ଯାଜପୁରଟାଉନ: ଭୁବନେଶ୍ବରରେ ଦେଢ଼ ବର୍ଷର ଶିଶୁ କେଶବ ଅପହରଣ ଘଟଣାର ୫୦ ଘଣ୍ଟା ଭିତରେ ସଫଳତା ପାଇଲା ପୁଲିସ। କିନ୍ତୁ ୫ ବର୍ଷ ହେଲା ଯାଜପୁରର କୁନିଝିଅ ପିହୁ ଘର ଆଗରୁ ନିଖୋଜ ହୋଇଯାଇଛି। ଏ ସଂପର୍କରେ ମା’ ମୋନାଲିସା ବାରମ୍ବାର ପୁଲିସ, ପ୍ରଶାସନ, ସରକାରଙ୍କୁ ଗୁହାରି କରି ନିରାଶ ହୋଇଛନ୍ତି। ଝିଅକୁ ଫେରିପାଇବା ପାଇଁ ୫ ବର୍ଷ ଧରି ତାଙ୍କ ଅପେକ୍ଷାର ଅନ୍ତ ହେଉନି। କେଶବ ଘଟଣାରେ ଯଦି ୫୦ ଘଣ୍ଟାରେ ନିଖୋଜ ପୁଅକୁ ପୁଲିସ ଖୋଜିପାରୁଛି ତେବେ ୫ ବର୍ଷ ହେଲା ତାଙ୍କ ଝିଅକୁ କାହିଁକି ଖୋଜୁନାହାନ୍ତି ବୋଲି ମୋନାଲିସା ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି। ଆଜି ଜିଲ୍ଲାପାଳଙ୍କୁ ଭେଟିବା ଅବସରରେ ମୋନାଲିସା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ଦେଇଛନ୍ତି।  

Advertisment

ଜିଲ୍ଲାପାଳଙ୍କୁ ଭେଟିଲେ ‘ପିହୁ’ର ମାଆ 
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର

ମୋନାଲିସାଙ୍କ ସୂଚନା ଅନୁସା‌ରେ, ୨୦୨୦ ଅଗଷ୍ଟ ୮ ତାରିଖରେ ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁ ଦାଣ୍ଡରୁ ଅଢ଼େଇବର୍ଷର ଶିଶୁକନ୍ୟା ପିହୁ ନିଖୋଜ ହୋଇଯାଇଥିଲା। ଅସହାୟ ପରିବାର ପୁଲିସର ଦ୍ବାରସ୍ଥ ହେବାର ୭ ଦିନ ପରେ ପୁଲିସ ମାମଲା ରୁଜୁ କରିଥିଲା ଏବଂ ୪ ମାସ ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପ‌ରେ ନିରବ ବସିଥିବା ପୁଲିସ ସକ୍ରିୟ ହୋଇଥିଲେ ବି ପିହୁର ସନ୍ଧାନ ପାଇନଥିଲା। ଖୋଜିବା ବାହାନାରେ ଗାଁରେ ପୋଖରୀ ଶୁଖାଇବାଠାରୁ ଆରମ୍ଭ କରି ପୋଷ୍ଟର୍‌ ଲଗାଇ ପୁରସ୍କାର ଘୋଷଣା କରିଥିଲା ପୁଲିସ। ଏହା ସତ୍ତ୍ବେ ଝିଅକୁ ନ ପାଇବାରୁ ମୋନାଲିସା ପୁଲିସ ଡିଜି ଏବଂ ରାଜ୍ୟ ସରକାରଙ୍କୁ ଜଣାଇବାକୁ ଉଦ୍ୟମ କରିଥିଲେ। ହେଲେ ସେ ସମୟରେ ପୁଲିସ ପିହୁକୁ ଖୋଜିବା ପରିବର୍ତ୍ତେ ମା’ ମୋନାଲିସାଙ୍କୁ ଜଗିବାରେ ଲାଗି ପଡ଼ିଥିଲା। କାହିଁକି ଓ କାହା ଚାପରେ ପୂର୍ବ ସରକାର ନିରବ ବସିଥିଲେ ବୋଲି ମୋନାଲିସା ପ୍ରଶ୍ନ କରିଛନ୍ତି। ସେ ସମୟରେ ଦାୟିତ୍ବରେ ଥିବା ଦୁଇଜଣ ଥାନାଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ପିହୁ ଘଟଣାର ପୁନର୍ବାର ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଛନ୍ତି।