ପୁରୀ: ରଥଯାତ୍ରାର ଭିନ୍ନ ଭିନ୍ନ ନାମ ରହିଛି। ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ହେଉଥିବା ନବଦିନାତ୍ମକ ଯାତ୍ରାକୁ ପତିତପାବନ ଯାତ୍ରା, ଘୋଷଯାତ୍ରା, ଗୁଣ୍ଡିଚା ଯାତ୍ରା, ସୁନ୍ଦରାଚଳ ଯାତ୍ରା, ଜନ୍ମବେଦୀ ଯାତ୍ରା, ଦଶାବତାର ଯାତ୍ରା ଭାବେ ନାମିତ କରାଯାଇଥାଏ। ନବଦିନାତ୍ମକ ଯାତ୍ରାରେ ଦଶ ଦେବ ବିଗ୍ରହ ଯାତ୍ରା କରୁଥିବାରୁ ସାଧାରଣରେ ଏହାକୁ ଦଶାବତାର ଯାତ୍ରା ବୋଲି ମଧ୍ୟ କୁହାଯାଏ। ଡ. ତୁଳସୀ ଓଝାଙ୍କ ରଥ ସଂହିତା ମୁତାବକ, ବଳଭଦ୍ରଙ୍କ ତାଳଧ୍ବଜ ରଥରେ ନୃସିଂହ, ବଳଭଦ୍ର, ରାମ, କୃଷ୍ଣ ମିଶି ଚାରି ମୂର୍ତ୍ତି ଯାତ୍ରା କରିଥାଆନ୍ତି। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ମଦନମୋହନ, ବାସୁଦେବ, ଜଗନ୍ନାଥ ମିଶି ତିନି ମୂର୍ତ୍ତି ଯାତ୍ରା କରନ୍ତି। ଦେବୀ ସୁଭଦ୍ରାଙ୍କ ରଥରେ ସୁଭଦ୍ରା, ସୁଦର୍ଶନ, ଜୟଦୁର୍ଗା ମିଶି ତିନି ମୂର୍ତ୍ତି ଯାତ୍ରା କରନ୍ତି। ତେଣୁ ଏହି ରଥଯାତ୍ରାକୁ ଦଶାବତାର ଯାତ୍ରା ବୋଲି ମଧ୍ୟ କୁହାଯାଇଥାଏ। ରଥରେ ଦଶ ଆରୋହୀଙ୍କ ସହିତ ରଥରେ ମଧ୍ୟ ଦଶ ତତ୍ତ୍ବର ସମାହାର ଦେଖାଯାଇଥାଏ। ସ୍କନ୍ଦପୁରାଣ ତଥା ଶ୍ରୀମଦ ଭାଗବତରେ ବର୍ଣ୍ଣିତ ତତ୍ତ୍ବ ଅନୁସାରେ ମହାପ୍ରଭୁଙ୍କ ନୀଳାଚଳରୁ ସୁନ୍ଦରାଚଳ ପର୍ଯ୍ୟନ୍ତ ଗତି କରୁଥିବା ରଥ ହେଉଛି ଦଶାବତାରର ଧାରକ। ଚରାଚର ବ୍ରହ୍ମାଣ୍ଡ ଯେପରି ମହାପ୍ରଭୁଙ୍କ ଲୋମକୂପରେ ବିରାଜମାନ କରୁଛି, ଠିକ୍ ସେହିପରି ତାଙ୍କ ରଥ ମଧ୍ୟ ଚରାଚର ବ୍ରହ୍ମାଣ୍ଡରେ ନିହିତ ଦଶତତ୍ତ୍ବକୁ ଧାରଣ କରିଥିବା ଉଲ୍ଲେଖ ରହିଛି।
ଭଉଁରୀରେ ହୁଏ ଚକା ଡେରା ନୀତି
ମହାପ୍ରଭୁଙ୍କ ଚନ୍ଦନ ଯାତରେ ଭଉଁରୀ ଦିନ ରଥର ଚକା ଡେରା ବିଧି ଅନୁଷ୍ଠିତ ହୁଏ। ଏହା ପୂର୍ବରୁ ବୃଷ ସଂକ୍ରାନ୍ତିରେ ସାଧାରଣତଃ ଅଖ ଅନୁକୂଳ କାର୍ଯ୍ୟକୁ ରଥଖଳାରେ ମହାରଣା ସେବକମାନେ କରିଥାନ୍ତି। ବିଧି ଅନୁଯାୟୀ ତେବେ ଯେଉଁ ବର୍ଷ ସଂକ୍ରାନ୍ତି ଭଉଁରୀରେ ପଡ଼େ, ସେବକମାନେ ସୁବିଧା ଅନୁସାରେ ଏହା ପୂର୍ବରୁ ଅନୁକୂଳ କରିଥାଆନ୍ତି। ଭଉଁରୀ ଦିନ ତିନି ରଥର ତିନିଟି ମୁଖ୍ୟ ନାହାକା ଅଖରେ ଚକଡେରା ପାଇଁ ଚକରେ ପଇତା ପକାଯାଇଥାଏ। ପ୍ରଥମେ ତିନି ନାହାକା ଅଖକୁ ସ୍ନାନ କରାଯାଇଥାଏ। ଶ୍ରୀମନ୍ଦିରରେ ଉକ୍ତ ଦିନ ସକାଳ ଧୂପ ସରିବା ପରେ ତିନି ବାଡ଼ର ପୂଜାପଣ୍ଡା ସେବକମାନେ ଛତ୍ରି, ତରାଶ, କାହାଳୀ ସହିତ ପଟୁଆରରେ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ସହ ରଥଖଳାକୁ ଆସନ୍ତି।
ସ୍ନାନ ସରିଥିବା ଚକ ଓ ଅଖକୁ ଭୋଇ ସେବକମାନେ ଯୋଖି ଠିଆ କରାଇଥାନ୍ତି। ଆଜ୍ଞାମାଳକୁ ପ୍ରଥମେ ନନ୍ଦିଘୋଷ, ପରେ ତାଳଧ୍ବଜ ଓ ଶେଷରେ ଦେବଦଳନ ରଥର ଅଖରେ ଲାଗି କରାଯାଇଥାଏ। ତିନି ରଥର ମୁଖ୍ୟ ମହାରଣା ଚକରେ ଲାଗି ହୋଇଥିବା ଆଜ୍ଞାମାଳକୁ କାଢ଼ି ରଥଖଳା ନିକଟସ୍ଥ ଚର୍ଚ୍ଚିକାଙ୍କ ପୀଠକୁ ନେଇଥାନ୍ତି। ସେଠାରେ ଆଜ୍ଞାମାଳ ମା’ଙ୍କଠାରେ ଲାଗି କରାଯାଇଥାଏ। ଭଉଁରୀ ଦିନ ତିନି ରଥର ୬ ଚକ ଡେରା ପରେ ବିଶ୍ବକର୍ମା ସେବକ, ଭୋଇ ସେବକ, କମାର ଓ ରୂପକାର ସେବକମାନେ ରଥ ନିର୍ମାଣ କାମରେ ନିୟୋଜିତ ହୁଅନ୍ତି। ଚକ, ଅଖ, ଅର, ନିରାଡ଼ି, ଯୋଖା, ମୁହାଁଟ ହଣା କାର୍ଯ୍ୟ ଚାଲିଥାଏ।
୪୨ଟି ତୁମ୍ବର ବିନ୍ଧ ପରଖ ଶେଷ
ଆଜି ରଥ ନିର୍ମାଣର ନବମ ଦିନରେ ତିନିରଥର ୪୨ଟି ତୁମ୍ବର ବିନ୍ଧ ପରଖ ଶେଷ ହୋଇ ତୁମ୍ବଗୁଡ଼ିକରେ ଅଗର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ତିନିରଥର ତୁମ୍ବଗୁଡ଼ିକରେ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଥିଲା। ତୁମ୍ବର ବିନ୍ଧ ପରଖ ସହ ତୁମ୍ବରେ ଅର ସଂଯୋଗ ପାଇଁ ଅଗର ବିନ୍ଧ କାର୍ଯ୍ୟ ଜାରି ରହିଥିଲା। ତିନି ରଥର ତୁମ୍ବଗୁଡ଼ିକରେ ପନ୍ଦାରି ଗାଡ଼ କାର୍ଯ୍ୟ ଆରମ୍ଭ ହୋଇଛି।
ମହାରଣା ସେବକମାନେ ତିନି ରଥର ୪୨ଟି ତୁମ୍ବର ୧୬ ଯୋଡ଼ା ବିନ୍ଧଗୁଡ଼ିକର ପରଖ କାର୍ଯ୍ୟ ଶେଷ କରିଛନ୍ତି। ବିନ୍ଧରେ ଅର ସଂଯୋଗ ପୂର୍ବରୁ ନିହାଣ ମାରି ବିନ୍ଧ ସାଇଜ କାର୍ଯ୍ୟ ଜାରି ରହିଛି। ତୁମ୍ବଗୁଡ଼ିକରେ ଅର କଣ୍ଟା ବାଡ଼ିଆ ପାଇଁ ଅଗର ବିନ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହ ଆଜି ତିନି ରଥର ମହାରଣା ସେବକମାନେ ତୁମ୍ବଗୁଡ଼ିକରେ ଅଖ ସଂଯୋଗ ପାଇଁ ପନ୍ଦାରି ଗଡ଼ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ତୁମ୍ବର ଉଭୟ ପାର୍ଶ୍ୱ ମଧ୍ୟ ଭାଗରେ ପନ୍ଦାରି ବଳା ବସିବା ପାଇଁ ନିହାଣରେ ହାଣି ଗୋଲାକାର ଗାଡ଼ ନିର୍ମାଣ କରୁଛନ୍ତି। ଯେପରି ବିନା ବାଧାରେ ଅଖଗୁଡ଼ିକ ପଶି ରହିପାରିବ। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା କମାର ସେବକମାନେ ତିନି ରଥର ୧ ନମ୍ୱର ଚକ ଏବଂ ୨ ନମ୍ୱର ଚକଗୁଡ଼ିକର ତୁମ୍ବ ପାଇଁ ପନ୍ଦାରି ବଳା ନିର୍ମାଣ ଶେଷ ପରେ ଦୁଇ ଦୁଇଟି ଚକର ତୁମ୍ବ ବଳା ନିର୍ମାଣ ଶେଷ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/10/IxJNqRUIZfa573jT3AWi.jpg)