ଆର୍‌ଡିଏ ଷ୍ଟୋର୍‌ରୁମ୍‌ ଚୋରି ଘଟଣା: ବଢ଼ିଲା ଯନ୍ତ୍ରୀ, ଅଧିକାରୀ ଓ ଠିକାଦାରଙ୍କ ଅଡୁଆ

ସାମ୍ନାକୁ ଆସିଲା ଆଉ ତିନି ଚୋରି

ରାଉର‌କେଲା: ରାଉର‌କେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ଷ୍ଟୋର୍‌ରୁମ୍‌ ଚୋରି ଘଟଣା ଚର୍ଚ୍ଚାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ଚୋରି ଘଟଣା ପଦାକୁ ଆସିବାରେ ଲାଗିଛି। ଦାୟିତ୍ବରେ ଥିବା ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମିଳି ମିଶି ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି। ଷ୍ଟୋର୍‌ ରୁମ୍‌ ଚୋରିରୁ ଖସି ଯିବାକୁ ଦାୟିତ୍ବରେ ଥିବା ଯନ୍ତ୍ରୀ ଓ ଅଧିକାରୀ ଜଣକ ଆର୍‌ଡିଏ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷ ସାମ୍ନାରେ ତାଙ୍କ ବିପକ୍ଷରେ କିଛି ନ କହିବାକୁ ବୁଝାସୁଝା କରୁଛନ୍ତି। ଆଜି ଯନ୍ତ୍ରୀ ଓ ଅଧିକାରୀ ଜଣକ ଅଫିସ୍‌ରେ ପହଞ୍ଚିବା ପରେ ଦିନ ତମାମ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଚୋରି ସଂକ୍ରାନ୍ତରେ ଆର୍‌ଡିଏ ସମ୍ପାଦକ ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ କିଛି ନ କହିବାକୁ ଅନୁରୋଧ କରିଥିବା ଜଣାପଡିଛି।

ସେପଟେ ଘଟଣା ପ୍ରକାଶ ପାଇବା ପରେ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଘଟଣାକୁ ଗୁରୁତର ସହ ନେଇଛନ୍ତି। ଷ୍ଟୋର୍‌ରୁମ୍‌ର ରେକର୍ଡ ମଗାଇ ଯାଞ୍ଚ କରିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗତକାଲି କହିଥିଲେ। ଷ୍ଟୋର୍‌ରୁମ୍‌ ଷ୍ଟକ୍‌ ରେଜିଷ୍ଟର ହଜାଇ ଦେଇଥିଲେ ହେଁ ଉଦିତନଗର ଥାନାରେ ଲିଖିତ ଏତଲା ଆଧାରରେ ଯାଞ୍ଚ କରାଯିବ ବୋଲି ଆର୍‌ଡିଏର ଜଣେ ଅଧିକାରୀ କହିଛନ୍ତି। ଫଳରେ ଷ୍ଟୋର୍‌ରୁମ୍‌ ଦାୟିତ୍ବରେ ଥିବା ଅଧିକାରୀ ଓ ଯନ୍ତ୍ରୀଙ୍କ ଅଡୁଆ ବଢ଼ିଛି। ଆଜି ଏ ସଂକ୍ରାନ୍ତରେ ଜାଣିବାକୁ ଆର୍‌ଡିଏ ଦୁଇ ଅଧିକାରୀଙ୍କୁ ପଚାରିବାରୁ ସେ କିଛି କହିବାନୁ ମନା କରି ଦେଇଥିଲେ। ଆର୍‌ଡିଏର ଏହା କେବଳ ଏ ଗୋଟିଏ ଘଟଣା ନୁହେଁ ପୂର୍ବରୁ ଆର୍‌ଡିଏ ଅନେକ ଚୋରି ଘଟଣା ବିଭାଗୀୟ ଅଧିକାରୀଙ୍କ ନାଁରେ ରହିଛି।

ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡରେ ଲାଗିଥିବା ଲୁହା ଗ୍ରୀଲ୍‌କୁ ବସଷ୍ଟାଣ୍ଡରେ ଷ୍ଟୋର୍‌ରୁମ୍‌ରେ ରଖାଯାଇଥିଲା। ସେତେବେଳେ ଦାୟିତ୍ବରେ ଜଣେ ଅଧିକାରୀ ଷ୍ଟୋରରୁ ପ୍ରାୟ ୩୦୦ କ୍ବିଣ୍ଟାଲ ଲୁହା ଗ୍ରୀଲ୍‌କୁ ଚୋରି କରି ନିଜ ଗାଁକୁ ପଠାଇ ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଥିଲା। କେବଳ ଏତିକି ନୁହେଁ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟ କମ୍ପ୍ଲେକ୍ସର ଉପର ମହଲାରେ ଏକ କମ୍ପୁଟର ଇନ୍‌ଷ୍ଟିଚ୍ୟୁଟ୍‌ ଥିଲା। ମାଲିକ ଭଡା ଦେଇ ନ ପାରିବାରୁ ଆର୍‌ଡିଏ ସମ୍ପୃକ୍ତ ଇନ୍‌ଷ୍ଟିଚ୍ୟୁଟ୍‌କୁ ସିଲ୍‌ କରି ଦେଇଥିଲେ। ସିଲ୍‌ ହେବାର କିଛି ଦିନ ପରେ ଆର୍‌ଡିଏର କରିତକର୍ମା ଅଧିକାରୀ ଇନ୍‌ଷ୍ଟିଚ୍ୟୁଟ୍‌ ଭିତରେ ଥିବା କମ୍ପୁଟର, ଏସି ସମେତ ଅନ୍ୟାନ୍ୟ ସାମଗ୍ରୀକୁ ବିକି ମିଳିଥିବା ଅର୍ଥକୁ ଚଳୁ କରିଦେଇଥିଲେ।

ଆର୍‌ଡିଏର ଏକ ଆମ୍ବାସାଡାର କାର୍‌ରୁ ଯନ୍ତ୍ରାଂଶ ଚୋରି ଘଟଣାରେ ମଧ୍ୟ ଜଣେ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଏଥିରେ କଥା ସରିନି। ବିଗତ ଦିନରେ ବହୁ ଦୁର୍ନୀତିରେ ଛନ୍ଦି ହୋଇ ଆର୍‌ଡିଏ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କିଛି ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ମଧ୍ୟ କରାଯାଇଛି। ଏହା ସତ୍ବେ ଆର୍‌ଡିଏ ବ୍ୟବସ୍ଥାର ସୁଧାର ଆସୁନି। ଉଲ୍ଲେଖଯୋଗ୍ୟ, କିଛି ବର୍ଷ ତଳେ ଆର୍‌ଡିଏରୁ ଲୁହା ପାଇପ୍‌ ଚୋରି ଘଟଣାରେ ଦୁଇ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପାଇପ୍‌ ଅର୍ଥ ‌ସେମାନଙ୍କ ଦରମାରୁ କଟାଯାଇଥିଲା। ଷ୍ଟୋର୍‌ ରୁମ୍‌ରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଚୋରି ଘଟଣାରେ ସମ୍ପୃକ୍ତ ଆର୍‌ଡିଏ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ଅତିରିକ୍ତ ଜିଲ୍ଲାପାଳ ତଥା ଆର୍‌ଡିଏ ସଚିବ ପଛ ଘୁଞ୍ଚା ଦେଉଛନ୍ତି, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ଉ‌ଲ୍ଲେଖଯୋଗ୍ୟ ଯେ ୨୦୧୬-୧୭ରେ ଆର୍‌ଡିଏ ଷ୍ଟୋର୍‌ ରୁମ୍‌ରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କାର ଗୃହ ନିର୍ମାଣ ସମେତ ଅନ୍ୟାନ୍ୟ ସାମଗ୍ରୀ ଗଚ୍ଛିତ ରହିଥିଲା। ଦାୟିତ୍ବରେ ଥିଲେ ଆର୍‌ଡିଏର କନିଷ୍ଠ ଯନ୍ତ୍ରୀ। ଷ୍ଟୋର୍‌ ରୁମ୍‌ ଯାଞ୍ଚ ବେଳେ ଗଚ୍ଛିତ ସାମଗ୍ରୀଗୁଡ଼ିକୁ ନଥିବା ଦେଖିବାକୁ ମିଳିଥିଲା। ଆର୍‌ଡିଏ କିଛି କରିତକର୍ମା ଅଧିକାରୀ ଭିତିରି ସୁଲାସୁତୁରା କରି ସହରର ଜଣେ ଜଣାଶୁଣା ଠିକାଦାରଙ୍କୁ ସେସବୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା। ଚୋରି ଘଟଣା ପଦାକୁ ଆସିବା ପରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଆର୍‌ଡିଏର କିଛି ଅଧିକାରୀଙ୍କୁ ଗାଳିଗୁଲଜ୍‌ ମଧ୍ୟ କରିଥିଲେ ଓ ଉଦିତନଗର ଥାନାରେ ଲିଖିତ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଥାନାକୁ ମାମଲା ଯିବା ପରେ ଧରାପଡିବା ଭୟରେ ଷ୍ଟୋର୍‌ରୁମ୍‌ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଷ୍ଟକ୍‌ ରେଜିଷ୍ଟ୍ରରକୁ ଜାଣିଶୁଣି ହଜାଇ ଦେଇଥିଲେ।

ସମ୍ବନ୍ଧିତ ଖବର