ରାଉରକେଲା: ସୁନ୍ଦରଗଡ଼ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିକୁ ଆଖିବୁଜା ଖର୍ଚ୍ଚ କରାଯାଇଛି। ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ଓ ପାନୀୟ ଜଳ ବାବଦରେ ଏସବୁ ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାର ବହୁ ଗାଁ, ବସ୍ତି ଦେଖିପାରିନି ଭଲରାସ୍ତା ଓ ବିଜୁଳି। ବିଶୁଦ୍ଧ ପାଣି ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଆଜି ବି ଅପହଞ୍ଚ ହୋଇରହିଛି। ଟଙ୍କା ଖର୍ଚ୍ଚ ହୋଇଥିବାର ଅନେକ ସ୍ଥାନରେ ବଡ଼ ବଡ଼ ଫଳକ ଲାଗିଛି। କିନ୍ତୁ ସେଠାକାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଜିଲ୍ଲାର ସ୍ବାସ୍ଥ୍ୟସେବା ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ଡିଏମ୍ଏଫ୍ ପାଣ୍ଠିରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ସେଣ୍ଟ୍ରାଲ ଲ୍ୟାବ୍ ନାଁରେ ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କାର ଉପକରଣ କିଣାଯାଇଛି। ତିନି ବର୍ଷ ପରେ ମଧ୍ୟ ସେଣ୍ଟ୍ରାଲ୍ ଲ୍ୟାବ୍ ଖୋଲିନି। ମେସିନ୍ ଅଛି କି ନାହିଁ, କାହାରି ପାଖରେ ଉତ୍ତର ମଧ୍ୟ ନାହିଁ। କେବଳ ଆର୍ଜିଏଚ୍ ନୁହେଁ; କୋଇଡ଼ା, ଗୁରୁଣ୍ଡିଆ, ଲହୁଣିପଡା, ନୂଆଗାଁ ସମେତ ଅନେକ ବ୍ଲକ୍ରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ସ୍ବାସ୍ଥ୍ୟସେବା ଆଣ୍ଠେଇଛି। ଗତ ୧୦ ବର୍ଷ ମଧ୍ୟରେ ଅର୍ଥାତ ୨୦୧୫-୧୬ରୁ ୨୦୨୪ ମେ’ ମଧ୍ୟରେ ବିଭିନ୍ନ ଖଣିରୁ ଡିଏମ୍ଏଫ୍ ପାଣ୍ଠିକୁ ଆସିଛି ୭ ହଜାର ୬୫୦ କୋଟି ୩୮ ଲକ୍ଷ ଟଙ୍କା। ସେଥିରୁ ଖର୍ଚ୍ଚ ହୋଇଛି ୫ ହଜାର ୯୩୩ କୋଟି ୧୭ ଲକ୍ଷ ଟଙ୍କା। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ନୂଆ ସରକାର ଦାୟିତ୍ବ ନେବା ବେଳକୁ ଡିଏମ୍ଏଫ୍ ପାଣ୍ଠିରେ ମାତ୍ର ୧ ହଜାର ୭୧୭ କୋଟି ୨୧ ଲକ୍ଷ ଟଙ୍କା ଜମାଥିଲା। ପାଣ୍ଠି ଗଠନର ପ୍ରଥମ ୭ ବର୍ଷ ମଧ୍ୟରେ ମାତ୍ର ୧ ହଜାର ୪୩୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ସୁନ୍ଦରଗଡ଼ର ତତ୍କାଳୀନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ୨୦୧୯ ଜୁଲାଇରୁ ୨୦୨୨ ଜୁନ୍ ପର୍ଯ୍ୟନ୍ତ ୩ ବର୍ଷ ସୁନ୍ଦରଗଡ଼ ଜିଲ୍ଲାପାଳ ଥିଲେ। ତାଙ୍କ ୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଅର୍ଥାତ ୨୦୧୯-୨୦ରୁ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରାୟ ୨୫୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେ ଆସିବା ସମୟରେ ଡିଏମ୍ଏଫ୍ ପାଣ୍ଠିରେ ପ୍ରାୟ ୧୦୬୬ କୋଟି ୬୪ ଲକ୍ଷ ଟଙ୍କା ଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ୬୬୭ କୋଟି ଟଙ୍କା ସଂଗୃହୀତ ହୋଇଥିଲା। ଖର୍ଚ୍ଚ ହୋଇଥିଲା ୩୬୮ କୋଟି ୫୫ ଲକ୍ଷ। ୨୦୨୦-୨୧ରେ ୭୫୧ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଖର୍ଚ୍ଚ ହୋଇଥିଲା ୭୧୨ କୋଟି।
ଗରିବଙ୍କ ଟଙ୍କା ଲୁଟ୍ ଜାଣି ବି ସରକାର ଅଜଣା ଭଳି ହେଉଛନ୍ତି, କାହାର ସୁରକ୍ଷା ଲାଗି ଚୁପ୍?
ସୁନ୍ଦରଗଡ଼: ୫ ବର୍ଷରେ ୫,୬୪୨ କୋଟି ଖର୍ଚ୍ଚ
ସନ୍ଦେହ ଘେରରେ ଦୁଇ ଜିଲ୍ଲାପାଳଙ୍କ ଭୂମିକା
ଗାଁ ଦେଖିଲାନି ରାସ୍ତା, ବିଜୁଳି ଓ ବିଶୁଦ୍ଧ ପାଣି
୨୦୨୧-୨୨ରେ ୧୮୩୩ କୋଟି ଆଦାୟ ହୋଇଥିବା ବେଳେ ଖର୍ଚ୍ଚ କରାଯାଇଥିଲା ୧୪୪୯ କୋଟି। ୨୦୨୨-୨୩ ଆର୍ଥିକ ବର୍ଷ ଆରମ୍ଭ ବେଳକୁ ପାଣ୍ଠିରେ ୧୭୮୮ କୋଟି ୧୦ ଲକ୍ଷ ଟଙ୍କା ବଳକା ରହିଥିଲା। ଏହି ସମୟରେ ଦାୟିତ୍ବ ନେଇଥିଲେ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି। ୨୦୨୨-୨୩ ଓ ୨୦୨୩-୨୪ ଦୁଇବର୍ଷ କାର୍ଯ୍ୟକାଳ ମଧ୍ୟରେ କିନ୍ତୁ ଡିଏମ୍ଏଫ୍ ପାଣ୍ଠିର ସର୍ବାଧିକ ବ୍ୟୟ ହୋଇଥିଲା। ତାଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ୩୦୪୧ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ଖର୍ଚ୍ଚ ହୋଇଥିଲା ୩୧୧୨ କୋଟି ଟଙ୍କା। ଦୁଇ ତତ୍କାଳୀନ ଜିଲ୍ଲାପାଳଙ୍କ କାର୍ଯ୍ୟକାଳ ଅର୍ଥାତ ୫ ବର୍ଷ ମଧ୍ୟରେ ୫ ହଜାର ୬୪୨ କୋଟି ଟଙ୍କା ଖର୍ଚ୍ଚ କରି ଦିଆଯାଇଛି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଯୋଗାଯୋଗ, ମହିଳା ଓ ଶିଶୁ ବିକାଶ, ଦକ୍ଷତା ବିକାଶ, ଭିତ୍ତିଭୂମିର ବିକାଶ ବାବଦରେ ଏସବୁ ଅର୍ଥ ଖର୍ଚ୍ଚ କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ଜିଲ୍ଲାର ଖଣି ଅଞ୍ଚଳ କୋଇଡ଼ା ବ୍ଲକ୍ ହେଉ ବା ଉପାନ୍ତ ବ୍ଲକ୍ର ଅଧିକାଂଶ ଗାଁକୁ ଆଜି ମଧ୍ୟ ରାସ୍ତା ନାହିଁ। ଏବେ ବି ବିଜୁଳି ଆଲୋକ ବିନା ଲୋକେ ରାତି କାଟୁଛନ୍ତି। ଖର୍ଚ୍ଚ ହୋଇଥିବା ଟଙ୍କାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ବଡ଼ଧରଣର ଦୁର୍ନୀତିର ଫର୍ଦ୍ଦାଫାସ୍ ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଯାଜପୁର: ୨୨ କୋଟିର କ୍ରୀଡ଼ା କମ୍ପ୍ଲେକ୍ସ ପ୍ରତିଯୋଗିତା ପାଇଁ ଅଯୋଗ୍ୟ
ଅନିଲ କୁମାର ପଣ୍ଡା
ଯାଜପୁରସଦର: ଯାଜପୁରରେ ଠିଆହୋଇଛି ୨୨ କୋଟିର କ୍ରୀଡ଼ା ଭିତ୍ତିଭୂମି। କିନ୍ତୁ ବୈଷୟିକ ତ୍ରୁଟି କାରଣରୁ ରାଜ୍ୟ, ଜାତୀୟ କଥା ଦୂରେ ଥାଉ; ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ମଧ୍ୟ ଏହା ଉପଯୁକ୍ତ ନୁହେଁ। ପୂର୍ବ ସରକାର ଏହାର ନିର୍ମାଣକୁ ନେଇ ବେଶ୍ ପ୍ରଚାର କରିଥିଲେ ସୁଦ୍ଧା ଆଖିବୁଜା ଦୁର୍ନୀତି କରିବା ସହ ମାନ ପ୍ରତି ଦୃଷ୍ଟି ଦେଇ ନଥିବାରୁ ବହୁକୋଟିର ଏହି ପ୍ରକଳ୍ପ ନିର୍ମାଣର ଉଦ୍ଦେଶ୍ୟ ବିଫଳ ହୋଇଛି।
ଯାଜପୁର ସହରର କେନ୍ଦ୍ରସ୍ଥଳ କୁସୁମା ସମ୍ମୁଖରେ ୨୨ କୋଟି ଟଙ୍କାର ଖଣିଜ ପାଣ୍ଠି (ଡିଏମ୍ଏଫ୍) ବିନିମୟରେ ନିର୍ମାଣ ହୋଇଛି ଏହି କ୍ରୀଡ଼ା କମ୍ପ୍ଲେକ୍ସ। ୧୫ ଏକର ପରିମିତ ଜମିରେ ଗଢ଼ି ଉଠିଥିବା ଏହି କମ୍ପ୍ଲେକ୍ସ ଭିତରେ ବାସ୍କେଟବଲ୍, ଭଲିବଲ୍, ଲନ୍ ଟେନିସ୍, କ୍ରିକେଟ୍, ଫୁଟ୍ବଲ୍, ଆଥ୍ଲେଟିକ୍ କ୍ରୀଡ଼ାର ସୁବିଧା ଥିବାବେଳେ ଇନ୍ଡୋର କ୍ରୀଡ଼ାରେ ଟେବୁଲ୍ ଟେନିସ୍, ସ୍କ୍ବାସ୍, ଯୋଗାଭ୍ୟାସ ଆଦିର ସୁବିଧା ରହିଛି। ଆଥ୍ଲେଟିକ୍ ପାଇଁ ୬ଟି ଟ୍ରାକ୍ର ନିୟମ ଥିବାବେଳେ ପାଖାପାଖି ୪ କୋଟି ଟଙ୍କାରେ ୫ଟି ସିନ୍ଥେଟିକ ଟ୍ରାକ୍ ନିର୍ମିତ ହୋଇଛି। ଟ୍ରାକ୍ର ବ୍ୟାସାର୍ଦ୍ଧ ଓ ସଳଖ ପ୍ରସ୍ତୁତିରେ ବୈଷୟିକ ସମସ୍ୟା ରହିଛି। ମେସିନ୍ରେ ଧଳା ଚିହ୍ନ ନ ପକାଇ ହାତରେ କରାଯାଇଛି। ଡ୍ରେନ୍ ନିର୍ମାଣରେ ତ୍ରୁଟି ଯୋଗୁଁ ପାଣି ଜମିରହି ବହୁମୂଲ୍ୟର ଟ୍ରାକ୍ ନଷ୍ଟ ହେବାକୁ ବସିଲାଣି। ଏଠାରେ ଥିବା ଫୁଟ୍ବଲ୍ ପଡ଼ିଆରେ ମଧ୍ୟ ସମସ୍ୟା ରହିଛି। ପୂର୍ବତନ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ଡିଏମ୍ଏଫ୍ ପକ୍ଷରୁ ଏହାକୁ ଗୁରୁତ୍ବ ଦିଆଯାଇ ନଥିଲା। ଏତେ ବଡ଼ ପ୍ରକଳ୍ପ ନିର୍ମାଣ ବାବଦରେ ଜିଲ୍ଲା କ୍ରୀଡ଼ା ବିଭାଗ ପାଖରେ କୌଣସି ସୂଚନା ନଥିବାବେଳେ ରାଜ୍ୟ ବାହାର ଠିକାସଂସ୍ଥା ଦ୍ବାରା ନିମ୍ନମାନର କାର୍ଯ୍ୟ କରାଯାଇଥିଲା। ଖାଲି ଟ୍ରାକ୍ ନୁହେଁ; ଫୁଟ୍ବଲ୍ ପଡ଼ିଆ, କ୍ରିକେଟ ପିଚ୍ ମଧ୍ୟ ନିର୍ଦ୍ଧାରିତ ମାନ ଅନୁଯାୟୀ ହୋଇନାହିଁ। କ୍ରୀଡ଼ା ନିୟମ ଅନୁଯାୟୀ ଷ୍ଟାଡିୟମ ନିର୍ମାଣ ହୋଇ ନଥିବାରୁ କୌଣସି ପ୍ରତିଯୋଗିତା ଆୟୋଜନ ନିମନ୍ତେ ଏହାର ଭିତ୍ତିଭୂମି ଉପଯୁକ୍ତ ନୁହେଁ ବୋଲି ଜିଲ୍ଲା ପ୍ରଶାସନକୁ କ୍ରୀଡ଼ା ବିଭାଗ ରୋକ୍ଠୋକ୍ ଜଣାଇ ଦେଇଛି।
ଅନ୍ୟପକ୍ଷରେ ବର୍ତ୍ତମାନ ଯାଜପୁର ଯଖପୁରାଠାରେ ୪୪ କୋଟି ଟଙ୍କାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠି ବିନିମୟରେ ଷ୍ଟାଡିୟମ୍ ନିର୍ମାଣ ହେଉଥିବାବେଳେ ଏହାର ଯାଞ୍ଚ କରିବାକୁ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀରମୋହନ ଟୁଡୁଙ୍କୁ ନିର୍ଦେଶ ଦେଇଛନ୍ତି। ଫଳରେ ଠିକାସଂସ୍ଥା କିଛି ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ଭାଙ୍ଗି ପୁନର୍ବାର ନିର୍ମାଣ କରୁଛି। ଏଏଫ୍ଆଇ (ଆଥଲେଟିକ୍ ଫେଡରେସନ୍ ଅଫ୍ ଇଣ୍ଡିଆ)ର ନିୟମାନୁଯାୟୀ ଷ୍ଟାଡିୟମ୍ ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି। ଯାଜପୁର ସହରରେ ୨୨ କୋଟିର ପ୍ରକଳ୍ପ ଦେଖିବାକୁ ସୁନ୍ଦର ଲାଗୁଥିଲେ ହେଁ ବୈଷୟିକ ଦୃଷ୍ଟିରୁ ଏହା କୌଣସି ପ୍ରତିଯୋଗିତା ଆୟୋଜନ ପାଇଁ ଅନୁପଯୁକ୍ତ ବୋଲି କ୍ରୀଡ଼ା ଅଧିକାରୀ ଫକୀରମୋହନ ଟୁଡୁ ସ୍ପଷ୍ଟ କରିଛନ୍ତି।