ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବିଗାଡ଼ୁଛନ୍ତି; ମଞ୍ଜୁରିରେ ସୀମିତ ରହିଯାଉଛି ଶିଳ୍ପାୟନ

ଫେରି ଯାଉଛନ୍ତି କମ୍ପାନି, ଭୋଟ ଦେଇଥିବା ଲୋକେ ଶିଳ୍ପକୁ ବିରୋଧ କରୁଛନ୍ତି କାହିଁକି?

ଭୁବନେଶ୍ବର : ଓଡ଼ିଶାରେ ରାଜନୈତିକ ଅସ୍ଥିରତା ନାହିଁ। ଆଇନଶୃଙ୍ଖଳା ପରିସ୍ଥିତି ସାଧାରଣତଃ ଉପୁଜିନଥାଏ। ରାଜ୍ୟର ଭୌଗୋଳିକ ସ୍ଥିତି ଯାହା ଏଠାରେ କାରଖାନା ପାଇଁ ଜମି, ଜଳ ଏବଂ କଞ୍ଚାମାଲର ଅଭାବ ନାହିଁ। କଞ୍ଚାମାଲ ବିଦେଶକୁ ରପ୍ତାନି କରିବା ପରେ ବି ରାଜ୍ୟରେ କାରଖାନା ସ୍ଥାପନ କରି ସେଥିରେ ମୂଲ୍ୟଯୋଗ କରାଗଲେ ଅଧିକ କର୍ମନିଯୁକ୍ତି ସୁଯୋଗ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରେ କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ପୁଞ୍ଜିନିବେଶକୁ ଫୋକସ୍ କରିଛନ୍ତି। ନୂଆ ଶିଳ୍ପନୀତି ପ୍ରସ୍ତୁତ ହୋଇଛି। ବିସ୍ଥାପନ, ଥଇଥାନ ଏବଂ ପୁନର୍ବାସ ନୀତି ବି। କେବଳ ସେତିକି ନୁହେଁ, ଶିଳ୍ପାୟନକୁ ପ୍ରାଥମିକତା ଦେଇ ଓଡ଼ିଶା ସରକାର ଗତ କିଛିବର୍ଷ ହେଲା ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ ଆୟୋଜନ କରି ଆସୁଛନ୍ତି। କରୋନା ମହାମାରୀ ପରେ ତୃତୀୟ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେବ। ଏଥିପାଇଁ ନିଜେ ନବୀନ ଓ ଅଧିକାରୀ ଦେଶ ବିଦେଶର ନିବେଶକଙ୍କୁ ଓଡ଼ିଶା ଡାକୁଛନ୍ତି। ହେଲେ ଗତ ୨୦ବର୍ଷ ମଧ୍ୟରେ ଓଡ଼ିଶାର ପୁଞ୍ଜିନିବେଶ ତାଲିକା ଦେଖିବା ପରେ ଯେଉଁ ସାଧାରଣ କଥାଟିଏ ସାମ୍ନାକୁ ଆସୁଛି, ତାହା ହେଲା- ଶିଳ୍ପାୟନ କ୍ଷେତ୍ରରେ ସରକାରଙ୍କୁ ବେଶି ପ୍ରତିଶ୍ରୁତି ମିଳିଛି; ନିବେଶ କମ୍ ହୋଇଛି।

ଏଥିପାଇଁ ଯେ ରାଜ୍ୟ ସରକାର ଯେଉଁ କଥା କହି ଶିଳ୍ପସଂସ୍ଥାକୁ ଡାକୁଛନ୍ତି, ତାଙ୍କ ପ୍ରଶାସନ ସେସବୁ ଯୋଗାଇଦେବାରେ ପ୍ରାୟ ଅସମର୍ଥ। ଆହୁରି ସରଳ ଭାବେ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପାୟନ ସ୍ବପ୍ନକୁ ସାକାର କରିବା ଲାଗି ମୁଖ୍ୟ ସଚିବଙ୍କ ପ୍ରଶାସନିକ ଟିମ୍ ସମର୍ଥ ହୋଇପାରିନାହିଁ। ରାଜ୍ୟ ସରକାର ପୂର୍ବ ଦୁଇଟି ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ୬ଲକ୍ଷ ୨୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରତିଶ୍ରୁତି ପାଇଛନ୍ତି। ଅଥଚ ବିଧାନସଭାରେ ସରକାର ତଥ୍ୟ ରଖିଛନ୍ତି ଯେ ଏଯାଏ ରାଜ୍ୟରେ ମୋଟ ୫,୬୭୪ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି।

ଓଡ଼ିଶାର ବିଭିନ୍ନ ସହରର ଶିଳ୍ପାଞ୍ଚଳ ବୟାନ କରୁଛି ଯେ ରାଜ୍ୟରେ ଶିଳ୍ପାୟନର ସ୍ଥିତି କେତେ ସୁଦୃଢ ଏବଂ ସରକାର କେତେ ପ୍ରାଥମିକତା ଦେଉଛନ୍ତି। ଆଉ ଯଦି ବଡ଼ ଶିଳ୍ପାନୁଷ୍ଠାନ କଥା କହିବା ତେବେ ଭାତ ହାଣ୍ଡିରୁ ଗୋଟିଏ ଦୁଇଟି ଚିପିବା ଭଳି ପୋସ୍କୋ, ମିତ୍ତଲକୁ ଉଦାହରଣ ଭାବେ ନିଆଯାଇପାରେ। ଛୋଟ ଛୋଟ କଂପାନିର ତାଲିକା ତ ଏ କ୍ଷେତ୍ରରେ ବେଶ୍ ଲମ୍ବା।

ଶିଳ୍ପପତିମାନଙ୍କର କହିବା କଥା, ଗୋଟିଏ ସମୟରେ ବିଶ୍ବର ଅନ୍ୟତମ ବୃହତ୍ କମ୍ପାନି ମିତ୍ତଲ ଷ୍ଟିଲ ଏବଂ ପୋସ୍କୋ ଓଡ଼ିଶାରେ ଦୁଇଟି ବୃହତ୍ ଇସ୍ପାତ କାରଖାନା ସ୍ଥାପନ ପାଇଁ ଆଗେଇ ଆସିଥିଲେ। ପାରାଦୀପ ନିକଟରେ ପ୍ରାୟ ୫୨ ହଜାର କୋଟି ଟଙ୍କା ବିନିଯୋଗରେ ୧୨ ନିୟୁତ ଟନ ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ ପାଇଁ ପୋସ୍କୋ ଦୀର୍ଘବର୍ଷ ଧରି ସଂଘର୍ଷ କରିବା ପରେ ବି ସଫଳ ହୋଇପାରିଲା ନାହିଁ। ଶେଷରେ କମ୍ପାନି ଓଡ଼ିଶା ପ୍ରକଳ୍ପରୁ ଓହରିଗଲା। ଆର୍ସେଲର ମିତ୍ତଲ ଷ୍ଟିଲ କମ୍ପାନି କେନ୍ଦୁଝର ଜିଲ୍ଲାର ପାଟଣାଠାରେ କାରଖାନା ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା। କିନ୍ତୁ ସେହି ପ୍ରକଳ୍ପ ନ‌ଆଗେଇବା ଦ୍ବାରା କେନ୍ଦୁଝରବାସୀଙ୍କ ମେଗା ଇସ୍ପାତ କାରଖାନା ଦେଖିବା ସ୍ବପ୍ନ ସାକାର ହୋଇପାରିଲା ନାହିଁ। ଏହାର ଦୀର୍ଘବର୍ଷ ପରେ ସେହି ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ମେଗା ଇସ୍ପାତ କାରଖାନା ସ୍ଥାପନ ପାଇଁ ପୁଣିଥରେ ରାଜ୍ୟ ସରକାରଙ୍କ ସହିତ ଗତବର୍ଷ ବୁଝାମଣାପତ୍ର ସ୍ବାକ୍ଷର କରିଛି। କିନ୍ତୁ ଏମଓୟୁକୁ ଇତିମଧ୍ୟରେ ୧୮ ମାସ ବିତି ଯାଇଥିଲେ ମଧ୍ୟ ଉକ୍ତ ପ୍ରକଳ୍ପରେ କୌଣସି ଅଗ୍ରଗତି ହୋଇନାହିଁ। ପୁରୀରେ ବିଶ୍ବସ୍ତରୀୟ ବେଦାନ୍ତ ବିଶ୍ବବିଦ୍ୟାଳୟ ବିବାଦରେ ଫସି ଫାଇଲ ଭିତରେ ତାର ଭାଗ୍ୟକୁ ରୁନ୍ଧି ଦେଲା।

niti.gov.in

ଏଥିରୁ ବୁଝାପଡ଼ୁଛି ଯେ ନିବେଶକମାନଙ୍କୁ ଓଡ଼ିଶାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଯେତିକି ତତ୍ପରତା ଦେଖା‌ଉଛନ୍ତି ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରିବା ପାଇଁ ସେତିକି ଆଗ୍ରହ ଦେଖାଉନାହିଁ। ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କୁ ଡାକି ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା କାର୍ଯ୍ୟକାରୀ ନହେବା ଦ୍ବାରା ଓଡ଼ିଶାର ଛବି କେବଳ ଶିଳ୍ପପତିଙ୍କ ନିକଟରେ ମଳିନ ହେଉଛି ତା ନୁହେଁ, ସରକାରଙ୍କ ପ୍ରତିଶ୍ରୁତି ମଧ୍ୟ ଧୂଆଁବାଣରେ ପରିଣତ ହେଉଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏ ଦିଗରେ ଆଉ ଗୋଟିଏ ମୌଳିକ ପ୍ରଶ୍ନ ଉଠାଇଛନ୍ତି। ଏମାନଙ୍କର ଯୁକ୍ତି ହେଉଛି ଯେ ଯେଉଁ ଭୋଟରମାନେ ସରକାରକୁ ଏତେ ବଡ଼ ସଂଖ୍ୟାରେ ମତ ଦେଇ ନିର୍ବାଚିତ କରୁଛନ୍ତି, ସେହି ମତଦାତା ସରକାରଙ୍କ ଶିଳ୍ପାୟନକୁ ବିରୋଧ କରୁଛନ୍ତି କେମିତି? ସରକାରଙ୍କ ନିଷ୍ପତ୍ତି ସହିତ ସେମାନେ ରହୁନାହାନ୍ତି କାହିଁକି? ଏହା ଉପରେ ଅଧିକ ଆଲୋଚନା ଓ ବିତର୍କ ଆବଶ୍ୟକ ପଡ଼ିଲାଣି।

ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ କହିବା କଥା ହେଉଛି ଯେ ସରକାର ୨୦୧୬ ମସିହାରୁ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ କରି ଆସୁଛନ୍ତି। ପ୍ରଥମ ସଂସ୍କରଣରେ ରାଜ୍ୟକୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଏବଂ ୨୦୧୮ରେ ହୋଇଥିବା ଦ୍ବିତୀୟ ସମ୍ମିଳନୀରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। କିନ୍ତୁ ଏଥିରୁ କେତେ ନିବେଶ ବାସ୍ତବରେ ହୋଇଛି ତାହା କାହାକୁ ଅଛପା ନାହିଁ।

ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବ। ଇତିମଧ୍ୟରେ ଦୁବାଇ, ମୁମ୍ବାଇ ଠାରୁ ଆରମ୍ଭ କରି ଅନେକ ସହରରେ ସରକାର ରୋଡ୍‌ ସୋ’ କରିଛନ୍ତି। ଅଧିକାଂଶ ନିବେଶକ ସମ୍ମିଳନୀକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇ ନିବେଶକମାନଙ୍କୁ ଓଡ଼ିଶା ଆସିବା ଲାଗି ଆମନ୍ତ୍ରଣ କରିଛନ୍ତି। ଆଗାମୀ ଦିନରେ ଚେନ୍ନାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ମଧ୍ୟ ଏଭଳି ରୋଡ୍‌ ସୋ ଆୟୋଜନ ଯୋଜନା ରହିଛି। ଏଣୁ ଯେଉଁ ଶିଳ୍ପପତି ଓଡ଼ିଶା ଆସିବା ଲାଗି ଚାହୁଛନ୍ତି, ସେମାନେ କିଭଳି ବିନା ବାଧାରେ ଶି​​ଳ୍ପ ସ୍ଥାପନ କରିପାରିବେ, ସେକଥା ସରକାର ନିଶ୍ଚିତ କରିବା ଦରକାର। ପୂର୍ବ ଅଭିଜ୍ଞତାରୁ ଶିଖି ମୁଖ୍ୟମନ୍ତ୍ରୀ ପ୍ରଥମେ ମୁଖ୍ୟ ସଚିବ ଓ ତାଙ୍କ ଟିମ୍‌କୁ ଏଥିପାଇଁ ପ୍ରସ୍ତୁତ କରିବା ଦରକାର। ଅନ୍ୟଥା ଏସବୁ ପୁଞ୍ଜି ଆସିବା ଚର୍ଚ୍ଚା ବା ଭୋଟ ରାଜନୀତି ପାଇଁ ଭଲ ଶୁଭୁଛି, ବାସ୍ତବତା କିନ୍ତୁ ଅନ୍ୟ କିଛି କହୁଛି।

ଉଲ୍ଲେଖଥାଉକି, ରାଜ୍ୟର ପାରମ୍ପରିକ ପ୍ରମୁଖ କ୍ଷେତ୍ର ଖଣି ଓ ଧାତବ ବ୍ୟତୀତ ରାଜ୍ୟ ସରକାର ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ ଓ ପୋଷାକ, ଆଇଟି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ର ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ସରକାର ନିବେଶକମାନଙ୍କୁ ଆହ୍ବାନ ଦେଉଛନ୍ତି। ଏହା ବ୍ୟତୀତ ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ, ଡାଟା ସେଣ୍ଟର, ଇଭି ଓ ଇଭି ଉପକରଣ ତିଆରି କରିବା ଲାଗି ମଧ୍ୟ କଂପାନିଗୁଡ଼ିକୁ ଓଡ଼ିଶା ଆସିବା ପାଇଁ କୁହାଯାଉଛି। ହେଲେ ତଥ୍ୟ କହୁଛି, ପ୍ରଥମ ଦୁଇ ସଂସ୍କରଣରେ ଆସିଥିବା ନିବେଶ ପ୍ରସ୍ତାବଗୁଡ଼ିକ ମଧ୍ୟରୁ ୧୬୪ଟି ପ୍ରସ୍ତାବକୁ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ମଞ୍ଜୁରି ପ୍ରଦାନ କରାଯାଇଥିଲେ ମଧ୍ୟ ଏଥିରୁ ସିଂହଭାଗ ଏଯାଏ କାଗଜପତ୍ରରେ ରହିଛି। ଏଇଥିପାଇଁ ଯେ ନିବେଶ ପାଇଁ ଆଗେଇ ଆସୁଥିବା ନିବେଶକମାନଙ୍କୁ ସବୁ ସୁବିଧା ଠିକ୍ ସମୟରେ ଯୋଗାଇ ଦିଆଯାଇ ପାରୁନାହିଁ। ସେମାନଙ୍କୁ କାଗଜ, କଲମ ଏବଂ କମ୍ପ୍ୟୁଟରରେ ଯେଉଁ‌ ଗୋଲାପି ଚିତ୍ର ଦେଖାଯାଉଛି ଭୂମିକୁ ଗଲାବେଳକୁ ସେମାନେ ତାହା ଦେଖିବାକୁ ପାଉନାହାନ୍ତି।

ସମ୍ବନ୍ଧିତ ଖବର