କେନ୍ଦ୍ରାପଡ଼ା/ହାଟଡିହି: ପୁଲିସକୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଛନ୍ତି ତାଙ୍କ ସଂପର୍କୀୟ। ଗତକାଲି ରାତିରେ କେନ୍ଦୁଝରଜିଲ୍ଲା ହାଟଡିହି ଅଞ୍ଚଳରେ ଏହି ଘଟଣା ଘଟିଛି। ଏକ ଠକେଇ ମାମଲାରେ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ହାଟଡିହି ବ୍ଲକ୍ ଅଧୀନ ନନ୍ଦିପଦା ପୁଲିସ ସହାୟତାରେ ଶାଳଣିଆଁ ଗ୍ରାମର ଯୋଗେନ୍ଦ୍ର ବେହେରାଙ୍କୁ ଗିରଫ କରିଥିଲା। ତାଙ୍କୁ ପ୍ରଥମେ ନନ୍ଦିପଦା ଥାନାକୁ ନିଆଯାଇଥିଲା। ରାତି ପ୍ରାୟ ୮ଟା ପରେ କେନ୍ଦ୍ରାପଡ଼ା ପୁଲିସ ତାଙ୍କୁ ଧରି ସେଠାରୁ ବାହାରିଯାଇଥିଲା। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଜଳସରପୁର ଗ୍ରାମର ବରଦା ପ୍ରସନ୍ନ ନାୟକଙ୍କୁ ଗିରଫ କରିବାକୁ ଯିବା ସମୟରେ ଯୋଗେନ୍ଦ୍ରଙ୍କ ସମ୍ପର୍କୀୟ ଓ ସମର୍ଥକମାନେ ଚଷାଖଣ୍ଡ ନିକଟରେ ପୁଲିସ ଗାଡ଼ିକୁ ଅଟକାଇଥିଲେ। ୧୦ରୁ ୧୨ଜଣ ଯୁବକ ସଂଘବଦ୍ଧ ଆକ୍ରମଣ କରି ଯୋଗେନ୍ଦ୍ରଙ୍କୁ ଛଡ଼ାଇ ନେଇଥିଲେ। ଏଥିରେ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ କେନ୍ଦ୍ରାପଡ଼ା ପୁଲିସ ସେଠାରୁ ଫେରିଆସି ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲା।
ଏ ନେଇ ୩୬୨/୨୫ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଗତରାତିରୁ ତନାଘନା କରିଥିଲେ ମଧ୍ୟ ସଫଳ ହୋଇନାହିଁ। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବସପୁର ଲୁଣାନଦୀ ବାଲିଘାଟକୁ ଶାଳଣିଆଁର ଯୋଗେନ୍ଦ୍ର ବେହେରା ଲିଜ୍ ନେଇଥିଲେ। କିନ୍ତୁ ବାଲିଘାଟ ଚଳାଇବା ପାଇଁ ସେ ନିକିରାଇ ଥାନା ଇଟିପୁର ଗ୍ରାମର ମାଧବ ଚନ୍ଦ୍ର ପ୍ରଧାନଙ୍କ ନାମରେ ଚୁକ୍ତି କରି ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଲୋକଙ୍କଠାରୁ ଟଙ୍କା ନେଇ ସେମାନଙ୍କ ନାମରେ ଚୁକ୍ତିପତ୍ର କରିଦେଇଥିଲେ। ଏହାକୁ ନେଇ ମାଧବ ଚନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ। ଯୋଗେନ୍ଦ୍ର ଓ ଜଳସରପୁର ଗ୍ରାମର ବରଦା ପ୍ରସନ୍ନ ନାୟକ ତାଙ୍କଠାରୁ ମୋଟ ୪୫ ଲକ୍ଷ ୫୪ ହଜାର ୯୫୯ ଟଙ୍କା ଠକିନେଇଥିବା ସେ ଏତଲାରେ ଦର୍ଶାଇଥିଲେ। କେନ୍ଦ୍ରାପଡ଼ା ପୁଲିସ ଏ ସଂକ୍ରାନ୍ତରେ ୫୧୫/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/03/police-thief-2025-09-03-04-53-53.jpg)