ଚୋରଙ୍କ ଟାର୍ଗେଟରେ ଟ୍ରେନ୍‌ର ଏସ୍‌ସି କୋଚ୍‌

ମହିଳା ଯାତ୍ରୀଙ୍କଠୁ ଦେଢ଼ଲକ୍ଷର ସାମଗ୍ରୀ ଚୋରି

ରାଉରକେଲା: ସାଧାରଣ କୋଚ୍‌ ନୁହେଁ ବରଂ ‌ଟ୍ରେନ୍‌ରେ ଏସି କୋଚ୍‌ ବି ଚୋରମାନଙ୍କ ଟାର୍ଗେଟରୁ ବାଦପଡୁନି। ଗତ କିଛି ମାସ ଟ୍ରେନ୍‌ ଚୋରମାନେ ଚକ୍ରଧରପୁର ମଣ୍ଡଳ ଅଧୀନରେ ଯାତାୟତ କରୁଥିବା ଟ୍ରେନ୍‌କୁ ଟାର୍ଗେଟ କରୁଛନ୍ତି। ଗତ କିଛି ଦିନ ଧରି ରାଉରକେଲା-ଟାଟାନଗର ମଧ୍ୟରେ ଦୁଇ ରେଳଯାତ୍ରୀଙ୍କ ସାମଗ୍ରୀ ଚୋରି ହୋଇଥିଲା। ସେମିତି ଏସ୍‌ସି କୋଚ୍‌ରୁ ଜଣେ ମହିଳା ଯାତ୍ରୀଙ୍କଠାରୁ ଚୋରି ହୋଇଛି। ମଞ୍ଜୁଳିକା ଗୌତମ ଚାଟାର୍ଜୀ ଗତ ୨୧ରେ ହାୱଡା-ମୁମ୍ବାଇ ମେଲ୍‌ର ଏ-୨ କୋଚ୍ର ୯ ନଂ ସିଟ୍‌ରେ ନାଗପୁର ଯାଉଥିଲେ।

ଖଡଗପୁର ଷ୍ଟେସନ ପହଞ୍ଚିବା ପରେ ନିଦ ଆସିବାରୁ ଶୋଇଯାଇଥିଲେ। ସେତେବେଳେକୁ ଟ୍ରେନ୍‌ ରାଉରକେଲାରେ ପହଞ୍ଚି ସାରଥିଲା। ରାଉରକେଲା ଷ୍ଟେସନରେ ଉଠିବା ପରେ ତାଙ୍କ ପାଖରେ ପର୍ସ ନଥିବା ଦେଖବାକୁ ପାଇଥିଲେ। ମଞ୍ଜୁଳିକା ବସିଥିବା ସିଟ୍‌ ଆଖପାଖରେ ପର୍ସକୁ ଖୋଜିଥିଲେ। ଟ୍ରେନ୍‌ ନାଗପୁର ପହଞ୍ଚିବା ପରେ ମଞ୍ଜୁଳିକା ନାଗପୁର ଜିଆର୍‌ପିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗରେ ମଞ୍ଜୁଳିକା ତାଙ୍କର ପର୍ସ ଟାଟାନଗରରୁ ରାଉରକେଲା ଷ୍ଟେସନ ମଧ୍ୟରେ ଚୋରି ହୋଇଥିବା ଦର୍ଶାଇଥିଲେ। ପର୍ସ ଭିତରେ ମୋବାଇଲ, ଆଧାରକାର୍ଡ, ଏଟିଏମ୍‌ କାର୍ଡ ସମେତ ସୁନା ଅଳଙ୍କାର ଆଦି ସାମଗ୍ରୀ ରହିଥିଲା। ଯାହାର ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ହେବ ବୋଲି ମହିଳା ଯାତ୍ରୀଙ୍କ କହିଥିଲେ। ନାଗପୁର ଜିଆର୍‌ପି ମାମଲାକୁ ରାଉରକେଲା ଜିଆର୍‌ପିକୁ ସ୍ଥାନାନ୍ତର କରି ଦେଇଥିଲେ। ଟ୍ରେନ୍‌ରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ‌ରେଳ ବିଭାଗ କହୁଥିବାବେଳେ, ଏସି ବଗରୁ ଚୋରି ହେବା ରେଳବାଇ ପୁଲିସର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର