ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼ ହେମଗିର ଥାନା ବଲିଙ୍ଗା ଫାଣ୍ଡିଠାରୁ ମାତ୍ର ଅଢ଼େଇକିମି ଦୂର ବରପାଲିରେ ହୋଇଛି ସଶସ୍ତ୍ର ଡକାୟତି। ରବିବାର ବିଳମ୍ବିତ ରାତିରେ ୪ ଜଣ ଡକାୟତ ମନୋଜ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ଘରେ ପଶି ବନ୍ଧୁକ ଦେଖାଇ ସମସ୍ତଙ୍କୁ ବାନ୍ଧି ପକାଇ ନିସ୍ତୁକ ମାଡ଼ମାରିବା ସହ ଲୁଟି ନେଇଛନ୍ତି ଦେଢ଼କେଜି ସୁନାଗହଣା ଓ ନଗଦ ୨ ଲକ୍ଷ ଟଙ୍କା। ଜାନୁଆରି ୨୭ରେ ମର୍ଚ୍ଚାଣ୍ଟ ନେଭିରେ ଚାକିରି କରୁଥିବା ପୁଅର ବିବାହ ଥିଲା। ବିବାହ ପାଇଁ ରଖାଯାଇଥିବା ସୁନାଗହଣା ଓ ଟଙ୍କାକୁ ଡକାୟତମାନେ ଲୁଟିନେବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏତଲା ପରେ ହେମଗିର ପୁଲିସ ସମେତ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛନ୍ତି।
ରବିବାର ରାତିରେ ମନୋଜ ଓ ତାଙ୍କ ପରିବାର ସଦସ୍ୟ ଖାଇପିଇ ଶୋଇ ଯାଇଥିଲେ। ବିଳମ୍ବିତ ରାତିରେ ୪ ଜଣ ଡକାୟତ ଆସି କବାଟ ବାଡ଼େଇଥିଲେ। କେହି ଡାକୁଛି ଭାବି କବାଟ ଖୋଲିଦେବା ପରେ ସେମାନେ ଧସେଇ ପଶି ଯାଇଥିଲେ। ୨ ଜଣ ବନ୍ଧୁକ ଧରିଥିବା ବେଳେ ଅନ୍ୟ ୨ ଜଣ ଭୁଜାଲି ଓ ବାଡ଼ି ଧରିଥିଲେ। ପ୍ରଥମେ ସେମାନେ ବନ୍ଧୁକ ଦେଖାଇ ସମସ୍ତଙ୍କୁ ରଶିରେ ବାନ୍ଧିଦେଇଥିଲେ। ସୁନାଗହଣା ଓ ଟଙ୍କା କେଉଁଠି ରଖିଛ ବୋଲି ପଚାରିଥିଲେ। ମନୋଜ ଓ ପରିବାର ଲୋକେ କୌଣସି ଉତ୍ତର ନ ଦେବାରୁ ସମସ୍ତଙ୍କୁ ନିସ୍ତୁକ ପିଟିଥିଲେ। ପ୍ରାଣଭୟରେ ତାଙ୍କ ପତ୍ନୀ ଆଲମିରା ଓ ଲକର ଚାବି ଦେଇଥିଲେ। ଚାବି ନେଇ ଡକାୟତ ଦଳ ଆଲମିରାରୁ ପ୍ରାୟ ଦେଢ଼କେଜି ସୁନାଗହଣା ଓ ନଗଦ ୨ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଗଲାବେଳେ ସମସ୍ତଙ୍କ ମୋବାଇଲ୍ ଓ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ ମଧ୍ୟ ନେଇ ଯାଇଛନ୍ତି। ଡକାୟତମାନେ ବୋଲେରୋରେ ଆସିଥିବା କୁହାଯାଉଛି। ଡକାୟତ ଦଳ ଚାଲିଯିବା ପରେ ମନୋଜ ଥାନାକୁ ଯାଇ ଏତଲା ଦେଇଥିଲେ। ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି।
ଉଲ୍ଲେଖଯୋଗ୍ୟ, ୨୦୨୩ ଅଗଷ୍ଟ ୪ ତାରିଖ ରାତିରେ ଏହି ଥାନା ଅନ୍ତର୍ଗତ ବିଲେଇମୁଣ୍ତାର ବିଜେଡି ନେତା ଗୋପାଳ ପଧାନଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିଲା। ୬ ଜଣ ମୁଖାପିନ୍ଧା ଡକାୟତ ବନ୍ଧୁକ ମୁନରେ ନଗଦ ୩୨ ଲକ୍ଷ ନଗଦ ଟଙ୍କା ଓ ବହୁମୂଲ୍ୟର ସୁନାଗହଣା ଲୁଟି ନେଇଥିଲେ। ଦେଢ଼ବର୍ଷ ପରେ ବି ପୁଲିସ ସେମାନଙ୍କୁ ଧରି ପାରିନଥିବାବେଳେ ଏବେ ସମାନଢଙ୍ଗରେ ବରପାଲିରେ ଡକାୟତି ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/21/qJe4jlq2018qdEHGmF91.jpg)