୁକ୍ତ ଯାମିନୀ ଷଡ଼ଙ୍ଗୀ, ରାଜ୍ୟ ଖାଦ୍ୟ ନିରାପତ୍ତା ନିର୍ଦେଶକ ଡା. ପ୍ରଦୀପ କୁମାର ମହାପାତ୍ର, ଖାଦ୍ୟ ନିରାପତ୍ତା ଯୁଗ୍ମ କମିସନର ସୁମନ ସୁନ୍ଦରରାୟ, ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରର ଉପ-ନିର୍ଦେଶକ କୁମୁଦ ସାହୁ ଓ ଖାଦ୍ୟ ନିରାପତ୍ତା ଅଧିକାରୀ ସତ୍ୟଜିତ ପଟେଲଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।