ଦୋକାନରୁ ରୁପା ଅଳଙ୍କାର ନେଇ ଧୂର୍ତ୍ତ ଛୁ’

ଭୁବନେଶ୍ବର : ଗ୍ରାହକ ବେଶରେ ଜଣେ ଧୂର୍ତ୍ତ ଏକ ଗହଣା ଦୋକାନରୁ ଲକ୍ଷେ ଟଙ୍କା ମୂଲ୍ୟର ରୁପା ଅଳଙ୍କାର ନେଇ ଚମ୍ପଟ ମାରିଛି। ଏନେଇ ତମାଣ୍ଡୋ ଥାନାରେ ଦୋକାନ ମାଲିକ ଆଜି ଅଭିଯୋଗ କରିଛନ୍ତି। ଦୁଇଦିନ ତଳେ ଜଣେ ଯୁବକ ଗହଣା କିଣିବାକୁ ଡିଏନ୍‌ ରିଗାଲିଆ ମଲ୍‌ରେ ଥିବା ନିମନ୍ତ୍ରଣ ଗହଣା ଦୋକାନକୁ ଆସିଥିଲା। ରୁପା ଥାଳି, ରୁପା ଚାମୁଚ୍, ଗିନା, ଲକେଟ୍ ଆଦି ଲକ୍ଷେ ୫ହଜାର ଟଙ୍କାର ଗହଣା ଓ ସାମଗ୍ରୀ କିଣିଥିଲା। ଅନ୍‌ଲାଇନରେ ଟଙ୍କା ଦେବ କହି ପ୍ରଥମେ ୧୦ଟଙ୍କା ପଠାଇ ଦୋକାନୀକୁ ଯାଞ୍ଚ କରିବାକୁ କହିଥିଲା। ଏହା ପରେ ଲକ୍ଷେ ଟଙ୍କାର ସ୍କ୍ରିନ୍ ସଟ୍ ଦେଖାଇ ଦୋକାନରୁ ଖସି ଯାଇଥିଲା। ପରେ ଦୋକାନ ମାଲିକ ତାଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଟଙ୍କା ଦେଇଥିବା କହିଥିଲା। ମାତ୍ର ଦୋକାନୀ ବ୍ୟାଙ୍କ୍ ଯାଇ ଯାଞ୍ଚ କରିବାରୁ ଆକାଉଣ୍ଟ୍‌କୁ ଟଙ୍କା ଆସିନଥିବା ଜଣାପଡ଼ିଥିଲା। ଏହା ପରେ ଗହଣା ଦୋକାନୀ ବାଧ୍ୟ ହୋଇ ଆଜି ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର