ସମ୍ବଲପୁର: ସମ୍ବଲପୁର ସହରରେ ଏବେ ବାଇକ୍‌ ଚୋର ମାତିଛନ୍ତି। ଟାଉନ୍‌ ଥାନା ଅଧୀନ କଚୋରି ଛକ ନିକଟରୁ ୨ ଦିନରେ ୨ଟି ବାଇକ୍‌ ଚୋରି ହୋଇସାରିଥିବା ବେଳେ ଧନୁପାଲି ଥାନା ଅଞ୍ଚଳରୁ ବୁଧବାର ଆଉ ଏକ ବାଇକ୍‌ ଚୋରି ହୋଇଛି। ଅନ୍ୟ ସ୍ଥାନ ତ ଦୂରର କଥା କଚେରି ଛକଟି ଏସ୍‌ପିଙ୍କ କାର୍ଯ୍ୟାଳୟ ପାଖରେ ଥିବା ପରେ ମଧ୍ୟ ଚୋରଙ୍କ ଭୟ ନାହିଁ। ମଙ୍ଗଳବାର ଆଇନଜୀବୀ ସୁଧୀର ମିଶ୍ରଙ୍କର ବାଇକ୍‌(ଓଆର୍‌ ୧୫ ପି ୬୪୩୦)କୁ କେହି ଚୋରି କରି ନେଇଥିବା ବେଳେ ଗୁରୁବାର କୋର୍ଟରେ କାର୍ଯ୍ୟରତ ଜଣେ କିରାଣିଙ୍କର ବାଇକ୍‌କୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ସୁଧୀର ମିଶ୍ର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଅନ୍ୟପଟେ ଧନୁପାଲି ଥାନା ଡ୍ରାଇଭର୍‌ କଲୋନିରୁ ସେବକ ଗଡ଼ନାୟକଙ୍କ ଗାଡ଼ି(ଓଡି ୧୫ଜେ ୧୭୪୯)କୁ ବୁଧବାର ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ। ସେ ଏ ନେଇ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଚେରୁଆପଡ଼ା ନିକଟରୁ ବୁଧବାର ରାତି ଆଉ୨ ଗାଡ଼ି ଚୋରି ହୋଇଛି। ଲୋକେ ଉଠି ପଡ଼ିବାରୁ ଦୁର୍ବୃତ୍ତମାନେ ଚୋରି କରୁଥିବା ଆଉ ଏକ ବାଇକ୍‌ ଛାଡ଼ିଦେଇ ଫେରାର୍‌ ହୋଇଯାଇଥିଲେ। ଆଉ ଏକ ବାଇକ୍‌ର ଲକ୍‌ ମଧ୍ୟ ଭାଙ୍ଗି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି। ଚୋରଙ୍କ ଦୌରାତ୍ମ୍ୟ ବଢ଼ୁଥିବା ବେଳେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି ସହ ଦୁର୍ବୃତ୍ତଙ୍କୁ ଧରିବାକୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଦୁର୍ବୃତ୍ତମାନେ ଗାଡ଼ି ଚୋରି କରୁଥିବାରେ ଦୃଶ୍ୟ ସିସିଟଭିରେ ମଧ୍ୟ କଏଦ ହୋଇଛି।