ଭୁବନେଶ୍ବର: ପାର୍ବଣରେ ମଦ ବିକ୍ରି ବଢ଼ିଛି। ତଥ୍ୟ କହୁଛି ଗୋଟିଏ ସପ୍ତାହରେ ୧୦କୋଟିରୁ ଅଧିକ ଟଙ୍କାର ମଦ ସ୍ବାହା ହୋଇଯାଇଛି। ଏଥିରୁ ବିଦେଶୀ ମଦ ପ୍ରାୟ ୭କୋଟିର ବିକ୍ରି ହୋଇଥିବା ବେଳେ ଆସ୍କା ଫଟି ୩କୋଟିର ଟଙ୍କାର ବିକ୍ରି ହୋଇଛି। ସ୍ବାଭାବିକ ସ୍ଥିତିରୁ ଏହା ୫ ପ୍ରତିଶତ ଅଧିକ ବୋଲି କୁହାଯାଇଛି। 

Advertisment

ତଥ୍ୟ ଅନୁସାରେ ଅକ୍ଟୋବର ୭ ତାରିଖରୁ ୧୩ ତାରିଖ ମଧ୍ୟରେ ଓଡ଼ିଶା ଷ୍ଟେଟ୍‌ ବେଭେରେଜ୍ କର୍ପୋରେସନ୍‌(ଓଏସ୍‌ବିସି) ଡିପୋରୁ ରିଟେଲର୍‌ମାନେ ୨୦୦ କୋଟି ଟଙ୍କାର ମଦ ଉଠାଇଛନ୍ତି। ଇଣ୍ଡିଆ ମେଡ୍‌ ଫରେନ୍‌ ଲିକର୍‌ ଓ ଫରେନ୍‌ ମେଡ୍‌ ଫରେନ୍‌ ଲିକର୍‌ ୧୪୯ କୋଟି ଟଙ୍କା,  ବିୟର ୬୨ କୋଟି ଓ ଦେଶୀମଦ ୯ କୋଟି ଟଙ୍କାର ଉଠିଛି ବୋଲି ଓଏସ୍‌ବିସି ସୂତ୍ରରୁ ଜଣାପଡ଼ିଛି। ଏହି ସମୟରେ ଭସାଣି ବେଳେ ବହୁ ମଦ କାଉଣ୍ଟର ବନ୍ଦ ରହିଥିଲେ ବି ବିକ୍ରି କମିବା ପରିଲକ୍ଷିତ ହୋଇନାହିଁ। ଓଏସ୍‌ବିସି ତଥ୍ୟ ଅନୁସାରେ ସ୍ବାଭାବିକ ସ୍ଥିତିରେ ଆଇଏମ୍‌ଏଫ୍ଏଲ୍‌ ଓ ଏଫ୍ଏମ୍ଏଫ୍ଏଲ୍‌ ୧୪ .୨୫ ଲକ୍ଷ ଲିଟର ବିକ୍ରି ହୋଇଥାଏ। କିନ୍ତୁ ଏଥର ପାର୍ବଣରେ ୧୫ ଲକ୍ଷ ଲିଟର ବିକ୍ରି ହୋଇଛି।

ସେହିପରି ସ୍ବାଭାବିକ ଭାବେ ବିୟର ୨୪.୭ ଲକ୍ଷ ଲିଟର ବିକ୍ରି ହୋଇଥାଏ। ଏଥର ପାର୍ବଣରେ ୨୫ ଲକ୍ଷ ଲିଟର ବିକ୍ରି ହୋଇଛି। ଦେଶୀମଦ ବା ଆସ୍କା ଫଟି ୨.୮୫ ଲକ୍ଷ ଲିଟର ବିକ୍ରି ହେଉଥିବାବେଳେ ଏଥର ପାର୍ବଣରେ ୩ଲକ୍ଷ ଲିଟର ବିକ୍ରି ହୋଇଛି। ଏହି ହିସାବରୁ ସ୍ପଷ୍ଟ ହୋଇଛି ଯେ ଚଳିତ ବର୍ଷ ପାର୍ବଣ ବେଳେ ହିଁ ମଦ କାରବାର ବଢ଼ିଛି। ପାର୍ବଣକୁ ଶାନ୍ତିଶୃଙ୍ଖଳାର ସହ ସମାହିତ କରିବାକୁ ମଦ ବେପାର ଉପରେ ସିଧାସଳଖ ଅଙ୍କୁଶ ନ ଲାଗିଥିଲେ ହେଁ ପୁଲିସ ଭସାଣି ଭଳି ପର୍ବରେ ମଦ କାଉଣ୍ଟର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲା ଏବଂ କାଉଣ୍ଟର ବନ୍ଦ ମଧ୍ୟ ରହିଥିଲା। ତା’ ସତ୍ତ୍ବେ ମଦ ବେପାର କମିବା ବଦଳରେ ବଢ଼ିଥିବା ଦେଖିବାକୁ ମିଳିଛି।