ସମ୍ବଲପୁର : ବୁର୍ଲା ଭିମ୍‌ସାରରେ ବଡ଼ ଧରଣର ଚୋରି ହୋଇଛି। ଗୁରୁବାର ବିଳମ୍ବତ ରାତିରେ ବୁର୍ଲା ମେଡିକାଲ କଲେଜର ୪ଟି ବିଭାଗର ୪୦ରୁ ଅଧିକ ତାଲା ଭାଙ୍ଗି ଚୋର ମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ତେବେ କୌଣସି ମେଡିକାଲ୍‌ କଲେଜ୍‌ ଭିତରେ ପ୍ରବେଶ କରି ଏଭଳି ବଡ଼ ଧରଣର ଚୋରି କରିବା ଓଡ଼ିଶାରେ ପ୍ରଥମ ଘଟଣା। ଏଥିରୁ ଭିମ୍‌ସାର୍‌ କେତ‌େ ସୁରକ୍ଷିତ ତାହା ପଦାରେ ପଡ଼ିଛି। ତେବେ ସୁରକ୍ଷା ବ୍ୟବସ୍ଥା ଭିତରେ କିଭଳି ଚୋରମାନେ ଏତେ ସାହସ କଲେ ତାହ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ଚୋର ମାନେ ମେଡିକାଲ କଲେଜ କୋଠାର ପଛ ଭାଗରେ ଥିବା ଏଫଏମ୍‌ଟି, ପାଥୋଲଜି, ଆନାଟୋମି, ମାଇକ୍ରୋବାଇଲୋଜି ଆଦି ୪ଟି ବିଭାଗର ୪୦ରୁ ଊର୍ଦ୍ଧ୍ବ ତାଲା ଭାଙ୍ଗି ଦେଇଥିଲେ। ଏହା ସହ ବିଭାଗ ଭିତରେ ଥିବା ଡ୍ର’ ଓ ଆଲମିରା ଗୁଡିକର ତାଲାକୁ ବି ଭଙ୍ଗା ଯାଇଥିଲା। ଏସବୁକୁ ମିଶାଇଲେ ମୋଟ୍‌ ଶହେରୁ ଅଧିକ ତାଲା ହେବ ବୋଲି କହାଯାଉଛି। ଏ ନେଇ ସୂଚନା ପାଇବା ପରେ ବୁର୍ଲା ଏସ୍‌ଡିପିଓ ସତ୍ୟବ୍ରତ ଦାଶ ଓ ଥାନାଧିକାରୀ ବିବି ଭୋଇ କଲେଜ୍‌ରେ ପହଞ୍ଚି ତଦନ୍ତ କରିଥିଲେ।

Advertisment

publive-image

ଗୁରୁବାର ଦିନ ୨ଟା ପରେ ମେଡିକାଲ କର୍ତ୍ତୃପକ୍ଷ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ୪ଟି ବିଭାଗରୁ ଭଙ୍ଗା ଯାଇଥିବା ତାଲା ଗୁଡ଼ିକ ବାରଣ୍ଡାରେ ପଡ଼ିଥିଲା। ଦୁର୍ବୃତ୍ତ ମାନେ ୨ଟି ଲ୍ୟାପ୍‌ଟପ୍‌ ଓ ଗୋଟିଏ ପ୍ରୋଜେକ୍ଟର୍‌ ଚୋରି କରିଛନ୍ତି। ଏହା ସହ ଛାତ୍ରଛାତ୍ରୀଙ୍କ ପ୍ରାକ୍‌ଟିକାଲ୍‌ ପାଇଁ ଥିବା ୩ଟି ପୁରୁଣା ଧାରୁଆ ଉପକରଣ ମଧ୍ୟ ଚୋରି କରି ନେଇଛନ୍ତି। ମୃତ ଶରୀର କାଟିବା ପାଇଁ ବ୍ୟବହୃତ ହେଉଥିବା ବଡ଼ ଆକାରର ଏହି ଉପକରଣ ଗୁଡ଼ିକ ଚୋର ମାନେ ଅପରାଧ ଘଟାଇବାରେ ବ୍ୟବହାର କରି ପାରନ୍ତି ବୋଲି ଆଶଂକା କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଅନ୍ୟପଟେ ଭିମ୍‌ସାର୍‌ ନିର୍ଦ୍ଦେଶକ ପ୍ରଫେସର୍‌ ଡା. ଲଳିତ ମେହେର କହିଛନ୍ତି, ଶୁକ୍ରବାର ସକାଳୁ ଚୋରି ହୋଇଥିବା ଜଣା ପଡ଼ିଥିଲା। ଜାଣିବା ପରେ ପୁଲିସକୁ ଖବର ଦିଆ ଯାଇଥିଲା। ୨ଟି ବଡ଼ ଗ୍ରିଲ୍‌ ଭଙ୍ଗା ଯାଇଛି। ପଛପଟ ଗେଟ୍‌ରେ ସୁରକ୍ଷା କର୍ମୀ ନଥିଲେ। ଏହି ଘଟଣା ପରେ ପଛ ପାର୍ଶ୍ବରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯିବ। ରାତିରେ ଥିବା ଜଗୁଆଳିମାନେ ବି ତଦନ୍ତ ପରିସରଭୁକ୍ତ ହେବେ ବୋଲି ସେ ସୂଚନା ଦେଇଛନ୍ତି।\