ଛିନତାଇ ମାମଲାରେ ଦୁଇ ଗିରଫ, ସୁନା ଚେନ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଚାରି ଦିନ ପୂର୍ବେ ଘଟିଥିବା ଏକ ଛିନତାଇ ମାମଲାରେ ଖୋର୍ଦ୍ଧା ଟାଉନ୍ ପୁଲିସ ଜଣକୁ ଗିରଫ କରିବା ସହ ସୁନା ଚେନ ଜବତ କରିଛି ।
ସୂଚନାନୁସାରେ, ଚଳିତ ମାସ ୨୬ ତାରିଖ ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ଶ୍ରଦ୍ଧାଂଜଳି ମଲ୍ଲିକ ଓ ତାଙ୍କ ଭାଇ ସହ ଜୟୀ ରାଜଗୁରୁ ପାର୍କକୁ ଯିବା ବେଳେ ଦୁଇଜଣ ଦୁର୍ବୃତ୍ତ ମୋଟରସାଇକଲରେ ଦ୍ରୁତଗତିରେ ଆସି ଶ୍ରଦ୍ଧାଂଜଳିଙ୍କ ବେକରୁ ସୁନାଚେନଟି ଝାଂପି ନେଇଯାଇଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପୂର୍ବ ଅପରାଧୀଙ୍କ ରେକର୍ଡ ଯାଂଚ କରି ଚନ୍ଦନ ନାୟକ ଓରଫ ବାଳୁଆକୁ ସନେ୍ଦହ କରିଥିଲା । ଆଜି ପୁଲିସ ଚନ୍ଦନକୁ ଆଣି ପଚାରାଉଚୁରା କରିବା ପରେ ସେ ନିଜର ସମ୍ପୃକ୍ତିକୁ ସ୍ୱୀକାର କରିବା ସହ ତା’ର ସାଥୀ ଦେବିପ୍ରସାଦ ରାଉଳ ସହ ଏକାଧିକ ଏଭଳି ସୁନାଚେନ ଲୁଟ କରିଥିବା କହିଥିଲା । ଏହାପରେ ପୁଲିସ ଦେବିପ୍ରସାଦକୁ ଧରି ଥାନାକୁ ଆଣିଥିଲା । ଉଭୟ ଲୁଟିନେଇଥିବା ସୁନା ଚେନକୁ ମୁଥହୁଟ ଫାଇନାନ୍ସରେ ବନ୍ଧା ରଖି ଟଙ୍କା ଆଣି ଖର୍ଚ୍ଚ କରିଥିବା କହିଥିଲେ । ପରେ ପୁଲିସ ଫାଇନାନ୍ସ କମ୍ପାନରୁ ଲୁଟ ସୁନାଚେନକୁ ଉଦ୍ଧାର କରିଥିଲା । ପୁଲିସ ୩୦୫/୨୦୨୨ ମାମଲାରେ ଉଭୟ ଗଡ଼ଖୋର୍ଦ୍ଧା ହାଉସିଂବୋର୍ଡ କଲୋନୀର ଚନ୍ଦନ ଓ ଦେବିପ୍ରସାଦକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସମ୍ବନ୍ଧିତ ଖବର