ସୋର: ବାଲେଶ୍ବର ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି। ଆଜି ସୋରରେ ଜଣେ ଡାକ୍ତରଙ୍କୁ ଦୁର୍ବୃତ୍ତମାନେ ସର୍ବସମ୍ମୁଖରେ କଟୁରିରେ ହାଣି ଦେଇଛନ୍ତି। ସୂଚନା ଅନୁସାରେ ଖଇରା ଅଞ୍ଚଳର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବ୍ରଜସୁନ୍ଦର ସ୍ୱାଇଁ ସରକାରୀ ଚାକିରି ଛାଡ଼ି ସୋର କଲେଜଛକରେ ଏକ କ୍ଲିନିକ୍‌ କରିଛନ୍ତି। ସେଠାରେ ଅନ୍ୟ ଡାକ୍ତରଙ୍କ ସହ ସେ ମଧ୍ୟ ରୋଗୀ ଦେଖନ୍ତି। ଆଜି ରୋଗୀଙ୍କୁ ଦେଖି ସାରିବା ପରେ ଡାକ୍ତର ସ୍ୱାଇଁ ସନ୍ଧ୍ୟାରେ ଘରକୁ ବାହାରିଥିଲେ। ତେବେ ଏହି ସମୟରେ ହଠାତ୍‌ ୨ଟି ବାଇକ୍‌ରେ ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ସର୍ବସମ୍ମୁଖରେ ତାଙ୍କୁ ୨ଟି କଟୁରିରେ ହାଣିଥିଲେ। ଫଳରେ ଡାକ୍ତର ସ୍ୱାଇଁଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। କ୍ଲିନିକ୍‌ରେ ଥିବା ବାପା ଏବଂ ସ୍ଥାନୀୟ କିଛି ଲୋକ ତାଙ୍କୁ ଉଦ୍ଧାର କରି ସୋରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ସ୍ୱାଇଁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ସୋର ପୁଲିସ ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଆକ୍ରମଣରେ ବ୍ୟବହୃତ ୨ଟି କଟୁରି ଜବତ ହୋଇଛି। ଆକ୍ରମଣର କାରଣ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।