ଭୁବନେଶ୍ବର: ଖାକିକୁ ଢାଲ କରି ଚୋରାରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଓଡ଼ିଶା ପୁଲିସର ୩ ଜଣ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିଛି। ଚାକିରିରୁ ତଡ଼ା ଖାଇଥିବା ଏହି ୩ କର୍ମଚାରୀ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ସାମୟିକ ଭାବେ ନିଯୁକ୍ତି ପାଇଥିବା ହାବିଲ୍ଦାର କୁନାଲ୍ ସିଂହ, କନେଷ୍ଟବଳ ନିଲମ୍ ବାର୍ଲା ଓ କନେଷ୍ଟବଳ ତ୍ରିଲୋଚନ ରଣା। ଏହି ତିନିଜଣ ପଞ୍ଚମ ଆଇଆର୍ବି ବାଟାଲିୟନ୍ ପକ୍ଷରୁ ମନମୁଣ୍ଡା ଥାନାରେ ପୋଷ୍ଟିଂ ପାଇଥିଲେ। ବାଟାଲିୟନ୍ କମାଣ୍ଡାଣ୍ଟ୍ ମନୋରଞ୍ଜନ ବିଶ୍ବାଳ ନିଜ କ୍ଷମତା ବଳରେ ଏହି ପଦକ୍ଷେପ ନେଇଛନ୍ତି। ବର୍ଦ୍ଦି ଆଢ଼ୁଆଳରେ ଏହି ୩ ପୁଲିସ କର୍ମଚାରୀ ଗଞ୍ଜେଇ ବେପାର କରୁଥିବାର ପ୍ରତ୍ୟକ୍ଷ ପ୍ରମାଣ ମିଳିବା ପରେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି।
ନକ୍ସଲ୍ ଓ ନିଶା ବିରୋଧୀ ଅପରେସନ୍ରେ ସିଧାସଳଖ ପୁଲିସକୁ ସହଯୋଗ କରିବା ଲକ୍ଷ୍ୟରେ ଏହି ୩ ପୁଲିସ କର୍ମଚାରୀଙ୍କୁ ବାଟାଲିୟନ୍ ପକ୍ଷରୁ ଥାନାରେ ନିଯୁକ୍ତି ମିଳିଥିଲା। କିନ୍ତୁ ଏମାନେ ବିଶ୍ବାସଘାତକ ସାଜିଥିଲେ। ବର୍ଦ୍ଦିକୁ ଢାଲ କରି ଏମାନେ କନ୍ଧମାଳର କିଛି ଗଞ୍ଜେଇ ମାଫିଆଙ୍କ ସହ ହାତ ମିଶାଇଥିଲେ। ଏମାନେ ଚୋରାରେ ନିଶାଦ୍ରବ୍ୟ ଚାଲାଣ କରୁଥିଲେ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରେ ଖବର ପହଞ୍ଚିଥିଲା। ତେଣୁ ଗତମାସ ୨୫ ତାରିଖରେ ମନମୁଣ୍ଡା ଥାନା ବାରାକ୍ରେ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା। ବିଭାଗୀୟ ଅଧିକାରୀଙ୍କୁ ମିଳିଥିବା ଖବର ସତ ଥିଲା ଏବଂ ହାବିଲ୍ଦାର କୁନାଲ୍ଙ୍କଠାରୁ ୫ କେଜି ଓ ୨ କନେଷ୍ଟବଳଙ୍କ ପାଖରୁ ୧୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
କେବଳ ପୁଲିସ ନୁହନ୍ତି, ଅବକାରୀ ବିଭାଗର କର୍ମଚାରୀମାନେ ମଧ୍ୟ ନିଶା ମାଫିଆଙ୍କ ଲିଙ୍କ୍ରେ ଥିବା ନଜିର ରହିଛି। ୨୦୨୪ରେ ଏହି ବିଭାଗର ୮ଜଣ ଚାକିରିରୁ ତଡ଼ା ଖାଇଥିବା ବେଳେ ୨୦ ଜଣଙ୍କୁ ନିଲମ୍ବନ କରାଯାଇଛି। ଚାକିରିରୁ ବିଦା ହୋଇଥିବା ଅବକାରୀ କର୍ମଚାରୀଙ୍କ ମଧ୍ୟରେ ୨ଜଣ ଏଏସ୍ଆଇ ଥିଲେ। କୋରାପୁଟ, ରାୟଗଡ଼ା, କଟକ ଓ ବାଲେଶ୍ବର ଜିଲ୍ଲାରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏମାନଙ୍କ ମଧ୍ୟରେ କିଛି ବାଲେଶ୍ବରରେ ବ୍ରାଉନ୍ସୁଗାର ଚୋରା ଚାଲାଣ କରୁଥିଲେ।