ଭୁବନେଶ୍ବର: ଆନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀରେ ଆୟୋଜିତ ପ୍ରଦର୍ଶନୀରେ ମାଣ୍ଡିଆର ଗୋଲାପ ଜାମୁନ, ପାପଡ଼, ଗଜା, ସେଉ, ମାଲପୁଆ, କୁଦୋ ସେଉ, ଗୁର୍ଜିର ଚାଉଳ ସମେତ ବିଭିନ୍ନ ପ୍ରକାର ଭେଟାଇଟିର ସ୍ବାଦିଷ୍ଟ ମିଲେଟ୍ ଶୁଖିଲା ଜଳଖିଆ ବିକ୍ରି କରି ଆକର୍ଷଣର କେନ୍ଦ୍ର ସାଜିଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ଅଞ୍ଚଳର ଶିବ ନାଏକ। ଯେତେ ଗ୍ରାହକ ଆସୁଥିଲେ, ସମସ୍ତଙ୍କୁ ସେ ମାଣ୍ଡିଆ ବିସ୍କୁଟ ବଢାଇ ଦେଉଥିଲେ। ମଧୁମେହ ରୋଗୀଙ୍କ ପାଇଁ ଉଦିଷ୍ଟ ଏହି ବିସ୍କୁଟ୍ ଖୁବ ସ୍ବାଦିଷ୍ଟ। ସେଥିପାଇଁ ତାଙ୍କ ଷ୍ଟଲ ପାଖରେ ବେଶ ଭିଡ଼ ଜମି ଥିଲା। ଶିବ କହନ୍ତି, ତାଙ୍କର ୫ ଏକର ଚାଷ ଜମିରେ ୩ ଏକରରେ ରସାୟନିକ ସାରମୁକ୍ତ ଜୈବିକ ଧାନ ଚାଷ ଏବଂ ୨ ଏକରରେ ୨୬ ପ୍ରକାର ମାଣ୍ଡିଆ ସହିତ, ୩ ପ୍ରକାର କୁଦୋ, ୨ ପ୍ରକାର ଗୁର୍ଜି, ୫ ପ୍ରକାର ସୁଆଁ ଏବଂ ଗୋଟିଏ ପ୍ରକାର କାଙ୍ଗୁ ଚାଷ କରନ୍ତି। ୨୦୧୭ ମସିହାରୁ ସରକାର ମିଲେଟ୍ ମିସନ ମାଧ୍ୟମରେ ମାଣ୍ଡିଆ ଚାଷର ପ୍ରୋତ୍ସାହନ କରୁଛନ୍ତି। କିନ୍ତୁ ସେମାନେ ମିଲେଟ୍ର ଗୁରୁତ୍ବ ବୁଝି ୨୦୦୨ ମସିହାରୁ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି।
ପ୍ରକୃତରେ ପୂର୍ବଜମାନେ କାହିଁ କେତେ ବର୍ଷ ହେଲା ରକ୍ସି ଏବଂ ଗୁର୍ଜି ଚାଷ କରୁଥିଲେ। ସେତେବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ମିଳୁନଥିଲା। ତେଣୁ ଗୁର୍ଜିର ଚାଉଳ ସମସ୍ତେ ଖାଉଥିଲେ। ଗୁର୍ଜି ଚାଷରେ ଖର୍ଚ୍ଚ ନାହିଁ ଏବଂ ୨ ମାସରେ ଉତ୍ପାଦିତ ହେଉଥିବାରୁ ଛୋଟ ଏବଂ ନାମମାତ୍ର ଚାଷୀଙ୍କ ପାଇଁ ବରଦାନ ସଦୃଶ ଥିଲା। ୧୯୭୭ ମସିହା ପରେ ରସାୟନିକ ସାର ଏବଂ ଧାନକୁ ନେଇ ଏତେ ପ୍ରଚାର-ପ୍ରସାର ହେଲା ଯେ ତାଙ୍କ ପରିବାର ସମେତ ସମ୍ପୂର୍ଣ୍ଣ ଗାଁର ଲୋକେ ଏହି ଚାଷ ଛାଡ଼ି ଦେଇଥିଲେ। ବରଗଡ଼ ଜିଲ୍ଲାରେ ରସାୟନିକ ସାରର ମାତ୍ରାଧିକ ବ୍ୟବହାର ଦେଖି ମାଟି ବିଷାକ୍ତ ହେବାକୁ ଲାଗିଲା। ଜେଜେ ବାପାଙ୍କ ପରାମର୍ଶରେ ୧୯୯୮ ମସିହାରେ ଗୁର୍ଜି ଚାଷ ଆଡ଼କୁ ମନ ବଳାଇଥିଲେ। କିନ୍ତୁ ସେତେବେଳେ ଏହାର ଚାଷ ଏତେ କମି ଯାଇଥିଲା ଯେ ୧୦୦ ଟଙ୍କା ଖର୍ଚ୍ଚ କରି ୧ କ୍ବିଣ୍ଟାଲ୍ ବିହନ ଆଣିଥିଲେ। ୨୦୦୨ ମସିହାରୁ ଅହିଂସା କ୍ଲବ ମାଧ୍ୟମରେ ଜୈବିକ ସାର ଏବଂ ମିଲେଟ୍ ଚାଷ ଦିଗରେ କାର୍ଯ୍ୟ ପାଇଁ ମନ ବଳାଇଲେ। ୨୦୦୮ରୁ ଗାଁରେ କୁଦୋ, ଗୁର୍ଜି, ମାଣ୍ଡିଆ, ସୁଆଁ, ସରଗମ ଭଳି ୫ ପ୍ରକାର ମିଲେଟ୍ ଚାଷ ହେଲା। ଗାଇସିଲେଟରେ ମିଲେଟ୍ ପଞ୍ଚାୟତ ହେଲା। ପାଇକମାଲରେ ଏବେ ତାଙ୍କର ମାଣ୍ଡିଆ ହୋଟେଲ୍ ରହିଛି। ଏଠାରେ ମାଣ୍ଡିଆର ବିଭିନ୍ନ ପ୍ରକାର ଜଳଖିଆ ମିଳେ।