ବୈଶିଙ୍ଗା: ଭଡ଼ା ବାବଦ ୧୦ଟଙ୍କା ଦେଇ ପାରିଲେନି ବୋଲି ଦୁଇ ନାବାଳକ ଭାଇଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଓହ୍ଲାଇବା ପରିବର୍ତ୍ତେ ୨୫ କିଲୋମିଟର ବୁଲାଇଲେ ‘ମୁଖ୍ୟମନ୍ତ୍ରୀ ବସ୍‌’ର କଣ୍ଡକ୍ଟର୍‌। ୨ ଘଣ୍ଟା ପରେ ବସ୍‌କୁ ଅଟକାଇ ୨ଭାଇଙ୍କୁ ଉଦ୍ଧାର କରିଛନ୍ତି ପରିବାର ଲୋକ। ଏଭଳି ଅମାନବୀୟ କାର୍ଯ୍ୟ ପାଇଁ ‌କଣ୍ଡକ୍ଟର୍‌ଙ୍କୁ ବୈଶିଙ୍ଗା ବଜାରରେ ଉଠ୍‌ବସ୍‌ କରାଇଛନ୍ତି ଲୋକେ। ମୟୂରଭଞ୍ଜଜିଲ୍ଲା ବେତନଟୀ ବ୍ଲକ୍‌ର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ଅମାନବୀୟ କାର୍ଯ୍ୟ ପାଇଁ କଣ୍ଡକ୍ଟର୍‌ଙ୍କୁ ଉଠ୍‌ବସ୍‌ କରାଇଲେ ଲୋକେ

Advertisment

ସୂଚନା ଅନୁଯାୟୀ ବୈଶିଙ୍ଗା ଗ୍ରାମର ସରୋଜ ପୁଥାଳଙ୍କ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ପୁଅ ପୀୟୂଷ ଓ ନଡ଼ପୁର ଗ୍ରାମର ସରୋଜଙ୍କ ଭିଣୋଇ ବ୍ରଜମୋହନ ବେହେରାଙ୍କ ସପ୍ତମରେ ପଢ଼ୁଥିବା ପୁଅ ରୋହିତ ରବିବାର ଅପରାହ୍‌ଣ ୨ଟା ସମୟରେ ବୈଶିଙ୍ଗା ଆସିବା ପାଇଁ ନଡ଼ପୁର ଛକରୁ (ଓଡି-୧୧ଏଇ-୩୪୧୯)  ‘ମୁଖ୍ୟମନ୍ତ୍ରୀ ବସ୍‌’ରେ ଚଢ଼ିଥିଲେ। ବସ୍‌ରେ ଉଠିବା ସମୟରେ ଦୁଇଭାଇ ଭଡ଼ା ବାବଦ ୧୦ଟଙ୍କା ନଥିବା କଣ୍ଡକ୍ଟର୍‌ ଦାୟିତ୍ୱରେ ଥିବା ଦାରିହା ଗ୍ରାମର ପ୍ରତାପ ବଇଠାଙ୍କୁ କହିଥିଲେ। ବୈଶିଙ୍ଗା ବସ୍‌ଷ୍ଟାଣ୍ଡରେ ତାଙ୍କ ବାପା ସରୋଜ ଜଗିଛନ୍ତି, ସେଠାରେ ଭଡ଼ା ଦେଇଦେବେ। ହେଲେ ବୈଶିଙ୍ଗା ପହଞ୍ଚିବା ବେଳକୁ ସରୋଜ ସେଠାରେ ନଥିଲେ।

ଏଥିପାଇଁ କଣ୍ଡକ୍ଟର୍‌ ଦୁଇଭାଇଙ୍କୁ ବୈଶିଙ୍ଗାରେ ଓହ୍ଲାଇବାକୁ ନଦେଇ ବସ୍‌ର ଶେଷ ଷ୍ଟପେଜ୍‌ କଳମା ଅଞ୍ଚଳର କାନ୍ଥି ପର୍ଯ୍ୟନ୍ତ ପ୍ରାୟ ୨୫ କିଲୋମିଟର ନେଇଯାଇଥିଲେ। ଏପଟେ କିଛି ସମୟ ପରେ ସରୋଜ ବୈଶିଙ୍ଗାରେ ପହଞ୍ଚି ପିଲାମାନଙ୍କୁ ନପାଇ ଫୋନ୍‌ କରିବାରୁ ଘଟଣା ସମ୍ପର୍କରେ ଜାଣିଥିଲେ। ୨ ଘଣ୍ଟା ପରେ ବସ୍‌ଟି ବୈଶିଙ୍ଗା ଫେରିବା ବେଳେ ଦୁଇ ଭାଇଙ୍କୁ ଉଦ୍ଧାର କରିଥିଲେ। ବୈଶିଙ୍ଗା ବଜାରରେ ସରୋଜ ଓ ସ୍ଥାନୀୟ ଲୋକେ କଣ୍ଡକ୍ଟର୍‌ଙ୍କୁ ଘେରିଯାଇଥିଲେ। ବସ୍‌ କଣ୍ଡକ୍ଟର୍‌ ଉଠ୍‌ବସ୍‌ ହେବା ସହ ଭୁଲ୍‌ ମାଗିବାରୁ ଛାଡ଼ ପାଇଥିଲେ।